ମୃତ୍ୟୁର ବର୍ଷକ ପରେ ଦଲିଲରେ ଦସ୍ତଖତ! କିରାଣୀଙ୍କ କାରନାମା, ୪୨୦ରେ ଗିରଫ

ଭୁବନେଶ୍ବର: ମୃତ୍ୟୁର ବର୍ଷକ ପରେ ବି ମୃତ ବ୍ୟକ୍ତି ଜମି ବିକ୍ରି ଦଲିଲ୍‌ରେ ଦସ୍ତଖତ କରିପାରିଲେ। ପୁରା ଅସମ୍ଭବ ମନେ ହେଉଥିଲେ ବି ଏମିତି ଏକ ଆଶ୍ଚର୍ଯ୍ୟଜନକ କଥାକୁ କିନ୍ତୁ ଭୁବନେଶ୍ବର ସବ୍‌ରେଜିଷ୍ଟ୍ରାର୍‌ କାର୍ଯ୍ୟାଳୟ କିରାଣୀ ସମ୍ଭବ କରାଇଦେଲେ। ତେବେ ଏଭଳି ଏକ ସଂଗିନ୍ ଜାଲିଆତି ବେଶୀ ଦିନ ଛପି ପାରିଲାନାହିଁ। ଧରା ପଡ଼ିଗଲା କିରାଣୀଙ୍କ କଳା କାରନାମା। ତେଣୁ କମିସନରେଟ୍‌ ପୁଲିସ ଦଫା ୪୨୦ରେ ଅଭିଯୁକ୍ତ କିରାଣୀ ପ୍ରଫୁଲ୍ଲ କୁମାର ମିଶ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ମାମଲା ଏତିକିରେ ସରିନାହିଁ। ଏହି ଜାଲିଆତିରେ ଆହୁରି କିଛି ବ୍ୟକ୍ତିବିଶେଷ ସମ୍ପୃକ୍ତ ଥିବା ନେଇ ବଡ଼ଗଡ଼ ଥାନା ପୁଲିସ ଖୋଳତାଡ୍‌ କରୁଛି।

ସୂଚନାନୁସାରେ ଗଜପତିନଗରରେ ରହୁଥିବା ବିରଜାଲକ୍ଷ୍ମୀ ମହାନ୍ତିଙ୍କ ସ୍ବାମୀ ପ୍ରଦୀପ ମହାନ୍ତି ୨୦୦୪ ମସିହାରେ ପାଣ୍ଡରାରେ ଏକ ଜମି କିଣିଥିଲେ। ୨୦୧୯ ଫେବ୍ରୁଆରି ୧୯ରେ ପ୍ରଦୀପଙ୍କର ମୃତ୍ୟୁ ହୋଇଥିଲା। ଗତ କିଛି ଦିନ ପୂର୍ବେ ପାଣ୍ଡରାସ୍ଥିତ ଉକ୍ତ ଜମିରେ କେହି ପାଚେରି ନିର୍ମାଣ କରୁଥିବା ଖବର ପାଇ ବିରଜା ଘଟଣାସ୍ଥଳକୁ ଯାଇଥିଲେ ଓ ସନ୍ଧ୍ୟାରାଣୀ ବେଉରା ଉକ୍ତ ଜମି କିଣିଛନ୍ତି ବୋଲି ଦାବି କରି ଦଲିଲ୍‌ ପ୍ରଦର୍ଶନ କରିଥିଲେ। ତେଣୁ ବିରଜା ତୁରନ୍ତ ଭୁବନେଶ୍ବର ସବ୍‌ରେଜିଷ୍ଟ୍ରାର୍ ଅଫିସକୁ ଯାଇ ଖୋଳତାଡ଼ କରିବା ପରେ ତାଙ୍କ ସ୍ବାମୀଙ୍କ ଜାଲ୍ ଦସ୍ତଖତରେ ଜମି ବିକ୍ରି ହୋଇଛି ବୋଲି ଜାଣିବାକୁ ପାଇଥିଲେ। ଭିଜିଟିଂ କେସ୍ ବଳରେ ଉକ୍ତ ଜମିଟି ୨୦୨୦ ମେ ୨୭ ତାରିଖରେ ବିକ୍ରି କରାଯାଇଥିଲା ବୋଲି ସେ ଜାଣିବାକୁ ପାଇଥିଲେ। ଭିଜିଟିଂ କେସ୍ ନିୟାମାନୁସାରେ ଯଦି କୌଣସି ବ୍ୟକ୍ତି ଅସୁସ୍ଥ ଥାଆନ୍ତି କିମ୍ବା ସବ୍‌ରେଜିଷ୍ଟ୍ରାର୍ ଅଫିସ ଯିବାକୁ ଅକ୍ଷମ ବୋଲି ଦର୍ଶାନ୍ତି, ତା’ ହେଲେ ସେ କ୍ଷେତ୍ରରେ ସବ୍‌ରେଜିଷ୍ଟ୍ରାର୍‌ଙ୍କ କାର୍ଯ୍ୟାଳୟରୁ କର୍ମଚାରୀ ଯାଇ ଜମି ବିକ୍ରେତାଙ୍କ ଘରେ ଯାଞ୍ଚ କରନ୍ତି। ପରେ ଚୂଡ଼ାନ୍ତ ଦଲିଲ୍‌ ପ୍ରସ୍ତୁତବେଳେ ଏହାକୁ ଯାଞ୍ଚ କରିବା ସବ୍‌ରେଜିଷ୍ଟ୍ରାର୍‌ଙ୍କ ଦାୟିତ୍ବ। ତେଣୁ ୨୦୧୯ ମସିହାରୁ ମୃତ୍ୟୁବରଣ କରିଥିବା ବିରଜାଙ୍କ ସ୍ବାମୀ ପ୍ରଦୀପ କେମିତି ୨୦୨୦ ମେ ୨୭ବେଳକୁ ଘରେ ଅସୁସ୍ଥ ଥିଲେ ଓ ଜମି ବିକ୍ରି ପାଇଁ ଦଲିଲ୍‌ରେ ଦସ୍ତଖତ କଲେ ବୋଲି ଅଭିଯୋଗ କରି ବିରଜା ବଡ଼ଗଡ଼ ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଏକ ମାମଲା(କେସ୍ ନଂ-୧୮୭/୨୦୨୦) ରୁଜୁ କରି ତଦନ୍ତ କରିବା ପରେ କିରାଣୀ ପ୍ରଫୁଲ ମିଶ୍ରଙ୍କୁ ଗିରଫ କରିଛି। ଏହି ଜାଲିଆତିରେ ସବ୍‌ରେଜିଷ୍ଟ୍ରାର୍ ପବିତ୍ର କୁମାର ସାମଲ ଓ ଜମିକ୍ରେତା ସନ୍ଧ୍ୟାରାଣୀ ବେଉରାଙ୍କ ସମ୍ପୃକ୍ତିକୁ ନେଇ ଖୋଳତାଡ୍‌ ଚାଲିଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର