ଭୁବନେଶ୍ବର: ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ୧୪ତମ ସ୍ବନକ୍ଷତ୍ର ଉତ୍ସବ ଜୟଦେବ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ସଭାପତି ସୁଧାନିଧି ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାକୁ ନିଗମ କଳ୍ପତରୁ ଆଶ୍ରମର ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ ଉଦ୍ଘାଟନ କରିଥିଲେ। ଉତ୍ସବରେ କିଟ୍ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ମିଶ୍ର ମୁଖ୍ୟ ଅତିଥି, ଆଇସିଏଆର୍ର ବରିଷ୍ଠ ବୈଜ୍ଞାନିକ ସବିତା ମିଶ୍ର, ସୋଆ ବିଶ୍ୱବିଦ୍ୟାଳୟର ଛାତ୍ରମଙ୍ଗଳ ଅଧ୍ୟକ୍ଷ ଜ୍ୟୋତି ରଞ୍ଜନ ଦାସ, ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ବିଶ୍ବନାଥ ଧଳ ଓ ବିଦ୍ୟାବିକାଶ, ନୂଆଦିଲ୍ଲୀର ଅଧ୍ୟକ୍ଷ ଜଗଦୀଶ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶୈକ୍ଷିକ ବାତାବରଣର ବିଭିନ୍ନ ଦିଗ ସମ୍ବନ୍ଧରେ ଆଲୋକପାତ କରିଥିଲେ।
ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ପରିପ୍ରେକ୍ଷୀରେ ସୁରେଶ କୁମାର ପଣ୍ଡା, ଆଦିତ୍ୟ କୁମାର ଆଚାର୍ଯ୍ୟ, ଦିଗମ୍ବର ମାଝୀ ଓ ମହେଶ୍ବର ସ୍ବାଇଁଙ୍କୁ ସାହିତ୍ୟ କ୍ଷେତ୍ରରେ ଶ୍ରେଷ୍ଠ ଶିକ୍ଷକ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କାଶୀନାଥ ସାହୁ, ବିଶ୍ବରଂଜନ ରଥ, ଦୁର୍ଗାପ୍ରସାଦ ମହାନ୍ତି, ଜିତେନ୍ଦ୍ର ପ୍ରହରାଜ, ଜୟନ୍ତୀ କାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।