ସିକନ୍ଦର ଆଲମଙ୍କ ଅବଦାନର ତୁଳନା ନାହିଁ: ମୁଖ୍ୟମନ୍ତ୍ରୀ

ଶେଖରଙ୍କୁ ସିକନ୍ଦର ଆଲମ ସ୍ମୃତି ସମ୍ମାନ ଓ ଅବନୀକାନ୍ତଙ୍କୁ ସିକନ୍ଦର ଆଲମ ବାଦ୍ୟରତ୍ନ ସମ୍ମାନ

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତକୁ କିଂବଦନ୍ତି ସାଧକ ସିକନ୍ଦର ଆଲମଙ୍କ ଅବଦାନର ତୁଳନା ନାହିଁ। ଓଡ଼ିଆ ସଙ୍ଗୀତରେ ପରମ୍ପରା ଏବଂ ଉତ୍କର୍ଷକୁ ପ୍ରୋତ୍ସାହିତ କରିବାରେ ତାଙ୍କର କାର୍ଯ୍ୟ ପ୍ରଶଂସନୀୟ। ତାଙ୍କ ସ୍ମୃତିରେ ସମ୍ମାନ ପ୍ରଦାନ ଲକ୍ଷଲକ୍ଷ ସଂଗୀତ ସାଧକଙ୍କୁ ଅନୁପ୍ରାଣିତ କରିବ। ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ମହମ୍ମଦ ସିକନ୍ଦର ଆଲମଙ୍କ ୮୩ତମ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୋଗଦେଇ ଆଜି ଏହା କହିଛନ୍ତି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ସିକନ୍ଦର ଆଲମ ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱନାମଧନ୍ୟ ସ୍ବରସାଧକ ଶେଖର ଘୋଷଙ୍କୁ ତୃତୀୟ ସିକନ୍ଦର ଆଲାମ ସ୍ମୃତି ସମ୍ମାନ-୨୦୨୨ ଏବଂ ବିଶିଷ୍ଟ ବାଦକ ଅବନୀକାନ୍ତ ଦାସଙ୍କୁ ସିକନ୍ଦର ଆଲାମ ବାଦ୍ୟ ରତ୍ନ ସମ୍ମାନ-୨୦୨୨ ସ୍ମାରକୀ ପ୍ରଦାନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ଦୁଇ ପ୍ରତିଭାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଫାଉଣ୍ଡେସନ୍‌ର ସଦସ୍ୟଙ୍କୁ ସାଧୁବାଦ ଦେଇଥିଲେ।

ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଆଲମଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର କାଳଜୟୀ ସଂଗୀତ ସାଧନା ଉପରେ ଆଲୋକପାତ କରିଥିଲେ। ରେଡିଓରେ ପରିବେଷିତ ଆଲମଙ୍କ ସୁଲଳିତ ଭଜନ ଏବେ ବି ଲକ୍ଷଲକ୍ଷ ଓଡ଼ିଶାବାସୀ ଓ ଜଗନ୍ନାଥପ୍ରେମୀଙ୍କୁ ବାନ୍ଧି ରଖୁଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ।
ସମ୍ମାନିତ ଅତିଥି ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ମେୟର୍‌ ସୁଲୋଚନା ଦାସ, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, ପୁଲିସ୍ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ, ପ୍ରମୁଖ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ ଦାସ, ସିକନ୍ଦର ଆଲମ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ନଇମା ଆଲମ, ସଂପାଦିକା ନାଜିଆ ଆଲମ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସଂପାଦକ ଲେନିନ୍ ମହାନ୍ତି ଏବଂ କଳିଙ୍ଗ ହସ୍ପିଟାଲର ନିର୍ଦ୍ଦେଶକ ଶୀତିକଣ୍ଠ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଆଲମ୍‌ଙ୍କ ଓଡ଼ିଆ ସଂଗୀତ ପ୍ରତି ଅବଦାନ ଉପରେ ବକ୍ତବ୍ୟ ରଖିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତିଷ୍ଠିତ ଶିଳ୍ପୀମାନଙ୍କ ଦ୍ବାରା ଆଲମ ସଂଗୀତ ପରିବେଷଣ କରାଯାଇଥିଲା। ଏଥିରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ‘ସପନର ପଥେ ପଥେ…’ ଗାଇ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ‌ସେହିପରି ବର୍ଷୀୟାନ୍‌ ଗାୟକ ଶେଖର ଘୋଷଙ୍କ କଣ୍ଠରେ ‘ଏଇ ମୋ ମନର ଅଲେଖା ଖାତାରେ…’ ଗୀତ ଦର୍ଶକଙ୍କୁ ଆନନ୍ଦିତ କରିଥିଲା। ପରେ ପରେ କଣ୍ଠଶିଳ୍ପୀ ମହାପ୍ରସାଦ କର, ନାଜିଆ ଆଲମ, ସୁକାନ୍ତ ରଥ, ସୁଶାନ୍ତ ପଣ୍ଡା, ରଣଦୀପ ପାଲିତ, ବନ୍ଦିଶ ପାଲିତ, ଦେବାଶିଷ ମହାପାତ୍ର, ଆଦ୍ୟାଶା ଦାସ, ରଶ୍ମିତା ଓ ୟସ୍ ମହାନ୍ତି ପ୍ରମୁଖ ସଂଗୀତ ଅନୁରାଗୀଙ୍କୁ ଆମୋଦିତ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ସ୍ବନାମଧନ୍ୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ସମେତ ସଂଗୀତ ଗାନ କରିଥିବା ସମସ୍ତ ଶିଳ୍ପୀମାନଙ୍କୁ ଏହି ଅବସରରେ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସଭା ପ୍ରାରମ୍ଭରେ ନୂତନ ଭାବେ ଶପଥ ନେଇଥିବା ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ‘ସିକନ୍ଦର ଆଲାମ ଫାଉଣ୍ଡେସନ୍‌’ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ଦିବଂଗତ ସଂଗୀତ ସାଧକ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଓ ବିଶିଷ୍ଟ ଗୀତିକାର ଶାରଦା ପ୍ରସନ୍ନ ନାୟକଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା। ସ୍ବର୍ଗତ ଆଲମଙ୍କ ଝିଅ ସୋଫିଆ ଆଲମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର