ଭୁବନେଶ୍ୱର: ଆଜି ସର୍ବ ଓଡ଼ିଶା ସିକନ୍ଦର ଆଲମ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ସିକନ୍ଦର ଆଲମଙ୍କ କାଳଜୟୀ ଗୀତଗୁଡ଼ିକର ମଧୁର ସ୍ୱରରେ ପରିବେଶ ପରିପୂର୍ଣ୍ଣ ହୋଇଉଠିଥିଲା। ଏହି କାର୍ଯ୍ୟକ୍ରମ ସ୍ୱର୍ଗତ କଳାକାରଙ୍କ ପ୍ରତି ଏକ ଆବେଗପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଥିଲା, ଯେଉଁଥିରେ ୫ ବର୍ଷରୁ ୮୫ ବର୍ଷ ବୟସର ପ୍ରତିଯୋଗୀମାନେ ଭାଗ ନେଇଥିଲେ। ଏଥିରୁ ସିକନ୍ଦର ଆଲମଙ୍କ ସଙ୍ଗୀତ ପ୍ରତି ଥିବା ଲୋକଙ୍କର ଅପାର ସ୍ନେହ ଏବଂ ଶ୍ରଦ୍ଧା ଜଣାପଡ଼ୁଥିଲା। ସିକନ୍ଦର ଆଲମ୍‌ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରତିଷ୍ଠାନର ସଭାପତି ତଥା ସିକନ୍ଦର ଆଲମଙ୍କ ପତ୍ନୀ ନଈମା ଆଲମ ଯୋଗଦାନ କରିଥିଲେ। ସିକନ୍ଦର ଆଲମଙ୍କ ଝିଅ ତଥା ପ୍ରତିଷ୍ଠାନର ସାଧାରଣ ସମ୍ପାଦିକା ନାଜିଆ ଆଲମକାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏଏ କନ୍‌ଭେନସନ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାରେକଳିଙ୍ଗ ହସ୍ପିଟାଲର  ଅଧ୍ୟକ୍ଷ ଡ. ସୀତାକାନ୍ତ ଦାଶ ଓ ଗୁରୁ ଲକ୍ଷ୍ମୀକାନ୍ତ ପାଲିତ ଅତିଥି ଭାବେ ଯୋଗଦେଇଥିଲେ।

Advertisment

ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଓଡ଼ିଶୀ ଗାୟିକା ତଥା ବିଦୁଷୀ  ସଙ୍ଗୀତା ଗୋସାଇଁ ଓ  କଣ୍ଡଶିଳ୍ପୀ ମହାପ୍ରସାଦ କର ଯୋଗଦେଇଥିଲେ। ସନ୍ଧ୍ୟାର କାର୍ଯ୍ୟକ୍ରମ ଗାୟକ ରଣଦୀପ ପାଲିତଙ୍କ ଏକ ସ୍ୱତନ୍ତ୍ର ପରିବେଷଣ ସହିତ ଆରମ୍ଭ ହୋଇଥିଲା। ପ୍ରତିଯୋଗିତା ପରେ ଜୁନିଅର ଓ ସିନିଅର ଉଭୟ ବିଭାଗରେ ଶ୍ରେଷ୍ଠ ତିନି ବିଜେତାଙ୍କୁ ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରଣଦୀପ ଏବଂ ମହାପ୍ରସାଦ କରଙ୍କ ଏକ ମନୋମୁଗ୍ଧକର ଯୁଗଳବନ୍ଦୀ ସହିତ ଶେଷ ହୋଇଥିଲା।