ବିପଦରେ ଶିଖରଚଣ୍ଡୀ ମୟୂର

ଚନ୍ଦ୍ରଶେଖରପୁର: ରାଜଧାନୀ ଭୁବନେଶ୍ବରର ଶିଖରଚଣ୍ଡୀ ପାହଡ଼ରେ ଓ ତା’ର ଆଖପାଖରେ ରହୁଥିବା ପ୍ରାୟ ୧୩ରୁ ଅଧିକ ମୟୂର ଏବେ ବିପଦରେ। ସେମାନଙ୍କ ପାଇଁ ବିପଦ ପାଲଟିଛନ୍ତି ଶିକାରୀ ଓ ବୁଲା କୁକୁର। ଖାଦ୍ୟ ‌ସନ୍ଧାନରେ ନିକଟ ବଜାରକୁ ଚାଲିଆସୁଥିବା ବେଳେ ବୁଲା କୁକୁରଙ୍କ ଆକ୍ରମଣର ଶିକାର ହେଉଛନ୍ତି। ଅନ୍ୟପକ୍ଷରେ ସେମାନେ ରହୁଥିବା ଶିଖରଚଣ୍ଡୀ ପାହାଡ଼ ପଛପାଖରେ ମଧ୍ୟ କୁକୁର ଓ ଜଙ୍ଗଲି ପଶୁ ସେମାନଙ୍କୁ ଆକ୍ରମଣ କରୁଥିବାରୁ ଗତବ‌ର୍ଷଠାରୁ ଚଳିତବର୍ଷ ମୟୂର ସଂଖ୍ୟା କମିବାରେ ଲାଗିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପ୍ରାୟ ୨୦ରୁ ଅଧିକ ମୟୂର ସେଠାକୁ ପ୍ରତିଦିନ ଖାଦ୍ୟ ଖାଇବାକୁ ଆସୁଥିଲେ। ଯାହା‌ଏବେ ପ୍ରାୟ ୧୩ରେ ପହଞ୍ଚିଛି। ସେହିଭଳି ଚନ୍ଦକା ଅଭୟାରଣ୍ୟରେ ବୁଲାବୁଲି କରି ମୟୂର ନିରାପଦରେ ରହିବା ପାଇଁ ଶିଖରଚଣ୍ଡୀକୁ ଆସୁଥିଲେ। ସେଠାରେ ପ୍ରତିବର୍ଷ ଅଣ୍ଡା ଦେଉଥିବା ଦେଖିବାକୁ ମିଳୁଥିଲା। ଯାହାକୁ ପଶୁମାନେ ନଷ୍ଟ କରିଦେଉଥିଲେ। ଅନ୍ୟପକ୍ଷରେ ଶିଖରଚଣ୍ଡୀ ଓ ଚନ୍ଦକା ଅଭୟାରଣ୍ୟରେ ରହୁଥିବା ମୟୂରଙ୍କୁ ଚୁଡ଼ଙ୍ଗଗଡ଼ ଭିତରେ ରହୁଥିବା କିଛି ଆଦିବାସୀ ଲୋକ ଜାଲ ବିଛାଇ ଧରି ନିଜ ଘରେ ବାନ୍ଧି ରଖୁଛନ୍ତି ଓ କିଛି ଲୋକ ବିକ୍ରି କରିଦେଉଛନ୍ତି। ଏପରି ପରିସ୍ଥିତିରେ ଶିଖରଚଣ୍ଡୀ ପାହାଡ଼ର ମୟୂର ବଂଶ ଏବେ ସଂକଟରେ। କେବଳ ସେତିକି ନୁହେଁ ମୟୂରଙ୍କ ଅଣ୍ଡା ଓ ପୁଚ୍ଛ ମଧ୍ୟ ଉକ୍ତ ଅଞ୍ଚଳରେ ବିକ୍ରି ହେଉଥିବା ସୂଚନା ମଳିଛି। ଏଭଳି ସ୍ଥିତିରେ ଶିଖରଚଣ୍ଡୀ ପାହାଡ଼କୁ ଆସୁଥିବା ମୟୂରଙ୍କ ସଂଖ୍ୟା ଦିନକୁ ଦିନ କମିବାରରେ ଲାଗିଛି।

ସମ୍ବନ୍ଧିତ ଖବର