ଶିଖରଚଣ୍ଡୀରେ ପ୍ରେମୀଯୁଗଳଙ୍କୁ ଜଗିବ ସିସିଟିଭି, କଡ଼ାକଡ଼ି ହେବ ପାଟ୍ରୋଲିଂ

ଚନ୍ଦ୍ରଶେଖରପୁର : ଇନ୍‌ଫୋସିଟି ଥାନା ପଛକାଖ ଓ ଶିଖରଚଣ୍ଡୀ ପାହାଡ଼ ପାଖାପାଖି ଅଞ୍ଚଳରେ ପ୍ରେମୀ ଯୁଗଳଙ୍କୁ ଜଗିବ ସିସିଟିଭି। ଏଥିସହିତ ସେଠାରେ ଉତ୍ପାତ କରୁଥିବା ଅସାମାଜିକ ଯୁବକଙ୍କୁ ଗତିବିଧି ଉପରେ ମଧ୍ୟ ନଜର ରଖାଯିବ। ସେହିପରି ପୁଲିସ ପାଟ୍ରୋଲିଂ ମଧ୍ୟ କଡ଼ାକଡ଼ି କରାଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ ଶିଖରଚଣ୍ଡୀ ପାହାଡ଼ ଓ ଏହାର ଆଖପାଖ ଅଞ୍ଚଳରୁ ଯୁବକ-ଯୁବତୀ ଅସଂଯତ ଅବସ୍ତାରେ ଧରାପଡ଼ିବା ପୁଲିସ୍‌ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଅନେକଥର ବାରଣ କରିବା ପରେ ମଧ୍ୟ କିଛି ଇଂଜିନିୟରିଂ କଲେଜ ଯୁବକ ଓ ଯୁବତୀ ଏହି ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି ଖଟି କରୁଛନ୍ତି। ଆଉ ଅନେକ ସମୟରେ ସ୍ଥାନୀୟ ଅସାମାଜିକ ଯୁବକଙ୍କ ମନ୍ଦ ଉଦ୍ଦ୍ୟେଶର ଶିକାର ହେଉଛନ୍ତି। ଦୁର୍ବୃତ୍ତମାନେ ଯୁବକ ଯୁବତୀମାନଙ୍କଠାରୁ କେବେ ଟଙ୍କା ଛଡ଼ାଇ ନେଉଛନ୍ତି ତ ପୁଣି କେବେ ଗାଡ଼ି ଭାଙ୍ଗି ଚୂରମାର କରିଦେଉଛନ୍ତି। ସବୁଠାରୁ ବଡ଼ କଥା ହେଲା ଦୁର୍ବୃତ୍ତମାନଙ୍କ ଆଶା ପୂରଣ ନହେଲେ ପ୍ରେମୀଯୁଗଳଙ୍କୁ ଅସଦାଚରଣ ଓ ପ୍ରାଣାନ୍ତକ ଆକ୍ରମଣ କରାଯାଉଛି।

ଅନେକ ଥର ଇନ୍‌ଫୋସିଟି ଥାନା ପଛପାଖ ଖାଲି ପଡ଼ିଆ ଓ ଶିଖରଚଣ୍ଡୀ ପାହାଡ଼ ନିକଟରେ ଡ୍ୟାନସିଂ କାର୍‌ ଦେଖିବାକୁ ମିଳିଥିବା ବେଳେ ଏବେ ପୁଲିସ୍‌ ଏସବୁ ଉପରେ କଡ଼ା ନଜର ରଖିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି। ଶିଖରଚଣ୍ଡୀ ମୁଖ୍ୟ ଫାଟକ ଓ ତା’ର ଆଖାପାଖ କିଛି ଅଞ୍ଚଳରେ ମୋଟ ୪ଟି ସିସିଟିଭି କ୍ୟାମେରା ଲଗାଯାଇଛି। ସେହିଭଳି ରାଜବାଟିକା ଓ କିସ୍‌ ପଛପାଖ ପଡ଼ିଆରେ କିଛି ଘରୋଇ ସଂସ୍ଥାର ସିସିଟିଭି ଫୁଟେଜ୍‌ ଉପରେ କଡ଼ା ନଜର ରଖିବ ପୁଲିସ୍‌। ଏସବୁ ବ୍ୟତୀତ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ କିଛି ସମୟ ବ୍ୟବଧାନରେ ପିସିଆର୍‌ ପାଟ୍ରୋଲିଂ କରାଯିବ ବୋଲି ସୂଚନା ମିଳିଛି। ଏପରି ହେବା ଫଳରେ ଅପରାଧକୁ ନିୟନ୍ତ୍ରଣ କରାଯିବା ସହ ଅସାମାଜିକ ପିଲାଙ୍କୁ ସାବାଡ୍‌ କରିହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର