ଆଜିଠୁ ଶିଖରଚଣ୍ଡୀରୁ ଲିଙ୍ଗିପୁର ଚାଲିବ ୨୧ ବସ୍

ପ୍ରତି ୮ ମିନିଟ୍‌ରେ ଗୋଟିଏ

ଭୁବନେଶ୍ବର: ଶୁକ୍ରବାରଠାରୁ ‘ମୋ ବସ୍‌’ ସେବାରେ ଶିଖରଚଣ୍ଡୀରୁ ଲିଙ୍ଗିପୁରକୁ ବସ୍‌ ସେବା ଆରମ୍ଭ ହେବ। ନୂଆ ଭୁବନେଶ୍ବରକୁ ପୁରୁଣା ଭୁବନେଶ୍ବର ସହ ଯୋଡ଼ିବା, ନୂଆ ଭୁବନେଶ୍ବରରେ ଥିବା ବିଭିନ୍ନ ହସ୍ପିଟାଲ ଏବଂ ପୁରୁଣା ଭୁବନେଶ୍ବରରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯେପରି ଲୋକମାନେ ସୁବିଧାରେ ଯାତାୟାତ କରିପାରି‌ବେ, ତାହାକୁ ନଜରରେ ରଖି ଏହି ରୁଟ୍‌ ଚୟନ କରାଯାଇଛି। ରୁଟ୍‌ ନଂ-୧୧ରେ ୨୧ଟି ବସ୍‌ ଚାଲିବାକୁ ଥିବା ବେଳେ ଭିଡ଼ ସମୟରେ ପ୍ରତି ୮ ମିନିଟ୍‌ରେ ଗୋଟିଏ ବସ୍ ଚଲାଇବାକୁ ସ୍ଥିର ହୋଇଛି। ଅନ୍ୟ ସମୟରେ ପ୍ରତି ୧୫ ମିନିଟ୍‌ରେ ବସ୍ ଚାଲିବ। ଏହି ରୁଟ୍‌ରେ ୪୯ଟି ବସ୍‌ ଷ୍ଟପ୍‌ ରହିଛି। ଏହି ରୁଟ୍‌ରେ ବସ୍‌ ଶିଖରଚଣ୍ଡୀ ଡିପୋରୁ ବାହାରି ଇନଫୋସିଟି, ଶୈଳଶ୍ରୀ ବିହାର, ଆଚାର୍ଯ୍ୟ ବିହାର, ବାଣୀବିହାର, ସତ୍ୟନଗର, ମାଷ୍ଟରକ୍ୟାଣ୍ଟିନ୍, କଳ୍ପନା, ରବି ଟକିଜ୍, ସାମନ୍ତରାପୁର ଦେଇ ଲିଙ୍ଗିପୁର ଯିବ। ଏହାଦ୍ବାରା ଅଧିକରୁ ଅଧିକ ପର୍ଯ୍ୟଟକ ଲିଙ୍ଗରାଜ ମନ୍ଦିର, କେଦାରଗୌରୀ, ଶିଶୁପାଳଗଡ଼ ଆଦି ପର୍ଯ୍ୟଟନସ୍ଥଳୀ ସହଜରେ ବୁଲି ପାରିବେ ବୋଲି କୁହାଯାଇଛି। କ୍ୟାପିଟାଲ ରିଜିଅନ୍ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ କୁହାଯାଇଛି ଯେ ଏହି ରୁଟ୍‌ରେ ଦୈନିକ ୧୫୦୦୦ରୁ ଅଧିକ ଲୋକ ଯାତାୟାତ କରୁଥିବାରୁ ଏହି ବସ୍‌ ସେବା ଲୋକଙ୍କୁ ସହାୟକ ହେବ। ସେହିପରି ଏବେ ରୁଟ୍‌-୧୦ରେ ନନ୍ଦନକାନନରୁ ବିମାନବନ୍ଦରକୁ ୨୦ଟି ମୋ ବସ୍ ଚାଲୁଥିବା ବେଳେ ଏହାକୁ ଖୁବ୍‌ଶୀଘ୍ର କଟକକୁ ସମ୍ପ୍ରସାରିତ କରାଯିବ। ଏବେ ଦୈନିକ ପ୍ରାୟ ୩୨ହଜାର ଲୋକ ବସ୍‌ରେ ଯାତାୟାତ କରୁଛନ୍ତି ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର