ଲଟକିଛି ଶିଖରଚଣ୍ଡୀ ପର୍ଯ୍ୟଟନ କେନ୍ଦ୍ର

ଚନ୍ଦ୍ରଶେଖରପୁର : ଶିଖରଚଣ୍ଡୀ ପାହାଡ଼କୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ପରିଣତ କରାଯିବ। ମା’ ଶିଖରଚଣ୍ଡୀ ବିରାଜମାନ କରୁଥିବା ଏହି ସ୍ଥାନକୁ ଏକ ନିତିଦିନିଆ ଚିତ୍ତବିନୋଦନ କେନ୍ଦ୍ରରେ ରୂପାନ୍ତରିତ କରାଯିବ।

ଚନ୍ଦକା ଶିଳ୍ପାଞ୍ଚଳ ନିକଟସ୍ଥ ଏହି ସ୍ଥାନରେ ପର୍ଯ୍ୟଟକଙ୍କୁ ଯୋଗାଇଦିଆଯିବ ସମସ୍ତ ସୁବିଧା ସୁଯୋଗ। ଆଲୋକୀକରଣ ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟର ସୁବନ୍ଦୋବସ୍ତ, ପାର୍କ ନିର୍ମାଣ, ଉପଯୁକ୍ତ ବସିବା ସ୍ଥାନ, ପାର୍କିଂ ସୁବିଧା ଆଦିର ବ୍ୟବସ୍ଥା କରିବା ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଥିଲା। ମାତ୍ର ସବୁ ଯୋଜନା ନାଲି ଫିତା ତଳେ ଅଟକିଯାଇଛି। କେବଳ ଯୋଜନାରେ ସୀମିତ ରହିଛି ଶିଖରଚଣ୍ଡୀକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ତଥା ଚିତ୍ତବିନୋଦନ କେନ୍ଦ୍ରରେ ରୂପାନ୍ତରିତ କରିବାର ଲକ୍ଷ୍ୟ।

ବ୍ୟସ୍ତବହୁଳ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ନିମନ୍ତେ ରାଜଧାନୀ ତଥା ରାଜଧାନୀ ବାହାରୁ ଦୈନିକ ଶତାଧିକ ପର୍ଯ୍ୟଟକଙ୍କର ଭିଡ଼ ଶିଖରଚଣ୍ଡୀ ପାହାଡ଼ରେ ହୋଇଥାଏ। ରବିବାର ତଥା ଛୁଟି ଦିନମାନଙ୍କରେ ପର୍ଯ୍ୟଟକଙ୍କ ସଂଖ୍ୟା କାହିଁ କେଇଗୁଣ ବଢ଼ିଯାଏ। ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହେଉଥିବା ଏହି ସ୍ଥାନରେ ଶୌଚାଳୟଟିଏ ମଧ୍ୟ ନାହିଁ। ପିଇବା ପାଣି କଥା ନକହିବା ଭଲ। ଆଲୋକୀକରଣ ବ୍ୟବସ୍ଥା ନାହିଁ କହିଲେ ଚଳେ। ନିତ୍ୟାନ୍ତ ଅପରିହାର୍ଯ୍ୟ ମୌଳିକ ସୁବିଧା ଅଭାବ କାରଣରୁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି।

୨୦୧୩ରେ ଇଡ୍‌କୋ ସିଏମ୍‌ଡି ବିଶାଲ ଦେବ ଏହି ସ୍ଥାନକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ତଥା ଚିତ୍ତବିନୋଦନ କେନ୍ଦ୍ରରେ ପରିଣତ କରିବାକୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଥିବା ପ୍ରକାଶ କରିଥିଲେ। ଧଉଳି ନିକଟସ୍ଥ ବହିରଙ୍ଗେଶ୍ୱର ମନ୍ଦିର, ପୁରୁଣାଭୁବନେଶ୍ୱରର ଅନନ୍ତବାସୁଦେବ ମନ୍ଦିର ଓ ପଟିଆସ୍ଥିତ ଶିଖରଚଣ୍ଡୀ ମନ୍ଦିରକୁ ପ୍ରାୟ ଆଠ କୋଟି ଟଙ୍କା ବ୍ୟୟରେ ଏକ ଟେମ୍ପୁଲ୍‌ ସର୍କିଟ୍‌ ଭାବରେ ବିକଶିତ କରାଯିବ। ଏହାସହିତ ଏହି ସ୍ଥାନରେ ପର୍ଯ୍ୟଟକମାନଙ୍କୁ ସମସ୍ତ ସୁବିଧାସୁଯୋଗ ଯୋଗାଇଦିଆଯିବ। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏନେଇ ଦିଆଯାଇଥିବା ଏକ ଯୋଜନାକୁ ପର୍ଯ୍ୟଟନ ମନ୍ତ୍ରଣାଳୟ ଗ୍ରହଣ କରିଥିବା ନେଇ ଶ୍ରୀ ଦେବ୍‌ ସୂଚନା ଦେଇଥିଲେ। ମାତ୍ର ଏହାଥିଲା କେବଳ ଯୋଜନା। କାର୍ଯ୍ୟକାରୀ ଶୂନ୍‌। ଉପଯୁକ୍ତ ସୁବିଧା ସୁଯୋଗର ଅଭାବ ତଥା ରକ୍ଷଣାବେକ୍ଷଣ ଅଭାବରୁ ରାଜଧାନୀର ଏହି ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଅସାମାଜିକ ତତ୍ତ୍ୱଙ୍କର ଆଡ଼ାସ୍ଥଳୀ ପାଲଟିଛି। ଏହି ସ୍ଥାନକୁ ଠିକ୍‌ ଭାବରେ ସଫା ମଧ୍ୟ କରାଯାଉ ନାହିଁ। ଯୁଆଡ଼େ ଚାହିଁବ କୁଢ଼ କୁଢ଼ ମଇଳା ପଡ଼ିଥିବା ଦୃଷ୍ଟିକୁ ଆସିବ। ଯଥାର୍ଥରେ କହିବାକୁ ଗଲେ ସ୍ୱଚ୍ଛ ଭୁବନେଶ୍ୱର ଅଭିଯାନ ଏଠାରେ ଫେଲ୍‌ ମାରିଛି।

ଜନପ୍ରତିନିଧି ଓ ପ୍ରଶାସନର ଦୃଷ୍ଟି ଆଡ଼ୁଆଳରେ ରହିଯାଇଛି ଏହି ସ୍ଥାନ। ଇଡ୍‌କୋ, ବିଏମ୍‌ସି, ବଡିଏ ଓ ପର୍ଯ୍ୟଟନ ବିଭାଗ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମାତ୍ର ଏହି ସ୍ଥାନକୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବରେ ଗଢ଼ି ତୋଳିବାକୁ କାହାର ମଧ୍ୟ ଦରଦ ନାହିଁ। ଏହି ବିଭାଗଗୁଡ଼ିକର ଉପଯୁକ୍ତ ସମନ୍ଵୟ ଓ ଆନ୍ତରିକାତର ଅଭାବ ଶିଖରଚଣ୍ଡୀ ବିକାଶ ନହେବାର ଏକ ପ୍ରମୁଖ କାରଣ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଇତିମଧ୍ୟରେ ଏକ କୋଟି ଟଙ୍କା ମଞ୍ଜୁର୍‌ କରାଯାଇଛି। ମାତ୍ର କେବେ ଏହି ଅର୍ଥ ବିନିଯୋଗ ହେବ ତାହା ସମୟ କହିବ।

ସମ୍ବନ୍ଧିତ ଖବର