ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଶିକ୍ଷାନୀତି-୨୦୧୯ ଉପରେ ରାଜ୍ୟ ସରକାର ମତାମତ ରଖିବେ। ଏନେଇ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରି ଜୁନ୍ ୩୦ ସୁଦ୍ଧା ରିପୋର୍ଟ ପ୍ରଦାନ କରାଯିବ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ଆଜି ଇଡକଲ୍ ପ୍ରେକ୍ଷାଳୟରେ ଆୟୋଜିତ ଜାତୀୟ ଶିକ୍ଷାନୀତି-୨୦୧୯ ଆଲୋଚନାଚକ୍ରରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।
ଦିବସବ୍ୟାପୀ ଆୟୋଜିତ ଏହି କର୍ମଶାଳାରେ ଶିକ୍ଷାନୀତି-୨୦୧୯ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। କିଛି ସଂଶୋଧନ ପ୍ରସ୍ତାବ କର୍ମଶାଳାରେ ଗୃହୀତ ହୋଇଛି। ଯାହାକୁ ପରବର୍ତୀ ସମୟରେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି। ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି କର୍ମଶାଳାରେ ଶିକ୍ଷାବିତ୍ଙ୍କ ଦ୍ବାରା ସନ୍ଦର୍ଭ ଉପସ୍ଥାପିତ ହୋଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ, ଶିକ୍ଷାବିତ୍ ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ, ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ଯୁଗ୍ମ ନିର୍ଦେଶକ ପ୍ରଫେସର ଅମୀୟ ମହାନ୍ତି, ସୁରେନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଶିକ୍ଷାନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରି ପ୍ରସ୍ତାବ ରଖିଥିଲେ। ରାଜ୍ୟର ୩୦ଟି ଜିଲ୍ଲା ଓ ଏକ ସାଙ୍ଗଠନିକ ଜିଲ୍ଲାରୁ ଅଂଶଗ୍ରହଣ କରିଥିବା ଶିକ୍ଷକମାନେ ଚାରୋଟି ଦଳରେ ବିଭକ୍ତ ହୋଇ ଆଲୋଚନ କରିଥିଲେ। ଏହି ଦଳଗତ ଆଲୋଚନାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପୂର୍ବତନ ଯୁଗ୍ମ ନିର୍ଦେଶକ ଚନ୍ଦ୍ରଶେଖର ମହାନ୍ତି, ପୂର୍ବତନ ଗଣଶିକ୍ଷା ନିର୍ଦେଶକ ଶରତ କୁମାର ବିଶ୍ବାଳ, ନିମାଇଁ ଚରଣ ସ୍ବାଇଁ, ଓଷ୍ଟାର ପୂର୍ବତନ ସଭାପତି ଇନ୍ଦୁମାଧବ ମହାନ୍ତି ଭାଗ ନେଇଥିଲେ। ଓଷ୍ଟାର ସଭାପତି ବିନୋଦ ବିହାରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅକ୍ଷୟ କୁମାର ମିଶ୍ର, ପ୍ରେମାନନ୍ଦ ଜେନା, ଭିକାରି ଚରଣ ସାହୁ, ଅକ୍ଷୟ କୁମାର ହୋତା ପ୍ରମୁଖ ସଂଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Untitled-18-10.jpg)