୨୪ ଘଣ୍ଟା ପରେ ବି ଚୁପ୍‌ ବସିଛି ପୁଲିସ: ମହିଳା ସମାଜସେବୀଙ୍କୁ ଥାନାରେ ଦୁର୍ବ୍ୟବହାର ମାମଲା

ପୁରୁଣା ଭୁବନେଶ୍ୱର: ଗତକାଲି ଜଣେ ମହିଳା ସମାଜସେବୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଏନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ ହେବାର ୨୪ଘଣ୍ଟା ବିତିଥିଲେ ମଧ୍ୟ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ। ଏହାକୁ ନେଇ ଥାନା ଅଧିକାରୀଙ୍କ କାର୍ଯ୍ୟ ସନ୍ଦେହ ଘେରକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ଜଣେ ମହିଳାଙ୍କୁ ତାଙ୍କ ଘର ମାଲିକ ଅଶ୍ଳୀଳ ଆଚରଣ କରିବା ନେଇ ସୋମବାର ଅଭିଯୋଗ ହୋଇଥିଲା। ସମାଜସେବୀ ଋତୁରାଣୀ ସେନାପତି ଘଟଣା ସମ୍ପର୍କରେ ଅଭିଯୋଗ କରିବାକୁ ମହିଳାଙ୍କ ସହ ଥାନାକୁ ଆସିଥିଲେ। ତେବେ ଜଣେ ଥାନା ସବ୍‌ ଇନସ୍‌ପେକ୍ଟରଙ୍କ ଉପସ୍ଥିତିରେ ଅଭିଯୁକ୍ତ ଜଣକ ଋତୁରାଣୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ଥାନାରେ ଉତ୍ତେଜନା ଦେଖା ଦେଇଥିଲା। ଋତୁରାଣୀ ଥାନା ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ। ତେବେ ଏହି ଅଭିଯୋଗର ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ନଥିବା ଅଭିଯୋଗ ହୋଇଛି। ଏ ନେଇ ଥାନା ଅଧିକାରୀଙ୍କ କାର୍ଯ୍ୟ ଏବେ ସନ୍ଦେହ ଘେରକୁ ଆସିଛି। ଅନ୍ୟ ପକ୍ଷରେ ପୁଲିସ ପଦକ୍ଷେପ ନନେଲେ ଥାନା ଘେରାଉ କରାଯିବ ବୋଲି ପ୍ରଦୀପ ସେବା ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଦୀପ ପୃଷ୍ଟି କହିଛନ୍ତି।

ସମ୍ବନ୍ଧିତ ଖବର