ଉତ୍ତର ଭୁବନେଶ୍ବରରେ ନିରାଡ଼ମ୍ବର ଶିବରାତ୍ରି, ସଂଧ୍ୟା ପରେ ମନ୍ଦିରରେ ପଡ଼ିଲା ତାଲା

ଚନ୍ଦ୍ରଶେଖରପୁର: ଉତ୍ତର ଭୁବନେଶ୍ବର ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠରେ ନିରାଡ଼ମ୍ବରରେ ମହାଶିବରାତ୍ରି ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନର ପକ୍ଷରୁ ଜାରି କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ, ସଂଧ୍ୟା ୫ଟା ପରେ ମନ୍ଦିର କମିଟି ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ ବାରଣ କରାଯାଇଥିଲା। କିଛି ଶ୍ରଦ୍ଧାଳୁ ମନ୍ଦିର ସାମ୍ନାରେ ଦୀପ ଜାଳି ମହ‌ାଦେବଙ୍କ ଆଶିଷ ଭିକ୍ଷା କରିଥିଲେ। ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ଈଶାନେଶ୍ୱର ମହାଦେବ, ଚନ୍ଦ୍ରଶେଖରପୁର ନୀଳକଣ୍ଠେଶ୍ବର ରାଧାମାଧବଜୀଉ ମନ୍ଦିର, ଶୈଳଶ୍ରୀବିହାର ରଙ୍ଗେଶ୍ବର ଦେବ, ଶିଖରଚଣ୍ଡୀ ନାରାୟଣ ଦେବ, ରଙ୍ଗମାଟିଆ ରଙ୍ଗନାଥ ମହାଦେବ, ମଞ୍ଚେଶ୍ବର ମଞ୍ଚନାଥ ମହାଦେବ, ଭିଏସ୍‌ଏସ୍‌ନଗର ଆଖଣ୍ଡଳମଣୀ, ପଥରଗାଡ଼ିଆ ସିଦ୍ଧେଶ୍ୱର ମହାଦେବ, କଳାରାହାଙ୍ଗ ଜଳେଶ୍ବର ମହାଦେବ ପୀଠରେ କଟକଣା ସହ ଜାଗର ଯାତ୍ରା ଅନୁଷ୍ଠିତ ହୋଇଛି। ଅଧିକାଂଶ ମନ୍ଦିରରେ ରାତି ୧୦ଟା ଭିତରେ ମହାଦୀପ ଉଠିଥିବା ବେଳେ ଅନ୍ୟ କିଛି ପୀଠରେ ସାଢ଼େ ୧୦ଟାରେ ମହାଦୀପ ଉଠିଥିଲା। ଭୋର୍‌ ୫ଟାରୁ ମନ୍ଦିରରେ ଭଗବାନଙ୍କ ନୀତି ନିର୍ଘଣ୍ଟ ଅନୁସାରେ ପୂଜା ଆରମ୍ଭ ହୋଇଥିଲା। ବିଭିନ୍ନ ପୀଠରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ସକାଳ ୬ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଦର୍ଶନ କରିଥିଲେ। ପରେ କୋଭିଡ୍‌ ନିୟମ ଅନୁସାରେ ସବୁ ମନ୍ଦିରର ଫାଟକରେ ତାଲା ପଡ଼ିଯାଇଥିଲାl ଅନେକ ଶ୍ରଦ୍ଧାଳୁ ଓ ଭକ୍ତ ଭଗବାନଙ୍କୁ ଦର୍ଶନ ନ କରି ଅସନ୍ତୁଷ୍ଟ ହୋଇ ଘରକୁ ଫେରିଥିବା ଦେଖିବାକୁ ମିଳିଥିଲା। ହେଲେ କିଛି ମନ୍ଦିରରେ କୋଭିଡ ସଚେତନତାକୁ ସମ୍ପୂର୍ଣ୍ଣ ଫୁ’ କରିଦେଇଥିବା ଦେଖିବାକୁ ମିଳିଥିଲା।

ଈଶାନେଶ୍ୱର ଶୈବପୀଠରେ ପ୍ରତିବର୍ଷ ୧୦ହଜାରରୁ ଊର୍ଧ୍ବ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ ପାଇଁ ଭକ୍ତ ସମାଗମ କମି ଯାଇଥିଲା। ଭୋର୍ ୫ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ୩ ହଜାରରୁ ଊର୍ଧ୍ବ ଲୋକ ମହାଦେବଙ୍କ ଦର୍ଶନ କରିଥିଲେ। ଭୋର୍‌ ୫ଟାରୁ ପ୍ରଥମେ ମହାଦେବଙ୍କ ସୂର୍ଯ୍ୟ ପୂଜା, ୬ଟା ସମୟରେ ମଙ୍ଗଳ ଆଳତି ପୂଜାର୍ଚ୍ଚନା ଆରମ୍ଭ ହୋଇ ଅପରାହ୍‌ଣ ୩ଟା ସମୟରୁ ଅଭିଷେକ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୭ଟା ପରେ ହରିହର ଭେଟ ପୂଜା ଆରମ୍ଭ ହୋଇଥିଲା। ଶେଷରେ ରାତି ସାଢ଼େ ୧୦ଟା ବେଳେ ମହାଦେବଙ୍କ ମହାଦୀପ ଉଠିଥିଲା। ତେବେ ଚଳିତ ବର୍ଷ କୋଭିଡ ପାଇଁ ମନ୍ଦିର ପରିସରରେ କୀର୍ତ୍ତନ, ଭଜନ ସନ୍ଧ୍ୟା ଆଦି ବନ୍ଦ ଥିବା କହିଛନ୍ତି ମନ୍ଦିର କମିଟି ସଭାପତି ପ୍ରାଣକୃଷ୍ଣ ପାଣିଗ୍ରାହୀ।

ସମ୍ବନ୍ଧିତ ଖବର