ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାର‌ କବାଟ ନବୀକରଣ ପ୍ରସଙ୍ଗ: ଭୁଲିଗଲେ କି ରୁପା ଛାଉଣି କଥା?

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ପାଇଁ ନୂଆ କବାଟ ନିର୍ମାଣ ସରିବା ଉପରେ। ଅତି ବେଶିରେ ଆଉ ଦୁଇ ସପ୍ତାହ ଭିତରେ ନିର୍ମାଣ କାମ ସରିବ। କିନ୍ତୁ ସେଥିରେ ରୁପା ଛାଉଣି ହେବ କି ନାହିଁ, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଯଦି ରୁପା ଛାଉଣି ପାଇଁ ତ୍ବରିତ୍ ପଦକ୍ଷେପ ନିଆନଯାଏ, ତେବେ ପୁରୁଣା କବାଟରେ ଲାଗିଥିବା ପିତ୍ତଳ ଚଦରରେ ନୂଆ କବାଟକୁ ଛାଉଣି କରାଯାଇ ସିଂହଦ୍ବାରରେ ଲଗାଇ ଦିଆଯିବ। କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍ଆଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେଣୁ ଶ୍ରୀଲିଙ୍ଗରାଜଙ୍କ ସିଂହଦ୍ବାର କବାଟରେ ରୁପା ଛାଉଣି କରାଯିବା ପ୍ରସଙ୍ଗ ଏବେ ରାଜ୍ୟ ସରକାରଙ୍କ କୋର୍ଟରେ ବୋଲି କୁହାଯାଇଛି।

ଏଏସ୍ଆଇ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ସୂଚନାନୁସାରେ ଏହି କବାଟ ନବୀକରଣ ପାଇଁ ପୂର୍ବରୁ ହୋଇଥିବା ବୈଠକରେ ସେବାୟତମାନେ ରୁପା ଛାଉଣି ପ୍ରସଙ୍ଗ ଉଠାଇଥିଲେ। ଏନେଇ ସେମାନେ ବିଏମ୍‌ସି କମିସନର ସଂଜୟ ସିଂହଙ୍କୁ ଅନୁରୋଧ କରିଥିଲେ। ୪ ସେବାୟତ ନିଯୋଗର ଅନୁରୋଧକ୍ରମେ ବିଏମ୍‌ସି କମିସନର ଶ୍ରୀ ସିଂହ ଏନେଇ ଉଦ୍ୟମ କରିବେ ବୋଲି କଥା ଦେଇଥିଲେ। ମାତ୍ର କବାଟ ତିଆରି ସରିବା ଉପରେ ହୋଇଥିଲେ ବି ରୁପା ଛାଉଣି କଥା ବାବଦରେ କିଛି ସୂଚନା ନାହିଁ।

ତେଣୁ ୧୫ ଦିନ ଭିତରେ ରୁପା ଛାଉଣି କଥା କିଛି ନହେଲେ, ସେମାନେ ପୁରୁଣା ପିତ୍ତଳ ଚଦର ଛାଉଣି କରି କବାଟ ଝୁଲାଇଦେବେ। ଏଏସ୍‌ଆଇ ପକ୍ଷରୁ ନିର୍ମାଣ ହେଉଥିବା ଏହି ନୂଆ କବାଟ ପାଇଁ ବନ ନିଗମରୁ ଶାଗୁଆନ୍‌ କାଠ ଅଣାଯାଇଛି। ୧୫ଫୁଟ୍‌ ଲମ୍ବ ଓ ୫ ଫୁଟ୍‌ ଚଉଡ଼ା ବିଶିଷ୍ଟ କବାଟରେ ମୋଟ୍ ୮୨ କ୍ୟୁବିକ୍‌ ଫୁଟ୍‌ କାଠ ଲାଗିଛି।

ସୂଚନା ଥାଉକି, ୧୯୮୦ ମସିହାରେ ସିଂହଦ୍ବାର କବାଟରେ ପିତ୍ତଳ ଛାଉଣି କରାଯାଇଥିଲା। ଗତ କିଛି ବର୍ଷ ହେଲା କବାଟ ଦୁର୍ବଳ ହୋଇଯିବାରୁ ନୂଆ କବାଟ କରାଯାଉଛି।

ସମ୍ବନ୍ଧିତ ଖବର