ଭୁବନେଶ୍ବର: ବିଡିଏ ନଥିଲେ ରାଜଧାନୀ ଭୁବନେଶ୍ବର ବିଶ୍ବସ୍ତରରେ ପ୍ରସଂଶିତ ହୋଇ ପାରିନଥାନ୍ତା। ପ୍ରବଳ ବର୍ଷାରେ ମୁମ୍ବାଇ, ଚେନ୍ନାଇରେ ଯେଉଁ ପରିସ୍ଥିତି ଉପୁଜୁଛି, ସେଭଳି ପରିସ୍ଥିତି ଭୁବନେଶ୍ବରରେ ହେଉନାହିଁ। କର୍ମଚାରୀଙ୍କ ଦକ୍ଷତା, ମନୋବଳ ଓ ଅକ୍ଳାନ୍ତ ପରିଶ୍ରମ ବଳରେ ଏସବୁ ସମ୍ଭବ ହୋଇ ପାରିଛି। ଏହି କର୍ମଚାରୀମାନଙ୍କୁ ଆର୍ଥିକ ମଜଭୁତ କରିବାକୁ ଋଣ ଓ ମିତବ୍ୟୟ ସମିତି ଉଦ୍ୟମ କରୁ। ବିଡିଏ କର୍ମଚାରୀ ସମବାୟ ଋଣ ଓ ମିତବ୍ୟୟ ସମିତିର ରୌପ୍ୟ ଜୟନ୍ତୀ ଅବସରରେ ବିଡିଏ କାର୍ଯ୍ୟାଳୟରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଅନନ୍ତ ନାରାୟଣ ଜେନା ଏହା କହିଛନ୍ତି। ସମ୍ମାନିତ ଅତିଥି ବିଶ୍ବଜିତ ମହାନ୍ତି ଯୋଗଦେଇ ଅର୍ଥ ଜମା ହୋଇ ରହିବା ଅପେକ୍ଷା ତାହାକୁ ବିନିଯୋଗ କରି ଆର୍ଥିକ ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ।
ଅନ୍ୟତମ ଅତିଥି ବିଡିଏର ଅର୍ଥ ସଦସ୍ୟ ରୁଦ୍ର ନାରାୟଣ ଆଚାର୍ଯ୍ୟ ଯୋଗଦେଇ ପଡ଼ି ରହିଥିବା ଜମି କିଭଳି ବିନିଯୋଗ ହୋଇପାରିବ ଓ କର୍ମଚାରୀଙ୍କ ହିତ ପାଇଁ ବିଡିଏର କିଭଳି ଏକ କର୍ପସ ଫଣ୍ଡ ସୃଷ୍ଟି କରାଯାଇ ପାରିବ, ତାହା ଉପରେ ଆଲୋକପାତ କରିଥିଲେ। ସମିତିର ସଭାପତି ଶୁଭ୍ରାଂଶୁ ଶେଖର ମହାନ୍ତି ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ କୁଳମଣି ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବାର୍ଷିକ ରିପୋର୍ଟ ଉନ୍ମୋଚିତ ହେବା ସହ ସମିତିର ସଭ୍ୟମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁଶାନ୍ତ ରାଉତ, ବିଡିଏ ସଚିବ କବୀନ୍ଦ୍ର ସାହୁ, ବିଡିଏ କର୍ମଚାରୀ ୟୁନାଇଟେଡ୍ ଫୋରମ୍ ଉପଦେଷ୍ଟା ତଥା ଜଟଣୀର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ସମିତିର ପରିଚାଳନା ସଦସ୍ୟ ପ୍ରମୋଦ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ।