ଖଣ୍ଡଗିରି: ବିଦ୍ୟାଳୟ ସମୟର ସ୍ମୃତି ସବୁବେଳେ ଅବିସ୍ମରଣୀୟ ହୋଇ ରହିଥାଏ। ତେଣୁ ଏଭଳି ସମୟକୁ ଭରପୂର ଉପଭୋଗ କରିବା ସହିତ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ। ଛାତ୍ରଛାତ୍ରୀମାନେ କେବଳ ଆମ ଦେଶର ଭବିଷ୍ୟତ ନୁହନ୍ତି, ସେମାନେ ବର୍ତ୍ତମାନର ମଧ୍ୟ ଭବିଷ୍ୟତ। ଏବେଠାରୁ ଛାତ୍ରଛାତ୍ରୀମାନେ ପୃଥିବୀ, ପରିବେଶ, ପ୍ରକୃତି ବିଷୟରେ ଚିନ୍ତାକରି ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ସେହିପରି ଅଭିଭାବକ, ଶିକ୍ଷକ, ବର୍ତ୍ତମାନର ଛାତ୍ର ଓ ପୁରାତନ ଛାତ୍ର ଏହିଭଳି ୪ଟି ସ୍ତମ୍ଭର ଯୋଗଦାନ ହିଁ ବିଦ୍ୟାଳୟକୁ ଦୀର୍ଘାୟୁ କରିବ। ଜୟଦେବବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ‌‌ର ଦ୍ବିତୀୟ ସଂଧ୍ୟାରେ ‌ଯୋଗଦେଇ ବିଶିଷ୍ଟ ଅତିଥି ମାନେ ଏଭଳି ମତ ପ୍ରକାଶ କରିଛନ୍ତି।

Advertisment

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ସମ୍ମାନିତ ଅତିଥି ଭାବେ ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଫେସର ମଧୁମିତା ଦାସ, ଡାକ୍ତର କ୍ଷୀ‌‌‌ରୋଦ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ଅଭିଭାଷଣ ରଖିଥିଲେ। ବିଧାୟକ ଶ୍ରୀ ଜେନା କହିଥିଲେ, ଯେଉଁ ବିଦ୍ୟାଳୟକୁ ଅଭିଭ‌ାବକ ଆସନ୍ତି ନାହିଁ ତା’ର ଉନ୍ନତି କେବେ ସମ୍ଭବ ନୁହେଁ। ସେହିପରି ଶ୍ରୀମତୀ ପଟ୍ଟନାୟକ ବିନା ମୂଲ୍ୟରେ ମିଳିଥିବା ସମସ୍ତ ପ୍ରାକୃତିକ ସମ୍ପଦର ଯଥା ସମ୍ଭବ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ।

ସଭାପତି ବ୍ରଜ କିଶୋର ଶର୍ମାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସମ୍ପାଦକ ବାଣୀବ୍ରତ ତ୍ରିପାଠୀ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ନିଶାନ କୁମାର ବିଶ୍ବାଳ ରଜତ ଜୟନ୍ତୀ ଉତ୍ସବର ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ଶାନ୍ତି ବେହେରା, କୋଷାଧ୍ୟକ୍ଷ ଫଗୁ ବାରିକ, ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ତପନ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ।

ଅତିଥିମାନେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ଶ୍ରୀକାନ୍ତ ଗୌତମଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହିତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ରଶ୍ମିବାଳା ସ୍ବାଇଁ ଧନ୍ୟବାଦ ଦେଇଥିଲେ।