ଭୁବନେଶ୍ବର: ନାମ ସଂକୀର୍ତ୍ତନ ଓଡ଼ିଶାର ପୁରାତନ ପରମ୍ପରା ଓ ସଂସ୍କୃତି। ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘ ଏହି ପରମ୍ପରାକୁ ବଜାୟ ରଖିଛି। ରାଜ୍ୟ ସରକାର ମଧ୍ୟ ସବୁବେଳେ କଳାକାରଙ୍କ ସହ ରହିଛନ୍ତି। ଓଡ଼ିଶା ସଂସ୍କୃତି ସହ ଜଡ଼ିତ ରହିଥିବା ପ୍ରାୟ ୫୦ହଜାର ବ୍ୟକ୍ତିବିଶେଷଙ୍କୁ କଳାକାର ଭତ୍ତା ପ୍ରଦାନ କରାଯାଉଛି। ଯେଉଁମାନେ ଏହି ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ମଧ୍ୟ ତାଲିକାରେ ସାମିଲ କରାଯିବ ବୋଲି ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘର ରୌପ୍ୟ ଜୟନ୍ତୀ ଓ ଆଜାଦି କା ଅମୃତ ମହୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।
ମହାସଂଘର ସଭାପତି ବିଷ୍ଣୁ ଚରଣ ମହାନ୍ତିଙ୍କ ସଭାପତିତ୍ବରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ମହୋତ୍ସବରେ ଗଣେଶ୍ବର ସ୍ବାଇଁ ମୁଖ୍ୟବକ୍ତା, ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ କୁମାର ମିଶ୍ର ସମ୍ମାନିତ ଅତିଥି, ମହାସଂଘ ସମ୍ପାଦକ ମଦନ ମୋହନ ଦାଶ ପ୍ରମୁଖ ଉପସ୍ଥିତ ରହି ନାମ ସଂକୀର୍ତ୍ତନ ଦ୍ବାରା ମଣିଷ ଭଗବାନଙ୍କ ନିକଟତର ହୋଇପାରେ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସ୍ବାମୀ ଶିବ ଚିଦାନନ୍ଦ ସରସ୍ବତୀ, ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ, ସ୍ବାମୀ ସତ୍ୟାନନ୍ଦ ସରସ୍ବତୀ, ବାବା ରମାକାନ୍ତ ଦାସଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ସାଧୁସନ୍ଥଙ୍କ ସମେତ ନାମ ସଂକୀର୍ତ୍ତନ କଳାକାର ଉପସ୍ଥିତ ଥିଲେ। ମହାସଂଘ ଉପଦେଷ୍ଟା ଦ୍ବାରିକାନାଥ ସେନାପତି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବାବା ପଞ୍ଚଦେବ ପରିଚୟ ପ୍ରଦାନ ଓ ସଞ୍ଜୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ମହାସଂଘ ପକ୍ଷରୁ ୧୦ ଦଫା ଦାବି ଉପସ୍ଥାପନ କରାଯାଇଛି। ସଂକୀର୍ତ୍ତନ ମଣ୍ଡଳୀଗୁଡ଼ିକର ଝାଞ୍ଜ, ମୃଦଙ୍ଗ ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ଅନୁଦାନ ପ୍ରଦାନ, ପ୍ରତ୍ୟେକ ସଂକୀର୍ତ୍ତନ ମଣ୍ଡଳୀକୁ ଲୋକକଳା ମଣ୍ଡଳୀରେ ଗ୍ରହଣ କରାଯାଇ ସ୍ବୟଂ ସହାୟକ ଗୋଷ୍ଠୀର ମାନ୍ୟତା, ପୂର୍ବ ବିଚାରକୁ ନିର୍ଦ୍ଧାରିତ କରି ସଂକୀର୍ତ୍ତନକୁ ‘ମା କଳା’ ରୂପେ ଘୋଷଣା, ସଂକୀର୍ତନ କଳାର ସୁରକ୍ଷା ପାଇଁ ପ୍ରଶିକ୍ଷଣ କେନ୍ଦ୍ର ଲାଗି ସରକାରୀ ବାସଗୃହ ଜମି ଯୋଗାଇ ଦେବାକୁ ଦାବି କରାଯାଇଛି। ଏଥିସହ ଲୋକକଳା କାର୍ଯ୍ୟକ୍ରମଗୁଡ଼ିକରେ ସଂକୀର୍ତ୍ତନକୁ ସ୍ଥାନିତ କରିବା, ବିଶିଷ୍ଟ ସଂକୀର୍ତନ କଳାକାରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ। ସଙ୍ଗୀତନ ନାଟକ ଏକାଡେମି ଦ୍ବାରା ପ୍ରଦତ୍ତ ପୁରସ୍କାରରେ ସଂକୀର୍ତ୍ତନ କଳା ପାଇଁ ସ୍ବତନ୍ତ୍ର ପୁରସ୍କାର ବ୍ୟବସ୍ଥା କରିବାକୁ ମହାସଂଘ ଦାବି କରିଛି।