ଝାରପଡ଼ା ଜେଲ୍‌ରୁ ସିମ୍ ଓ ନିଶାଦ୍ରବ୍ୟ ମିଳିବା ଘଟଣା: ସିମ କାର୍ଡର ହେବ କଲ୍ ଡିଟେଲ୍ସ ଯାଞ୍ଚ

କାହା ଜରିଆରେ ଭିତରକୁ ଯାଉଥିଲା ନିଶାଦ୍ରବ୍ୟ?

ଭୁବନେଶ୍ବର: କମିସନରେଟ ପୁଲିସ ପକ୍ଷରୁ ଝାରପଡ଼ା ସ୍ବତନ୍ତ୍ର ଜେଲ ଉପରେ ଚଢ଼ଉ କରାଯିବା ଓ ଜେଲ ଭିତରୁ ନିଶାଦ୍ରବ୍ୟ ଓ ସିମ୍‌ କାର୍ଡ ମିଳିବା ଘଟଣାର ତଦନ୍ତ ଆରମ୍ଭ କଲା ଜେଲ ବିଭାଗ। କେଉଁ ପରିସ୍ଥିତିରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଜେଲ ଭିତରକୁ ଗଞ୍ଜେଇ, ସିଗାରେଟ, ବିଡ଼ି, ଖଇନି, ଗୁଟ୍‌ଖା ଭଳି ନିଶାଦ୍ରବ୍ୟ ଓ ସିମ୍‌କାର୍ଡ ଗଲା ତାର ଅନୁସନ୍ଧାନ ହେବ। ଯଦି କୌଣସି କର୍ମଚାରୀ ଏଥିରେ ସଂପୃକ୍ତ ଥିବା ଜଣାପଡ଼େ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେଲ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଉକ୍ତ ଅଧିକାରୀଙ୍କ କହିବା ମୁତାବକ, ଜେଲରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସହିତ ସମସ୍ତ ପ୍ରବେଶ, ପ୍ରସ୍ଥାନ ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସିସି କ୍ୟାମେରା ଲାଗିଛି। ଜେଲ ସୁପରିନ୍‌ଟେଣ୍ଡେଣ୍ଟଙ୍କ ରୁମ୍‌ରେ ସିସି ଟିଭିର କଂଟ୍ରୋଲ ରୁମ ରହିଛି। ଛୁଞ୍ଚିଟିଏ ପଡ଼ିଗଲେ ମଧ୍ୟ ସିସି କ୍ୟାମେରାରେ ରେକର୍ଡିଂ ହୋଇ ରହୁଛି। ଜେଲ ଭିତରେ ଥିବା କଏଦୀମାନଙ୍କୁ ଭେଟିବାକୁ ଆସୁଥିବା ସମ୍ପର୍କୀୟମାନଙ୍କୁ ଜେଲ ଗେଟ ପାଖରୁ ମୋବାଇଲ୍ ଫୋନ ବାରଣ କରୁଛନ୍ତି ସୁରକ୍ଷା କର୍ମୀ। ଜେଲ ଫାଟକ ନିକଟରେ କଡ଼ା ପ୍ରହରା। ତେବେ ଏଭଳି ପରିସ୍ଥିତିରେ କେମିତି ଜେଲ ଭିତରକୁ ନିଶାଦ୍ରବ୍ୟ ପଶୁଛି ତାହା ଜେଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। କିଏ ଜେଲ ଭିତରକୁ ଏ ସବୁ ସାମଗ୍ରୀ ନେଉଛି ? କଏଦୀ ନେଉଛନ୍ତି ନା କର୍ମଚାରୀଙ୍କ ମାଧ୍ୟମରେ ଏହା ଭିତରକୁ ଯାଉଛି। ଯଦି କଏଦୀ ନେଉଛନ୍ତି, ଯାଞ୍ଚବେଳେ ଧରା ପଡ଼ୁନାହାନ୍ତି କିଭଳି ? ନା ଜାଣିଶୁଣି ସେଗୁଡ଼ିକ ଭିତରକୁ ଛଡ଼ା ଯାଉଛି ଏହାର ତଦନ୍ତ ହେବା ଆବଶ୍ୟକ ବୋଲି କମିସନରେଟ ପୁଲିସର ଜଣେ ଅଧିକାରୀ କହିଛନ୍ତି। ସେହିପରି ଜବତ ହୋଇଥିବା ସିମ୍‌କାର୍ଡକୁ ନେଇ ଲକ୍ଷ୍ମୀସାଗର ଥାନା ପୁଲିସ ମଧ୍ୟ ଅନୁସନ୍ଧାନ ଆରମ୍ଭ କରିଛି। ସେହି ମୋବାଇଲ ନମ୍ବର କାହାର। କାହା ନାଁରେ ସିମ୍‌ ରହିଛି। ସେହି ସିମରୁ କିଏ, କାହା ପାଖକୁ କଲ କରିଛି ତାର ତଦନ୍ତ କରିବ ପୁଲିସ। ଏଥିପାଇଁ ପୁଲିସ ସେହି ସିମ୍‌ କାର୍ଡର କଲ୍ ଡିଟେଲ୍ସ ମଗାଇଛି।

ଏ ସମ୍ପର୍କରେ ଜେଲ ସୁପରିନ୍‌ଟେଣ୍ଡେଣ୍ଟ ଶୁଭକାନ୍ତ ମିଶ୍ର କୁହନ୍ତି, କମିସନରେଟ ପୁଲିସ ପକ୍ଷରୁ ଜେଲରେ ଚଢ଼ଉ ହେବା ପରେ ଜେଲ ବିଭାଗ ପକ୍ଷରୁ ଭିତରି ତଦନ୍ତ ଆରମ୍ଭ ହୋଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଠାରେ ପ୍ରକାଶଥାଉକି, ଗତକାଲି ଝାରପଡ଼ା ଜେଲ୍‌ରେ କମିସନରେଟ ପୁଲିସ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ଜେଲ୍‌ର ବିଭିନ୍ନ ୱାର୍ଡରୁ ୨ ହଜାର ପାଖାପାଖି ଟଙ୍କା, ଗୋଟିଏ ଭୋଡ଼‌ାଫୋନ୍‌ ସିମକାର୍ଡ, ଗଞ୍ଜେଇ, ସିଗାରେଟ, ବିଡି, ଗୁଟ୍‌ଖା, ଖଇନି, ଷ୍ଟାପଲର, ଲାଇଟର, ଚିଲମ, ହାପିଡେଣ୍ଟ ଚୁଇଁଗମ୍‌, ଅଶ୍ଳୀଳ ପୁସ୍ତକ ଆଦି ଜବତ କରାଯାଇଥିଲା। ନିର୍ବାଚନ ଆୟୋଗଙ୍କ ନିର୍ଦେଶ ମୁତାବକ ଏହି ଚଢ଼ଉ କରାଯାଇଥିଲା ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର