ମାତିଛନ୍ତି ସାଇବର ଠକ : ଉପଭୋକ୍ତାଙ୍କ ଅଜାଣତରେ ସ୍ବାପ୍‌ ହେଉଛି ସିମ୍‌ କାର୍ଡ

ଭୁବନେଶ୍ବର : ସରକାରୀ ବିଧିବ୍ୟବସ୍ଥା ଯେତିକି ଡିଜିଟାଲ ହେଉଛି, ସାଇବର ଠକ ଅନୁରୂପ ଢଙ୍ଗରେ ମାତୁଛନ୍ତି। କେବଳ ବ୍ୟବସ୍ଥାରେ ଉନ୍ନତି ଅଣାଯାଉଥିବା ବେଳେ ଏହାର ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ପୂର୍ବରୁ ଏପରି ଅନେକ ଉଦାହରଣ ଥିବା ବେଳେ ଆଜି ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଉପଭୋକ୍ତାଙ୍କ ଅଜାଣତରେ ରାତାରାତି ମୋବାଇଲ ସିମ୍‌କାର୍ଡ ସ୍ବାପ୍‌ ହୋଇଯାଇଛି। ଉପଭୋକ୍ତାଙ୍କ ପାଖରେ ସିମ୍‌ ଥି‌ଲେ ମଧ୍ୟ ତାକୁ ଆଉ ଜଣେ ବ୍ୟବହାର କରୁଛି।

ମୋବାଇଲ ନମ୍ବର ଏବେ ଆଧାର କାର୍ଡଠାରୁ ଆରମ୍ଭ କରି ବ୍ୟାଙ୍କ୍‌ ଜମା-ଉଠାଣ ସମସ୍ତ କାରବାରରେ ସଂଯୋଗ ରହିଛି। ଏଣୁ ସମ୍ପୃକ୍ତ ଦୁର୍ବୃତ୍ତ ଏହି ସବୁ କାରବାର ମୋବାଇଲ ଜରିଆରେ କରିବାର ଆଶଙ୍କା ରହିଛି। ଉପଭୋକ୍ତା ଜାଣିବା ପରେ ନିଜ ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ଉଠାଇ ଆଣିଛନ୍ତି। ନମ୍ବର ଲିଙ୍କ୍‌ ଥିବା ସମସ୍ତ ବ୍ୟବସ୍ଥାରୁ ଏହି ନମ୍ବର ସଂଯୋଗୀକରଣକୁ ବିଚ୍ଛିନ୍ନ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। କୌଣସି ନୂଆ କିମ୍ବା ଘରୋଇ ସଂସ୍ଥାର ନୁହେଁ, ବରଂ ‌ସରକାରୀ ଉଦ୍ୟୋଗ ବିଏସ୍‌ଏନ୍‌ଏଲ୍‌ରେ ଏଭଳି ଘଟଣା ଘଟିଛି। ଏଭଳି ଠକାମିର ଶିକାର ହୋଇଛନ୍ତି ଧଉଳି ଥାନା ଅଧୀନ ଲିଙ୍ଗିପୁରର ଜ୍ୟୋତି ରଞ୍ଜନ ଦାସ। ଏନେଇ ସେ ଧଉଳି ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ଜ୍ୟୋତିରଞ୍ଜନ ଏସ୍‌‌ଜେପିଏଲ୍‌ ନାମକ ଏକ ଘରୋଇ ସଂସ୍ଥାର ମୁଖ୍ୟ ଅଟନ୍ତି। ଆଜି ସକାଳେ ତାଙ୍କର ମୋବାଇଲ ନେଟ୍‌ୱର୍କ ହଠାତ୍‌ ଗାଏବ୍‌ ହୋଇଯାଇଥିଲା। ଜଣେ ବନ୍ଧୁ ତାଙ୍କ ଘରେ ପହଞ୍ଚି ‘ମୋବାଇଲ ଉଠାଉଛୁ, କିଛି କହୁନୁ କାଟି ଦେଉଛୁ’ ବୋଲି କହିବାରୁ ଜ୍ୟୋତିଙ୍କ ସନ୍ଦେହ ହୋଇଥିଲା। ଜ୍ୟୋତି ଓ ତାଙ୍କ ବନ୍ଧୁ ସମ୍ପୃକ୍ତ ନମ୍ବରକୁ ଫୋନ୍‌ କରିବାରୁ ତାହା ରିଂ ହେବା ସହ ଆଉ ଜଣେ ଉଠାଇଥିଲା। ଏଥିରେ ଛାନିଆ ହୋଇ ଜ୍ୟୋତି ବିଏସ୍‌ଏନ୍‌ଏଲ୍‌, ପରେ ସାଇବର ଥାନା ସହ ଯୋଗାଯୋଗ କରିଥିଲେ। କଟକ ସାଇବର୍‌ ଥାନାର ନମ୍ବର(୦୬୭୧-୨୩୦୫୪୮୫) ଯୋଗାଗଯୋଗ କରିବାରୁ ତାହା ‘ଦ ଡାଏଲ ନମ୍ବର ଡଜ୍‌ ନଟ୍‌ ଏଗ୍‌ଜିଷ୍ଟ’ ବୋଲି ଉତ୍ତର ମିଳିଥିବା ବେଳେ ବିଏସ୍‌ଏନ୍‌ଏଲ୍‌ର କଷ୍ଟମର୍‌ କେୟାର ଅଧିକାରୀଙ୍କ ଉତ୍ତର ସନ୍ତୋଷଜନକ ନଥିଲା। ସବୁଆଡ଼ୁ ହତାଶ ହେବା ପରେ ଶେଷରେ ଜ୍ୟୋତି ଧଉଳି ଥାନାରେ ଅଭିଯୋଗ କରିଥିଲେ। ଆସନ୍ତାକାଲି ସେ କଟକ ଯାଇ ସାଇବର ଥାନାରେ ଏତଲା ଦେବା ସହ ଡିଜିଙ୍କୁ ଭେଟିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର