ଉଦ୍‌ଘାଟନ ପରଠାରୁ ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ, ଅନ୍ଧାରରେ ପୁରୀ କେନାଲ ରାସ୍ତା

ବଢ଼ୁଛି ଅପରାଧ

ଚନ୍ଦ୍ରଶେଖରପୁର: ଉଦ୍‌ଘାଟନ ହେଲା। ପରୀକ୍ଷାମୂଳକ ଭାବେ ଗୋଟିଏ ଦିନ ଷ୍ଟ୍ରିଟ ଲାଇଟ୍‌ ଜଳିଲା। ମାତ୍ର ତା’ ପରଠୁ ଯେଉଁ ଅନ୍ଧାରକୁ ସେଇ ଅନ୍ଧାର। ମଞ୍ଚେଶ୍ବର ଥାନା ଅଧୀନ ପୁରୀ କେନାଲ୍ ରାସ୍ତାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ଯୋଗୁଁ ବିଏମ୍‌ସି ୱାର୍ଡ-୪ ଅଧୀନ ହଂସପାଳ ଠାରୁ ପୁରୀ କେନାଲ୍ ରାସ୍ତାର ମେଟ୍ରୋ ସାଟେଲାଇଟ୍, ଶିବଶକ୍ତି ନଗର, ଭାରତ ଭିଲ୍ଲା, ଅ‌ଣ୍ଡିଲୋ ଓ ହଂସାପାଳକୁ ସଂଯୋଗ କରୁଥିବା କେନାଲ୍ ରୋଡରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିଲା। ସ୍ଥାନୀୟ ଲୋକ ବିଧାୟକଙ୍କ ନିକଟରେ ଦାବି କରିବାରୁ ଗୋଟିଏ ଦିନପାଇଁ ‌ଷ୍ଟ୍ରିଟ୍ ଲାଇଟ୍ ଜଳିବା ସହ ପରୀକ୍ଷାମୂଳକ ଭାବେ ପ୍ରତି ଛକକୁ ‌ଆଲୋକୀକରଣ କରାଯାଇଥିଲା।

ମାତ୍ର ଗତ ୧୦ ମାସ ହେଲା ସମ୍ପୃକ୍ତ ରାସ୍ତା ଅନ୍ଧାରରେ ରହିଛି। ସଂଧ୍ୟା ହେଲେ ଉକ୍ତ ରାସ୍ତାରେ ଲୁଟ୍‌ ଓ ରାହାଜାନୀ ବଢ଼ୁଛି। ଲୁଟେରାମାନେ ଅନ୍ଧାରର ସୁଯୋଗ ନେଇ ଅପରାଧ ଘଟାଉଥିବା ଜଣାପଡ଼ିଛି। ବର୍ତମାନ ଉକ୍ତ ସ୍ଥାନ ଅନ୍ଧାରରେ ଥିଲେ ମଧ୍ୟ ଉତ୍ତର ମଣ୍ଡଳ ବିଏମ୍‌ସି ଅଧିକାରୀ କିମ୍ବା ବିଦ୍ୟୁତ ବିଭାଗ ଘଟଣାସ୍ଥଳ ଯାଞ୍ଚ କରିନାହାନ୍ତି। କର୍ପୋରେଟରଙ୍କ କାର୍ଯ୍ୟକାଳ ସରିଯାଇଥିବାରୁ ଲୋକଙ୍କ ସମସ୍ୟା ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି। ତୁରନ୍ତ ଉକ୍ତ ସ୍ଥାନକୁ ଆଲୋକୀକରଣ କରାନଗଲେ। ସ୍ଥାନୀୟ ଲୋକ ଜାତୀୟ ରାଜପଥ ଅବରୋଧ କରି ଦାବି ଉପସ୍ଥାପନ କରିବା ପାଇଁ ଯୋଜନା କରୁଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର