ଧଉଳି: ପାଖାପାଖି ୪/୫ମାସର ବ୍ୟବଧାନ ପରେ ଧଉଳି ଥାନା ଅଞ୍ଚଳକୁ ଫେରିଛି ସିନ୍ଧିଚୋରି। ଗତକାଲି ବିଳମ୍ବିତ ରାତିରେ ଏକ ୪ଜଣିଆ ସିନ୍ଧିଚୋର ଦଳ ଜଣେ ଆସବାବପତ୍ର କାରିଗର ତଥା ବ୍ୟବସାୟୀଙ୍କ ଘରୁ ପ୍ରାୟ ୭୦ ଗ୍ରାମ୍ର ସୁନାଗହଣା ଲୁଟି ନେଇଛନ୍ତି। ଲୁଟ୍ର ଶିକାର ବ୍ୟକ୍ତି ହେଲେ ନାଥପୁର ଗାଁରେ ଭଡ଼ାଘରେ ରହୁଥିବା ପ୍ରାଣକୃଷ୍ଣ ମହାରଣା। ଦୁର୍ବୃତ୍ତମାନେ ତାଙ୍କ ଆଲ୍ମିରା ତାଡ଼ି ୨ଟି ହାର, ୨ଟି ଚେନ୍, ୨ଟି ବ୍ରେସ୍ଲେଟ୍, ହଳେ ବାହୁଟି, ୨ହଳ କାନଫୁଲ, ଗୋଟିଏ ମଙ୍ଗଳସୂତ୍ର, ନାକଫୁଲ, ଲକେଟ୍ ଓ ମୁଦି ଆଦି ଗହଣା ସହ ନଗଦ ୧୭ହଜାର ଟଙ୍କା ଚୋରି କରିନେଇଛନ୍ତି।
ଲୁଟ୍ ଗହଣାର ବଜାର ମୂଲ୍ୟ ୭ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପ୍ରାଣକୃଷ୍ଣ ଅଭିଯୋଗ କରିଛନ୍ତି। ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ଛାନ୍ଭିନ୍ କରିବା ସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସିସିଟିଭି ଯାଞ୍ଚ କରିଛି। ଘର ମାଲିକଙ୍କ ସିସିଟିଭି ଫୁଟେଜ୍ରେ ୪ଜଣ ସିନ୍ଧିଚୋରଙ୍କୁ ଦେଖିବାକୁ ମିଳିଛି। ମାତ୍ର ମୁହଁରେ ଗାମୁଛା ବାନ୍ଧିଥିବାରୁ ସେମାନଙ୍କୁ ଚିହ୍ନିବା ସମ୍ଭବ ହୋଇନାହିଁ।
ପ୍ରାଣକୃଷ୍ଣଙ୍କ ନିଜ ଘର ବାଳକାଟି ଫାଣ୍ଡି ଅଧୀନ ହୀରାପୁର ଗ୍ରାମରେ। କିନ୍ତୁ ସେ ନିଜ ବ୍ୟବସାୟ ପାଇଁ ନାଥପୁରରେ ଘରଭଡ଼ା ନେଇ ରହୁଛନ୍ତି। ଜଣେ ଜଣାଶୁଣା କାଠମିସ୍ତ୍ରି ହୋଇଥିବାରୁ ଖଟ, ପଲଙ୍କ, ସୋଫା, ଡାଇନିଂ ସେଟ୍ ଭଳି ଆସବାବପତ୍ର ତିଆରି ପାଇଁ ତାଙ୍କୁ ବରାଦ ମିଳେ। ଗତକାଲି ସେ ପତ୍ନୀ ଓ ପିଲାଙ୍କ ସହିତ ପାଞ୍ଚଗାଁକୁ ଅପେରା ଦେଖିବାକୁ ଯାଇଥିଲେ। ଯାତ୍ରା ଦେଖି ଭୋର୍ ସମୟରେ ଘରକୁ ଫେରିବାବେଳେ କବାଟ ମେଲା ଥିବା ଦେଖିବାକୁ ପାଇଥିଲେ। ଭିତରକୁ ଯାଇ ଦେଖନ୍ତି ଯେ ଆଲ୍ମିରା ତଡ଼ା ହୋଇଛି ଏବଂ ଦୁର୍ବୃତ୍ତମାନେ ଭିତରୁ ସବୁ ଗହଣାଗାଣ୍ଠି ଓଳେଇ ସଫା କରିଦେଇଛନ୍ତି।
ସୂଚନାଯୋଗ୍ୟ ଯେ ୬ମାସ ପୂର୍ବେ ଏହି ଅଞ୍ଚଳରେ ଘନଘନ ସିନ୍ଧିଚୋରି ହେଉଥିଲା। ସିନ୍ଧିଚୋର ଗ୍ୟାଙ୍ଗ୍ ଆପାର୍ଟମେଣ୍ଟ ଓ ବିଭିନ୍ନ ନୂଆ କଲୋନିକୁ ଟାର୍ଗେଟ୍ କରୁଥିଲେ। ସେତେବେଳେ ଲଗାତାର ସିନ୍ଧିଚୋରି କମିସନରେଟ୍ ପୁଲିସର ନିଦ ହଜାଇ ଦେଇଥିଲା। କିନ୍ତୁ ଫେବ୍ରୁଆରି ୧୭ ତାରିଖରେ ମଧ୍ୟପ୍ରଦେଶ ଧର୍ ଜିଲ୍ଲା ରାଜାଗଡ଼ ଅଞ୍ଚଳର ଧର୍ ଗ୍ୟାଙ୍ଗ୍ ମୁଖିଆ ଅର୍ଜୁନ ଅନାରେକୁ ଏନ୍କାଉଣ୍ଟର କରାଯିବା ପରେ ସିନ୍ଧିଚୋରି ଥମିଥିଲା। ଗତକାଲିର ସିନ୍ଧିଚୋରି କିଛି ସ୍ଥାନୀୟ ଠାଉକା ଚୋରଙ୍କ କାଣ୍ଡ ବୋଲି ଚର୍ଚ୍ଚା ହେଉଛି। ସପରିବାର ଘରଛାଡ଼ି ଅପେରା ଦେଖିବାକୁ ଯିବା ପ୍ରାଣକୃଷ୍ଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/loot.jpg)