ଭୁବନେଶ୍ବର: ୧୦ ତାରିଖ ରାତିରେ ପଣ୍ଡା ପାର୍କ ଅଞ୍ଚଳରୁ ହୋଇଥିବା ଏକ ସିନ୍ଧିଚୋରି ମାମଲାର ପର୍ଦ୍ଦାଫାସ୍‌ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ଚୋର ସହ ଚୋରି ଅଳଙ୍କାର କିଣିଥିବା ବଣିଆକୁ ପୁଲିସ ବାନ୍ଧିଛି। ସେମାନେ ହେଲେ କୁଖ୍ୟାତ ସିନ୍ଧିଚୋର ଯାଜପୁର ଚିନ୍ତାପଲ୍ଲୀ ଗାଁର ପ୍ରୀତିରଞ୍ଜନ ବିଶ୍ବାଳ ଓ ତା’ଠାରୁ ଚୋରି ଗହଣା କିଣିଥିବା କଟକ ମଙ୍ଗଳବାଗ ଥାନା ନଗଣା ଲେନ୍‌ର ବଣିଆ ଅମର ମହାରଣା। 
    ପୁଲିସ ସୂଚନାନୁସାରେ ପଣ୍ଡା ପାର୍କ କୈଳାସବିହାରରେ ଭଡ଼ାରେ ରହୁଥିବା ଜ୍ଞାନରଞ୍ଜନ ସେନାପତିଙ୍କ ଅଭିଯୋଗକ୍ରମେ ଏକ ଚୋରି ମାମଲା ରୁଜୁ ହୋଇଥିଲା। ୮ ତାରିଖ ଦିନ ଶ୍ରୀ ସେନାପତି ତାଙ୍କ ମାଆଙ୍କୁ ନେଇ ଭଦ୍ରକ ଯାଇଥିଲେ। ୧୦ ତାରିଖ ଦିନ ଫେରିବା ବେଳକୁ ଘରର ତାଲା ଭଙ୍ଗା ହୋଇଥିବା ଦେଖିଥିଲେ। ଘରୁ ଚୋରି ହୋଇଛି ବୋଲି ନିଶ୍ଚିତ ହୋଇ ସେ ଥାନାକୁ ଜଣାଇଥିଲେ। ପୁଲିସ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ କେହି ଦୁର୍ବୃତ୍ତ ଆଲ୍‌ମିରା ତାଡ଼ି ନଗଦ ୭ ହଜାର ଟଙ୍କା, କିଛି ଗହଣା ଓ ବୀମା ବଣ୍ଡ ଭଳି କାଗଜପତ୍ର ଲୁଟି ନେଇଛି। ଗହଣାଗୁଡ଼ିକର ମୂଲ୍ୟ ୭ଲକ୍ଷ ଟଙ୍କା ହେବ ବୋଲି ଶ୍ରୀ ସେନାପତି ଅଭିଯୋଗରେ ଦର୍ଶାଇଥିଲେ। ପୁଲିସ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସିସିଟିଭି ଯାଞ୍ଚ କରିବା ବେଳେ ପ୍ରୀତିରଞ୍ଜନକୁ ଚିହ୍ନଟ କରିଥିଲା। ସରାଇ ଆକ୍ଟ ଅନୁସାରେ ଓୟୋ ହୋଟେଲ୍‌ ଅନ୍‌ଭିରେ ଯାଞ୍ଚ ବେଳେ ପ୍ରୀତିରଞ୍ଜନର ପୂରା ପରିଚୟ ଓ ଠିକଣା ମିଳିଯାଇଥିଲା। ତାକୁ ଗିରଫ କରିବାବେଳେ ତା’ଠାରୁ ୪୦ ହଜାର ଟଙ୍କା, ଗୋଟିଏ ସୁନାଚେନ୍‌, ହଳେ କାନଫୁଲ ଜବତ କରାଯାଇଥିଲା। ବାକି ଗହଣାତକ ସେ ବଣିଆ ଅମରକୁ ୧ ଲକ୍ଷ ୩୦ ହଜାର ଟଙ୍କାରେ ବିକିଥିବା କହିବା ପରେ ପୁଲିସ କଟକରେ ଚଢ଼ଉ କରିଥିଲା। ପୁଲିସ ଅମର ପାଖରୁ ଗୋଟିଏ ସୁନାହାର, ଗୋଟିଏ ସୁନାଚେନ୍, ପାଞ୍ଚଟି କାନଫୁଲ, ହଳେ କାନ ରିଙ୍ଗ୍‌ ଓ ଦୁଇଟି ମଙ୍ଗଳସୂତ୍ର ଜବତ କରିଥିଲା। ଚୋରି ଜିନିଷ ଜାଣିବା ପରେ ବଣିଆ ଅମର କମ୍‌ ମୂଲ୍ୟରେ ଗହଣାତକ କିଣିଥିଲା। 
୩ ଦିନରେ ୯୦ ହଜାର ଉଡ଼ାଇଦେଲା 
ପ୍ରୀତିରଞ୍ଜନ ଜଣେ ପେସାଦାର ସିନ୍ଧିଚୋର। କେବଳ ରାତି ନୁହେଁ, ଦିନରେ ବି ସେ ଘରେ ପଶି କଳାକନା ବୁଲାଇବାରେ ମାହିର। ଯାଜପୁରରୁ ଆସି ସେ ରାଜଧାନୀରେ ହୋଟେଲ୍‌ ବୁକ୍‌ କରି ରହୁଥିଲା। ସେ ବୁଲିବୁଲି ରେକି କରେ ଏବଂ କେଉଁ ଘରେ କିଏ କେତେବେଳେ ରହୁନାହାନ୍ତି ଠାବ କରିନିଏ। ସେହି ଅନୁସାରେ ଧୂର୍ତ୍ତ ପ୍ରୀତିରଞ୍ଜନ ରାତି ହେଉ କି ଦିନ ନିଶାଣରେ ଥିବା ଘରେ ପଶିଯାଏ। ଚୋରିରୁ ଉପାର୍ଜନ କରୁଥିବା ଅର୍ଥରେ ସେ ଏକପ୍ରକାର ଅୟସ ଜୀବନ ବିତାଉଥିଲା। ଦାମୀ ପୋଷାକ, ଦାମୀ ଘଣ୍ଟା, ମୋବାଇଲ୍‌ କିଣିବା ସହ ସାଙ୍ଗସାଥୀଙ୍କ ମେଳରେ ଖର୍ଚ୍ଚ କରିବା, ତା’ର ସଉକ। ଏହି ମାମଲାରେ ସେ ବଣିଆ ଅମରଠାରୁ ପାଇଥିବା ୧ ଲକ୍ଷ ୩୦ ହଜାର ଟଙ୍କାରୁ ୯୦ ହଜାର ଟଙ୍କା ଉଡ଼ାଇ ସାରିଥିଲା। ମାତ୍ର ୩ଦିନରେ ସେ ୯୦ ହଜାର ଟଙ୍କା ଖର୍ଚ୍ଚ କରିଦେଇଥିବା ଜଣାପଡ଼ିଛି।