ପୁଣି ବନ୍ଧାହେଲା ସାଇକୋ ସିନ୍ଧିଚୋର ସଞ୍ଜୟ

ଭୁବନେଶ୍ବର: ହାଇପ୍ରୋଫାଇଲ୍ ସାଇକୋ ସିନ୍ଧିଚୋର ସଞ୍ଜୟ କୁମାର ନିଶଙ୍କକୁ ପୁଣି ଥରେ ବାନ୍ଧିଛି କରିଛି କମିସନରେଟ୍ ପୁଲିସ। ନୂଆପଲ୍ଲୀ ଏନ୍-୧ସ୍ଥିତ ଏକ ଘରୁ ଚୋରି କରିବା ସମୟରେ ନୂଆପଲ୍ଲୀ ଥାନା ପୁଲିସ ତା’କୁ କାବୁ କରିଛି। ସଞ୍ଜୟ ପାଖରୁ ପୁଲିସ ୪୨୩ ଗ୍ରାମ୍‌ ଓଜନର ସୁନା ଅଳଙ୍କାର, ୬୦୬ଗ୍ରାମ୍‌ର ରୁପା ଅଳଙ୍କାର, ୨ଟି ଲାପଟପ୍ ଓ ମୋବାଇଲ୍, ବାଇକ୍, ଚୋରି ପାଇଁ ବ୍ୟବହାର କରୁଥିବା ବିଭିନ୍ନ ଉପକରଣ ମଧ୍ୟ ଜବତ କରିଛି। ଜବତ ଗହଣାର ମୂଲ୍ୟ ପ୍ରାୟ ୨୫ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ତେବେ ବଡ଼ କଥା ହେଉଛି, ତା’ ନିକଟରୁ ମହିଳାଙ୍କ ବହୁ ଅନ୍ତବସ୍ତ୍ର ମଧ୍ୟ ଜବତ କରାଯାଇଛି। ଚୋରି କରିଥିବା ଅଳଙ୍କାରକୁ ସେ ବିକ୍ରି କରିଦେଉଥିବା ବେଳେ ମହିଳାମାନଙ୍କ ଅନ୍ତବସ୍ତ୍ରସବୁକୁ ସାଇତି ରଖୁଥିଲା। ତେଣୁ ସେ ଏକପ୍ରକାର ସାଇକୋ ବୋଲି କୁହାଯାଉଛି। ତା’ନାଁରେ କମିସନରେଟ୍ ପୁଲିସରେ କେବଳ ୨୩ଟି ସିନ୍ଧିଚୋରି ମାମଲା ଥିବାରୁ ପୁଲିସ ତା’ ବିରୋଧରେ ସିଆର୍‌ପିସି ୧୧୦ ଦଫାରେ ଲଗାଇ କୋର୍ଟ ଚାଲାଣ କରିଛି।

୨୫ଲକ୍ଷ ଟଙ୍କାର ଗହଣା, ମହିଳାଙ୍କ ଅନ୍ତବସ୍ତ୍ର ଜବତ
ସିଆର୍‌ପିସି ୧୧୦ଦଫାରେ ବୁକ୍ କଲା ପୁଲିସ
୨୩ ସିନ୍ଧିଚୋରି ମାମଲାର ମୋଷ୍ଟ୍ ଵାଣ୍ଟେଡ୍

ପୁଲିସ ସୂଚନାନୁସାରେ ସଞ୍ଜୟ ଫୁଡ୍ ଡେଲିଭରି ବୟ ଭାବେ କାମ କରୁଥିଲା। ଦିନ ବେଳା ସେ ଫୁଡ୍‌ ଡେଲିଭରି କଲାବେଳେ ବିଭିନ୍ନ ଘରକୁ ଟାର୍ଗେଟ୍‌ କରୁଥିଲା ଏବଂ ରାତିରେ ସିନ୍ଧିଚୋରି କରୁଥିଲା। ଗତ ମାସକ ମଧ୍ୟରେ ରାଜଧାନୀରେ ନୂଆପଲ୍ଲୀ, ସହିଦନଗର, ଚନ୍ଦ୍ରଶେଖରପୁର ଆଦି ପ୍ରମୁଖ ଥାନା ଅଞ୍ଚଳରୁ ୫ଟି ଘରୁ ସେ ପ୍ରାୟ ଅଧକୋଟି ଟଙ୍କାର ଗହଣା ଓ ଲକ୍ଷାଧିକ ଟଙ୍କା ଚୋରି କରିଥିଲା। ଚୋରି ଷ୍ଟାଇଲ୍‌ରୁ ଏସବୁ ସଞ୍ଜୟର କାଣ୍ଡ ବୋଲି ଜଣାପଡ଼ିବା ପରେ ପୁଲିସ ତାକୁ ପିଛା କରିବା ଆରମ୍ଭ କରିଥିଲା। ଗତ ରବିବାର ରାତି ପ୍ରାୟ ୯ଟା ବେଳେ ଆଇଆର୍‌ସି ଭିଲେଜ୍ ଏନ୍‌-୧ ରେ ତାଲା ପଡ଼ିଥିବା ଏକ ଘର ନିକଟରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ବେଳେ ସେ ପୁଲିସ ହାବୁଡ଼ରେ ପଡ଼ିଥିଲା। ପାଟ୍ରୋଲିଂ କରୁଥିବା ପୁଲିସ ଟିମ୍‌ ତାକୁ ପଚରାଉଚରା କରିବା ସମୟରେ ସେ ସତ କଥା ମାନିଯାଇଥିଲା। ଏହା ପରେ ତାକୁ ନେଇ ପୁଲିସ ଟିମ୍‌ ତା’ର ଖୋର୍ଦ୍ଧା ଶରଧାପୁରସ୍ଥିତ ଘରେ ଚଢ଼ଉ କରିଥିଲା ଏବଂ ଉପରୋକ୍ତ ଜିନିଷପତ୍ର ଜବତ କରିଥିଲା।

ସୂଚନାଯୋଗ୍ୟ ଯେ ସେ ବିବିଏ ପାସ୍ କରିବା ପରେ ଏକ ଲାପଟପ୍ କମ୍ପାନିରେ କାମ କରୁଥିଲା। କିନ୍ତୁ ପରେ ତାକୁ ଚାକିରିରୁ ବାହାର କରିଦିଆଯାଇଥିଲା। ତେଣୁ ସେ ସିନ୍ଧିଚୋରିକୁ ବାଛିଥିଲା। ପ୍ରଥମେ ସେ ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ଆପାର୍ଟମେଣ୍ଟ୍‌ରୁ ଚୋରି କରିଥିଲା। ଏହା ପରେ ସେ ରାଜଧାନୀରେ ପ୍ରାୟ ଡଜନେରୁ ଅଧିକ ଘରେ ପଶି ଚୋରି କରିଥିଲା। ତେବେ ୨୦୧୮ ମସିହାରେ ସେ ପ୍ରଥମ ଥର ପାଇଁ କମିସନରେଟ୍‌ ପୁଲିସ ହାବୁଡ଼ରେ ଧରାପଡ଼ିଥିଲା। ସେତେବେଳେ ତା’ ନିକଟରୁ ମଧ୍ୟ ବହୁ ପରିମାଣର ମହିଳା ଅନ୍ତବସ୍ତ୍ର ଜବତ କରାଯାଇଥିଲା। ଏହା ପରେ ସେ ଜାମିନ୍‌ରେ ଆସି ରାଉରକେଲା ପଳାଇଥିଲା। ସେଠାରେ କିଛିଦିନ ରହିବା ଭିତରେ ଚୋରି କରିଥିଲା ଏବଂ ପୁଲିସ ହାତରେ ଧରାପଡ଼ିବା ପୂର୍ବରୁ ନିଜ ଘର ଖୋର୍ଦ୍ଧା ଶରଧାପୁର ଗାଁକୁ ଫେରି ଆସିଥିଲା। ଏବେ ସେ ଭୁବନେଶ୍ବରରେ ଏକ ଫୁଡ୍ ଡେଲିଭରି ସଂସ୍ଥାରେ ଚାକିରି କରୁଥିଲା।

ହତାଶ ପ୍ରେମିକ

ମହିଳାଙ୍କ ଅନ୍ତବସ୍ତ୍ର ଚୋରି କରି ସାଇତି ରଖୁଥିବା ଭଳି ବିଚିତ୍ର କଥାରୁ ଅନୁମାନ କରାଯାଉଛି ସେ ସଞ୍ଜୟ ଏକ ମାନସିକ ରୋଗୀ ବା ସାଇକୋ। ତା’ର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ହୋଇଥିବା ବିଭିନ୍ନ ପୋଷ୍ଟରୁ ବି ଏହା ବାରି ହୋଇପଡ଼ୁଛି। ବିଭିନ୍ନ ସମୟରେ ନିଜ ପ୍ରେମିକା ପାଇଁ ସେ ଦୁଃଖଭରା ପୋଷ୍ଟ୍ କରୁଥିଲା।

ସମ୍ବନ୍ଧିତ ଖବର