ଭୁବନେଶ୍ବର: କମିସନରେଟ୍ ପୁଲିସ ସ୍ପେସାଲ୍ ସ୍କ୍ବାଡ୍ ହାତରେ ଧରାପଡ଼ିଛି ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍। କୁଖ୍ୟାତ୍ ସୁଧା ଗ୍ୟାଙ୍ଗ୍ ନାମରେ ପରିଚିତ ଏହି ଗ୍ୟାଙ୍ଗ୍ର ୩ କୁଖ୍ୟାତ୍ ଲୁଟେରାଙ୍କୁ ପୁଲିସ ଧରିଥିବା ବେଳେ ସେମାନଙ୍କଠାରୁ ଚୋରା ଜିନିଷ କିଣୁଥିବା ଅଭିଯୋଗରେ ୩ ଜଣ ଗହଣା ବେପାରୀଙ୍କୁ ଗିରଫ କରିଛି। ଲୁଟେରାମାନେ ହେଲେ ମଞ୍ଚେଶ୍ବର ଥାନା ରଙ୍ଗମାଟିଆ ଅଞ୍ଚଳର ସୁଦର୍ଶନ ନାଏକ ଓରଫ ସୁଧା(୪୭), ଲକ୍ଷ୍ମୀସାଗର ହଳଦୀପଡ଼ିଆ ବସ୍ତିର ସନ୍ତୋଷ ବେହେରା ଓରଫ ଚୁନିଆ(୩୬) ଓ ବାଲିଅନ୍ତା ବାସୁଦେବପୁର ଅଞ୍ଚଳର ସନ୍ତୋଷ ବେହେରା ଓରଫ ବାପି(୩୯)। ସେମାନଙ୍କଠାରୁ ଚୋରା ସୁନାଗହଣା କିଣି ଗିରଫ ହୋଇଥିବା ବେପାରୀମାନେ ହେଲେ ଗଞ୍ଜାମ କୋଦଳା ଅଞ୍ଚଳର ଏ ରାମମୂର୍ତ୍ତି ଆଚାରୀ(୬୮), ଏ ଆଦିତ୍ୟ ଆଚାରୀ(୨୭) ଏବଂ କଟକ ଲାଲ୍ବାଗ ଅଞ୍ଚଳର ସୁବ୍ରତ କାରାକ(୩୮)।
ପୁଲିସ ସେମାନଙ୍କଠାରୁ ନଗଦ ୫ଲକ୍ଷ ୮୫ହଜାର ଟଙ୍କା, ୧୪୦ ଗ୍ରାମ ସୁନା, ଶହେ ଗ୍ରାମ ରୂପା, ବିଦେଶୀ ନୋଟ୍, କଏନ୍, ୩୦ଟି ମୋବାଇଲ୍ ଓ ଚୋରିରେ ବ୍ୟବହୃତ ଅଟୋକୁ ଜବତ କରିଛି। ଗ୍ୟାଙ୍ଗ୍ର ଆଉ ୭ଜଣ ଫେରାର୍ ଥିବା ଜଣାପଡ଼ିଛି। ସେମାନଙ୍କୁ ଧରିବା ପାଇଁ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛି। ଆଜି ଏମାନଙ୍କୁ ଚନ୍ଦକା ଥାନା ପୁଲିସ କୋର୍ଟ ଚାଲାଣ କରିଛି ଓ ପରେ ସେମାନଙ୍କୁ ରିମାଣ୍ଡରେ ଆଣିବାକୁ ପୁଲିସ ଯୋଜନା କରିଛି। ଏହି ଗ୍ୟାଙ୍ଗ୍ ନାଁରେ ବାଲିପାଟଣା, ବାଲିଅନ୍ତା, ଇନ୍ଫୋଭ୍ୟାଲି, ସହିଦନଗର, ବଡ଼ଗଡ଼, ଚନ୍ଦକା, ଲିଙ୍ଗରାଜ ଆଦି ଥାନାରେ ୧୩ରୁ ଅଧିକ ମାମଲା ରହିଛି। ଏହାବାଦ୍ ଯାଜପୁର, ବାଲେଶ୍ବର, ଅନୁଗୁଳ ଓ କେନ୍ଦୁଝର ଆଦି ଜିଲ୍ଲାରେ ମଧ୍ୟ ଏହି ଗ୍ୟାଙ୍ଗ୍ ଲୁଟ୍ପାଟ୍ କରିଥିବା ସୂଚନା ମିଳିଛି।
ଧରାଇଲା ଅଟୋ
ଗତ ୨୬ ତାରିଖ ଦିନ ଚନ୍ଦକା ଥାନା ଅଞ୍ଚଳର ସତ୍ୟନାରାୟଣ ମିଶ୍ରଙ୍କ ଘର ଝରକା ତାଡ଼ି ଦୁର୍ବୃତ୍ତମାନେ ୧୧ ଲକ୍ଷ ଟଙ୍କା, ୩୫୦ ଗ୍ରାମ୍ ଓଜନର ସୁନା ଗହଣା ଚୋରି କରିଥିଲେ। ଏହା ପୂର୍ବରୁ ରାଜଧାନୀରେ ବି କେତୋଟି ଅନୁରୂପ ସିନ୍ଧିଚୋରି ହୋଇଥିଲା। ଚନ୍ଦକା ଚୋରି ପରେ ସ୍ପେସାଲ ସ୍କ୍ବାଡ୍ ସହ ପିଓପିଡି ଟିମ୍ ଓ ଟିମ୍-୬୦ ମଧ୍ୟ ଏହି ଗ୍ୟାଙ୍ଗ୍ ପଛରେ ଲାଗିପଡ଼ିଥିଲେ। ଚନ୍ଦକା ଥାନା ପୁଲିସ ସତ୍ୟନାରାୟଣ ମିଶ୍ରଙ୍କ ଘର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଏକ ଅଟୋର ଚିତ୍ର ସନ୍ଦେହ ଘେରକୁ ଆସିଥିଲା। ନମ୍ବର ଜଣାପଡ଼ୁନଥିଲେ ମଧ୍ୟ ଅଟୋର କିଛି ସ୍ବତନ୍ତ୍ର ଚିହ୍ନକୁ ମାର୍କ କରି ପୁଲିସ ଟିମ୍ ପିଛା କରିଥିଲା। କମିସନରେଟ୍ ପୁଲିସ ପକ୍ଷରୁ ରାଜଧାନୀର ଗଳିକନ୍ଦିରେ ଉକ୍ତ ଅଟୋକୁ ଠାବ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତକାଲି ରାତିରେ ସହିଦନଗର ଅଞ୍ଚଳରେ ଏହି ଅଟୋକୁ ଠାବ କରାଯାଇଥିଲା। ବିଳମ୍ବିତ ରାତିରେ ଏହି ଅଟୋରେ ୭/୮ ଜଣ ବସି ଯାଉଥିବାର ଦେଖିବାକୁ ମିଳିଥିଲା। ଖବର ପାଇ ତୁରନ୍ତ ପୁଲିସ ଟିମ୍ ଅଟୋକୁ ପିଛା କରିଥିଲା। ପୁଲିସକୁ ଦେଖି ଲୁଟେରାମାନେ ଅଟୋ ଛାଡ଼ି ଫେରାର୍ ହୋଇଯିବାକୁ ଧାଇଁଥିଲେ। ହେଲେ ପୁଲିସ ମୁଖିଆ ସୁଧା ସମେତ ୩ ଜଣଙ୍କୁ କାବୁ କରିପାରିଥିଲା। ଅନ୍ୟମାନେ ଅନ୍ଧାର ମଉକାରେ ଫେରାର୍ ହୋଇଯିବାରେ ସକ୍ଷମ ହୋଇଥିଲେ।
୧୦ ଗ୍ରାମ୍ ଚୋରା ସୁନାକୁ ୨୦ ହଜାର ଟଙ୍କା
ସୁଧା ଗ୍ୟାଙ୍ଗ୍ଠାରୁ ଚୋରା ସୁନା କିଣୁଥିଲା କଟକର ସୁବ୍ରତ। ପରେ ସୁବ୍ରତ ସେମାନଙ୍କୁ ଗଞ୍ଜାମର ରାମମୂର୍ତ୍ତି ଓ ତାଙ୍କ ପୁଅ ଆଦିତ୍ୟଙ୍କ ସହ ଯୋଡ଼ି ଦେଇଥିଲା। ଚୋରା ଗହଣାକୁ ଶାଗମାଛ ଦରରେ ସେମାନେ କିଣୁଥିଲେ। ୧୦ ଗ୍ରାମ୍ ସୁନାକୁ ମାତ୍ର ୨୦ ହଜାର ଟଙ୍କାରେ କିଣୁଥିଲେ। ସେହିଭଳି ରୁପା ଗହଣାକୁ ମଧ୍ୟ ବହୁତ କମ୍ ଦାମ୍ରେ କିଣୁଥିଲେ। ଶହେ ଗ୍ରାମ୍ ରୁପା ଗହଣାକୁ ମାତ୍ର ହଜାରେ ଟଙ୍କାରେ କିଣୁଥିଲେ।