ଇଣ୍ଡୋନେସିଆ‌ ମାଷ୍ଟର୍ସ: କାଶ୍ୟପ ବିଦା, ସାଇନା, ସିନ୍ଧୁ, ଶ୍ରୀକାନ୍ତ ଆଗେଇଲେ

ଜାକର୍ତା: ଭାରତୀୟ ‌ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହୱାଲ, ପିଭି ସିନ୍ଧୁଙ୍କ ସହ ପୁରୁଷ ଏକକରେ କିଦାମ୍ବି ଶ୍ରୀକାନ୍ତ ବୁଧବାରଠୁ ଆରମ୍ଭ ହୋଇଥିବା ଇଣ୍ଡୋନେସିଆ ମାଷ୍ଟର୍ସ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ କରିଛନ୍ତି। ଅଷ୍ଟମ ମାନ୍ୟତା ସାଇନା ବୁଧବାର ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ୭-୨୧, ୨୧-୧୬, ୨୧-୧୧ରେ ସ୍ଥାନୀୟ ଖେଳାଳି ଦିନାର ଦ୍ୟା ଆୟୁ‌ଷ୍ଟିନ୍‌ଙ୍କୁ ଏବଂ ଦ୍ବିତୀୟ ମାନ୍ୟତା ସିନ୍ଧୁ ୨୪-୨୨, ୨୧-୮, ୨୧-୧୭ରେ ଚୀନ୍‌ର ଲି ଜୁରେଇଙ୍କୁ ହରାଇ ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ପରବର୍ତୀ ପର୍ଯ୍ୟାୟରେ ସାଇନା ଇଣ୍ଡୋନେସିଆର ଫିତ୍ରିଆନିଙ୍କୁ ଏବଂ ସିନ୍ଧୁ ଜର୍ଜିଆର ମାରିସ୍କା ଟୁନ୍‌ଜୁଙ୍ଗ୍‌ଙ୍କୁ ଭେଟିବେ। ପୁରୁଷ ଏକକରେ ଶ୍ରୀକାନ୍ତ ୨୧-୧୨, ୨୧-୮ରେ ମାଲେସିଆର ଚୋଙ୍ଗ ୱିଫେଙ୍ଗ୍‌ଙ୍କୁ ପରାସ୍ତ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଶ୍ରୀକାନ୍ତ ଜାପାନର କେଣ୍ଟା ନିଶିମୋଟୋଙ୍କୁ ଭେଟିବେ। ସେହିପରି ପପୁରୁଷ ଯୁଗଳରେ ଭାରତୀୟ ଯୋଡ଼ି ମନୁ ଅତ୍ରି ଓ ବି ସୁମିତ ରେଡ୍ଡୀ ୧୪-୨୧, ୨୧-୧୯, ୨୧-୧୫ରେ ଡେନ୍‌ମାର୍କର ମାଡ୍ସ ପିଲର କୋଲ୍ଡିଙ୍ଗ୍‌ ଓ ନିକ୍ଲାସ ନୋରଙ୍କୁ ହରାଇ ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ତେବେ ପୁରୁଷ ଏକକରେ ବି ସାଇ ପ୍ରଣିତ ୧୨-୨୧, ୧୬-୨୧ରେ ଅଲିମ୍ପିକ୍‌ ବିଜେତା ଚୀନ୍‌ର ଚେନ୍‌ ଲଙ୍ଗ୍‌ଙ୍କଠୁ, ଶୁଭଙ୍କର ଦେ ୧୪-୨୧, ୨୧-୧୯, ୧୫-୨୧ରେ ପୂର୍ବତନ ବିଶ୍ବ ବିଜେତା ଡେନ୍‌ମାର୍କର ଭିକ୍ଟର ଆକ୍ସେଲସେନ୍‌ଙ୍କଠୁ ଏବଂ ପରୁପଲ୍ଲୀ କାଶ୍ୟପ ୧୨-୨୧, ୧୬-୨୧ରେ ଇଣ୍ଡୋନେସିଆର ଆନ୍ଥୋନି ସିନିସୁକା ଗିଣ୍ଟିଂଙ୍କଠୁ ହାରି ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ସେହିଭଳି ଭାରତୀୟ ମହିଳା ଯୋଡ଼ି ଅଶ୍ବିନୀ ପୋନାପ୍ପା ୧୪-୨୧, ୧୪-୨୧ରେ ଥାଇଲାଣ୍ଡର ଜୋଙ୍ଗକୋଲଫାନ କିଟିଥାରାକୁଲ ଓ ରାୱିନ୍ଦା ପଅଜୋଙ୍ଗଜାଇଙ୍କଠୁ ପରାଜିତ ହୋଇଥିଲେ।

ସମ୍ବନ୍ଧିତ ଖବର