ଜଟଣୀ: ଜଟଣୀରେ ବେଙ୍ଗଲି ସମ୍ପ୍ରଦାୟର ଲୋକମାନେ ଦୁର୍ଗାପୂଜାକୁ ବହୁ ଧୁମ୍‌ଧାମରେ ପାଳନ କରିଆସୁଛନ୍ତି। ଏହି ଅବସରରେ ଚଳିତବର୍ଷ ମଧ୍ୟ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନୀଳଚକ୍ର ମାର୍କେଟରେ ଥିବା ବେଙ୍ଗଲି କ୍ଲବ ପକ୍ଷରୁ ଚଳିତବର୍ଷ ମା’ଙ୍କ ପୂଜା ୭୬ବର୍ଷରରେ ପଦାର୍ପଣ କରିବାକୁ ଯାଉଛି। ସବୁବର୍ଷ ପରି ଏଠାରେ ଚଳିତବର୍ଷ ମଧ୍ୟ ବେଙ୍ଗଲି ରୀତିନିତୀ ଅନୁସାରେ ମା’ ଙ୍କ ପୂଜା କରାଯିବା। ଏଥର ପୂଜା ପାଇଁ ପ୍ରାୟ ୫ଲକ୍ଷ ଟଙ୍କାର ବଜେଟ୍ ରହିଛି। ମା’ଙ୍କ ମୂର୍ତ୍ତି ୧୧ଫୁଟର କରାଯାଇଛି। ମେଢ଼ ସାଜସଜ୍ଜାଠାରୁ ଆରମ୍ଭ କରି ପୁରୋହିତ, ବାଜା ଆଦି କୋଲକାତାରୁ ଅଣାଯିବ। ଷଷ୍ଠୀ ପୂଜାରୁ ମଣ୍ଡପ ପୂଜା ଆରମ୍ଭ କରାଯିବ। ସେହିପରି ସପ୍ତମୀ ପୂଜାଠାରୁ ନବମୀ ପର୍ଯ୍ୟନ୍ତ ପ୍ରତିଦିନ ପ୍ରସାଦ ସେବନ ବ୍ୟବସ୍ଥା ରହିଛି। ଆସନ୍ତା ୧୩ତାରିଖରେ ମା’ଙ୍କ ବିସର୍ଜନ ହେବ।

Advertisment

ପୂଜା ସମୟରେ ମା’ ରୁପା ମୁକୁଟରେ ସଜ୍ଜିତ ହେବେ। ତେବେ ଏହି ପୂଜାର ବିଶେଷତ୍ୱ ହେଲା ଦଶମୀ ଦିନ ମହିଳାମାନେ ଏକାଠି ହୋଇ ମା’ଙ୍କ ନିକଟରେ ସିନ୍ଦୂର ଖେଳ ଖେଳିବାର ପରମ୍ପରା ରହିଆସିଛି। ଯେଉଁ ଖେଳରେ ସବୁ ସମ୍ପ୍ରଦାୟର ମହିଳାମାନେ ସାମିଲ ହୋଇପାରିବେ। ସେହିପରି ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରହିଛି। ମା’ ଙ୍କ ଆଳତି ସମୟରେ ଆଖ ପାଖ ଅଞ୍ଚଳ ସମେତ ଦୂର ଦୁରାନ୍ତରରୁ ଭକ୍ତମାନେ ଏଠାକୁ ଆସିଥାନ୍ତି। ପୂଜା ସମୟରେ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଏ। ଭକ୍ତମାନେ କିପରି ସୁରୁଖୁରୁରେ ମା’ଙ୍କ ଦର୍ଶନ କରିପାରିବେ ସେନେଇ ସବୁ ବ୍ୟବସ୍ଥା କରାଯାଇଛି।

ପୂଜାରେ ନିଷ୍ଠା ଓ ଶୃଙ୍ଖଳାକୁ ଗୁରୁତ୍ୱ
କୁଦିଆରି ଠାରେ ବଙ୍ଗାଳି କାରିଗର ମା’ଙ୍କ ମୂର୍ତ୍ତି ନିର୍ମାଣ କରୁଛନ୍ତି। ବିଶେଷ କରି ପଶ୍ଚିମବଙ୍ଗରେ ଯେଉଁଭଳି ଭାବେ ପୂଜା  କରାଯାଏ, ଠିକ ସେହିଭଳି ଏଠାରେ ପାଳନ କରାଯିବ। ବେଙ୍ଗଲି ଦୁର୍ଗାପୂଜା ଦେଖିବାକୁ ମଧ୍ୟ ଭକ୍ତଙ୍କ ଭିଡ଼ ଅଧିକ ଦେଖିବାକୁ ମିଳେ। ଚଳିତବର୍ଷ ମଧ୍ୟ ଭକ୍ତଙ୍କ ଭିଡ଼ ହେବ ବୋଲି ଆଶା। ପୂଜାରେ ନିଷ୍ଠା ଓ ଶୃଙ୍ଖଳାକୁ ଗୁରୁତ୍ୱ ଦିଆଯିବ। 
- ଜୟନ୍ତ ବାନାର୍ଜୀ, ସଭାପତି 

କୋଲକାତା ଢାଞ୍ଚାରେ ପୂଜା
ପୂଜା ସମ୍ପୂର୍ଣ୍ଣ କୋଲକାତା ଢାଞ୍ଚାରେ ହେବ। ସକାଳେ ଓ ସଂଧ୍ୟାରେ ଦୁଇ ବେଳା ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯିବ। ଭକ୍ତମାନେ କିପରି ସୁରୁଖୁରୁରେ ମା’ ଙ୍କ ଦର୍ଶନ କରିପାରିବେ ସେ ନେଇ ପ୍ରସ୍ତୁତି ଚାଲିଛି। ମଣ୍ଡପ ସାଜସଜ୍ଜା ମଧ୍ୟ ସରିବାକୁ ବସିଲାଣି। କାରିଗର ମା’ ଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାକୁ ବାକି ରହିଛି। ତେଣୁ ମଣ୍ଡପକୁ ଆସି ମା’ ଙ୍କ ଦର୍ଶନ କରିବାକୁ ଅନୁରୋଧ। 
- ତରୁଣ କୁମାର ସର୍ବଜ୍ଞ, ସଂପାଦକ