ଭୁବନେଶ୍ବର: ଦିନ ଥିଲା କଳିଙ୍ଗର ଦୁର୍ଦ୍ଧର୍ଷ ସାହସୀ ସାଧବପୁଅମାନେ ବୋଇତରେ ସାତଦରିଆ ପାରହୋଇ ବିଦେଶ ମାଟିରେ ବାଣିଜ୍ୟ କରୁଥିଲେ ଏବଂ ଦେଶକୁ ଧନ ସମ୍ପତ୍ତି ବୋହି ଆଣୁଥିଲେ। ବିଦେଶ ମାଟିରେ ସେମାନେ ଛାଡ଼ିଆସିଥିଲେ, କଳିଙ୍ଗ ତଥା ଭାରତର ସଂସ୍କୃତି ସଂପନ୍ନ ଐତିହ୍ୟ। ବାଲି, ଜାଭା, ସୁମାତ୍ରା ଓ ଇଣ୍ଡୋନେସିଆରେ ଆଜି ମଧ୍ୟ କଳିଙ୍ଗ ନୌବାଣିଜ୍ୟର ପଦଚିହ୍ନ ଲିଭିନାହିଁ। ଆଜି ସେଦିନ ନାହିଁ। କାଳର କରାଳ ଗର୍ଭରେ ସେଦିନ ହଜିଯାଇଛି। କିନ୍ତୁ ସ୍ବାଭିମାନୀ ଓଡ଼ିଆ ଜାତି ସେଦିନର ଗୌରବମୟ ଗାଥାକୁ ଭୁଲିପାରିନାହିଁ। ସେଦିନର କୀର୍ତ୍ତି ଆଜି ସ୍ମୃତି ଭାବେ ସାଇତା ହୋଇରହିଛି। ତେଣୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାହାନ୍ତି ପହରରେ ପାଳିତ ହେଉଛି ବୋଇତ ବନ୍ଦାଣ ପର୍ବ। ସେଦିନର ବାଲି ଦ୍ବୀପ ଅଭିମୁଖେ ଯାତ୍ରା ଆଜି ବାଲିଯାତ୍ରା ମେଳାରେ ପରିଣତ ହୋଇଛି। ସେଦିନ ସାଧବବୋହୂମାନେ ମେଲାଣି ଦେବାକୁ ବୋଇତ ବନ୍ଦାଉଥିଲେ। ଇଷ୍ଟଙ୍କୁ ସୁମରଣା କରି ସାଧବପୁଅମାନଙ୍କ ଶୁଭ କାମନା କରୁଥିଲେ। ଆଜି ତାହା ଏକ ପର୍ବ ଭାବେ ପାଳିତ ହେଉଛି। ଗାଁଠୁ ସହର ପର୍ଯ୍ୟନ୍ତ, ନଈରୁ ପୋଖରୀ ପର୍ଯ୍ୟନ୍ତ ସବୁଠି ବୋଇତ ବନ୍ଦାଣ ପର୍ବ ମହାସମାରୋହରେ ପାଳିତ ହେଉଛି। ରାଜଧାନୀ ଏବଂ ତା’ର ଉପକଣ୍ଠରେ ନଈ ପୋଖରୀ କୂଳରେ ଆଜି ଭୋର୍‌ରୁ ଶୁଭୁଥିଲା ଆ କା ମା ବୈ...।

Advertisment

ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ

 ବାଙ୍କୁଆଳ କୁଆଖାଇ ନଦୀ ପଠାରେ ଆଜି ଦ୍ବିତୀୟ ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏକାମ୍ର ବିଧାୟକ ବାବୁ ସିଂ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଭୁବନେଶ୍ବର ବ୍ଲକ୍‌ ଅଧ୍ୟକ୍ଷା ନିରୁପମା ସାହୁ, ପରିଚାଳନା କମିଟି ସମ୍ପାଦକ କବିରାଜ ସ୍ୱାଇଁ, ବଡ଼ଗଡ଼ ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ ଓ ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ସିଂ ବାଲିଯାତ୍ରା ପଡ଼ିଆରେ ସ୍ଥାପିତ ୨୦୨୫ ବର୍ଷର ମହୋତ୍ସବ ସ୍ମୃତିଫଳକକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହାପରେ ସେ ସାଂସ୍କୃତିକ କଳା ମଞ୍ଚକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଷୀରୋଦ କୁମାର ସ୍ୱାଇଁ, ବିଜୟ କୁମାର ପ୍ରଧାନ, ବିଜନ ସାମନ୍ତରାୟ, ପ୍ରକାଶ ସିଂହ, ଦିଲ୍ଲୀପ କୁମାର ଜେନା, ଭାଗବତ ମୁଖି, ଲକ୍ଷ୍ମୀଧର ପ୍ରଧାନ, ଅଜୟ କୁମାର ଜେନା, ପ୍ରଦ୍ୟୁମ୍ନ ଜେନା ଓ ହାଡ଼ିବନ୍ଧୁ ସ୍ୱାଇଁ, ଧଉଳି ମଣ୍ଡଳ ସଭାପତି ସୂର୍ଯ୍ୟକାନ୍ତ ସାହୁ ଓ ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଦୁର୍ଗାପୁରପାଟଣା, ଶିଶୁପାଳ, ଲିଙ୍ଗିପୁର, ନାଥପୁର, କୋରଡ଼କଣ୍ଟା, ବାଙ୍କୁଆଳ ଆଦି ଗ୍ରାମ୍ୟ କମିଟିର କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଜି ସକାଳେ ଜଗନ୍ନାଥ ଭଜନ ସନ୍ଧ୍ୟା ପକ୍ଷରୁ ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା। ସନ୍ଧ୍ୟାରେ ପଙ୍କଜ ଜାଲ, ମାନସୀ ଓ ଗଗନ ବିହାରୀଙ୍କ ଗ୍ରୁପ୍‌ ପକ୍ଷରୁ ନୃତ୍ୟ ସଙ୍ଗୀତ ଓ ଭକ୍ତି ସଙ୍ଗୀତ ପରିବେଷିତ ହୋଇଥିଲା। ନଦୀପଠାରେ ଆୟୋଜିତ ଏହି ମେଳାର ଆକର୍ଷଣ ପାଲଟିଛି ବିଭିନ୍ନ ଖାଦ୍ୟ ପସରା। ଠୁଙ୍କାପୁରୀ, ଫାଷ୍ଟଫୁଡ୍‌, ଚାଟ୍‌, ପାମ୍ପୁଡ଼ି ଚାଟ୍‌, ଗୁପ୍‌ଚୁପ୍‌ ସହିତ ବିଭିନ୍ନ ଆମିଷ ପକୋଡ଼ା, ରୋଲ୍‌, ଚାଉମିନ୍‌ ଆଦି ଷ୍ଟଲ୍‌ରେ ବେଶ୍‌ ଭିଡ଼ ଜମିଥିଲା। ସେହିଭଳି ବିଭିନ୍ନ ମନୋହରୀ ସାମଗ୍ରୀ ଦୋକାନ ନିକଟରେ ମହିଳାମାନଙ୍କର ଭିଡ଼ ଜମିଥିଲା। ଏଥିସହିତ ମେଳା ବୁଲିବାକୁ ଆସିଥିବା ଲୋକେ କୁଆଖାଇରେ ପେଡାଲ୍‌ ଚାଳିତ ବୋଟ୍‌ରେ ବୁଲି ମଜା ଉଠାଇଥିଲେ। ମୀନାବଜାରରେ ଚକ୍ରି ଦୋଳି, ଜମ୍ପିଂ, ରାମ ଦୋଳି, ମିକିମାଉସ୍‌ ଓ ମୌତ୍‌କା କୁଆଁ  ଥିଲା ଅନ୍ୟତମ ଆକର୍ଷଣ।

Untitled-6

ଦୟାରେ ‘କାପୋକ୍‌’ର ଡଙ୍ଗାଭସା

 କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ(କାପୋକ୍‌) ପକ୍ଷରୁ ଦୟା ନଦୀ ଲିଙ୍ଗିପୁର-ନାଥପୁର ଘାଟଠାରେ ଚତୁର୍ଦ୍ଦଶ ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଣ୍ଠଶିଳ୍ପୀ ପଙ୍କଜ ଜାଲ୍‌, ମାନସୀ ପାତ୍ର, ସୌରଭ ଭରଦ୍ୱାଜ, ମାନସୀ ପାଣିଗ୍ରାହୀ, ରାଜକିଶୋର ଓ ଜୟଶ୍ରୀ ମହାପାତ୍ରଙ୍କ ଭଜନ ପରିବେଷଣ ଏହି କାର୍ଯ୍ୟକ୍ରମକୁ ବେଶ୍‌ ରଙ୍ଗିନ କରିଥିଲା। ପୋକାକ୍‌ର ଅଧ୍ୟକ୍ଷ ତଥା ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ପୂର୍ବତନ ସଭାପତି ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସମାଜସେବୀ ଡ. ଅରୁନ୍ଧତୀ ଦେବୀ, ସୁବାର୍ତ୍ତାର ସଂପାଦକ ପ୍ରଦ୍ୟୁମ୍ନ ଶତପଥୀ, ଦୁଃଶାସନ ସ୍ୱାଇଁ, ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ, କର୍ପୋରେଟର ସୁରେନ୍ଦ୍ର ପ୍ରଧାନ, ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସାମର୍ଥା, ମଳୟ ମହାପାତ୍ର, ପ୍ରତାପ ସାହୁ, ଶିଶୁପାଳଗଡ଼ ସରପଞ୍ଚ ରଶ୍ମିରଂଜନ ଶ୍ରୀଚନ୍ଦନ, ଲିଙ୍ଗିପୁର ସମିତିସଭ୍ୟ ପ୍ରକାଶ ସାହୁ,  ରବୀନ୍ଦ୍ର ପାତ୍ର, ସୂର୍ଯ୍ୟକାନ୍ତ ସାହୁ, ତ୍ରିଲୋଚନ ପ୍ରଧାନ, ବଳରାମ ସ୍ୱାଇଁ,  ବିକ୍ରମ ସୁନ୍ଦରାୟ, ପ୍ରମୋଦ ସ୍ୱାଇଁ, ଆଲୋକ ସାହୁ, କୁଞ୍ଜବିହାରୀ ସ୍ୱାଇଁ, ସନ୍ତୋଷ ବେହେରା, ବିଭୂତି ପ୍ରଧାନ, ଦେବବ୍ରତ ନାୟକ, ପ୍ରଫୁଲ୍ଲି ସ୍ୱାଇଁ, ଚିନ୍ମୟ ପ୍ରଧାନ, ସୁବ୍ରତ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।
ଅନୁଷ୍ଠାନ ତରଫରୁ ଲୋକଙ୍କୁ ମାଗଣାରେ କଦଳୀ ପାଟୁକା ଡଙ୍ଗା ବଣ୍ଟନ କରାଯାଇଥିଲା। ସାତ ସାଧବ ସାଧବାଣୀ ବୋଇତ ବନ୍ଦାପନା ବିଧି ସଂପାଦନ କରିଥିଲେ। ଏହି ଅବସରରେ ଓଡ଼ିଶୀ ନୃତ୍ୟଗୁରୁ ଜ୍ୟୋତି ରାଉତଙ୍କୁ ‘ଦୟାନଦୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ସେହିଭଳି ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ କମଳାକାନ୍ତ ତ୍ରିପାଠୀ, ଭାରତୀୟ ଆଇନ ସେବା ପରିଷଦ ସଭ୍ୟ ଭକ୍ତ ଭୂଷଣ ବାରିକ, କରାଟେ ଚାମ୍ପିଅନ୍‌ ଆଲିଶା ସୁବୁଦ୍ଧି, ଦୁର୍ଗେଶ୍ବରୀ ମନ୍ଦିର କମିଟି, ଏକାମ୍ର ବରିଷ୍ଠ ନାଗରିକ ସଂଘ, ମହାବୀର ନଗର ଉନ୍ନୟନ କମିଟି, ଧଉଳି ବିକାଶ ମଞ୍ଚ, ମିସନ ରକ୍ତଦାନ,  ନିଃସ୍ବାର୍ଥ ସେବା ଓଡ଼ିଶା, କଣ୍ଠଶିଳ୍ପୀ ଉଦିତ ମହାନ୍ତି, ଏକାମ୍ର ମହିଳା ଆସୋସିଏସନ୍‌, ସ୍ମରଣିକା ମହାନ୍ତି ଓ ସୁଜାତା ପଟ୍ଟନାୟକଙ୍କୁ ‘ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସଂପାଦକ ଚିତ୍ତରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ। 

Untitled-5

କଳିଙ୍ଗ ଘାଟରେ ବୋଇତ ଭାସିଲା

 ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ପକ୍ଷରୁ ବହିରଙ୍ଗେଶ୍ବର ମନ୍ଦିର ନିକଟସ୍ଥ ଦୟାନଦୀ କଳିଙ୍ଗ ଘାଟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏକାମ୍ର ବିଧାୟକ ବାବୁ ସିଂ ମୁଖ୍ୟଅତିଥି, ଭୁବନେଶ୍ବର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ, ଧଉଳି ସରପଞ୍ଚ ଚନ୍ଦନ କୁମାର ମଲ୍ଲିକ ଓ ଲିଙ୍ଗିପୁର ସରପଞ୍ଚ କ୍ଷୀରୋଦ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସାତ ସାଧବଙ୍କୁ ସାତ ସାଧବାଣୀ ବନ୍ଦାପନା କରିବା ବିଧି ସଂପନ୍ନ ହୋଇଥିଲା। ଏହି ଅବସରରେ ଭୁବନେଶ୍ବର ଦାରୁବ୍ରହ୍ମ ଭଜନ ସନ୍ଧ୍ୟା ପକ୍ଷରୁ ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା। କଣ୍ଠଶିଳ୍ପୀ ଇପ୍ସିତା ପଣ୍ଡା ଗ୍ରୁପ୍‌ ଓ ଆଦିତ୍ୟ ଡ୍ୟାନ୍ସ ଗ୍ରୁପ୍‌ର କଳାକାରମାନେ ମଞ୍ଚ ଦୁଲୁକାଇଥିଲେ। ଡାଲ୍‌ ଖାଇ, ଯାଆରେ ଭାସି ଭାସି ଯାଆ, ନୌକା ମୋର ଭାସି ଯାଆ, ରସ ଜାମୁଡାଳି ଭଳି ଗୀତରେ ହୋଇଥିବା ଦଳଗତ ନୃତ୍ୟ ଦର୍ଶକମାନଙ୍କ ଶୀତ ହଜାଇ ଦେଇଥିଲା। ପରିଷଦର ସଂପାଦକ କୃଷ୍ଣ ଚନ୍ଦ୍ର ନାୟକ ଓ କର୍ମକର୍ତ୍ତା ତଥେ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Untitled-8

ବିନ୍ଦୁସାଗର ବୋଇତ ବନ୍ଦାଣ ଉତ୍ସବ

 ଭୁବନେଶ୍ବର ସାଂସ୍କୃତିକ ପରିଷଦ ପକ୍ଷରୁ ‘ବିନ୍ଦୁସାଗର ବୋଇତ ବନ୍ଦାଣ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ମେୟର ସୁଲୋଚନା ଦାସ ଯୋଗଦେଇଥିଲେ। ଏହି ଅବସରରେ ବୀର କିଶୋର ପ୍ରଧାନ, ରତିକାନ୍ତ ପଟ୍ଟନାୟକ, ସୁନୀଲ କୁମାର ପଟ୍ଟନାୟକ, ନୃପେଶ ନାୟକ, ରମେଶ ଚନ୍ଦ୍ର ମହାନ୍ତି, ଅମରେନ୍ଦ୍ର ଗରାବଡ଼ୁ, ମହମ୍ମଦ ଜାଫର୍‌ ଇକ୍‌ବାଲ୍‌, ଦିନେଶ ରାଉତରାୟଙ୍କୁ ‘ଏକାମ୍ର ସଂସ୍କୃତି ସମ୍ମାନ ୨୦୨୫’ ପ୍ରଦାନ କରାଯାଇଥିଲା। ପ୍ରଫେସର ନିମିକାନ୍ତ ରାଉତରାୟ ଓ ତାଙ୍କ ଦଳ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା। ହୃଷୀକେଶ ବେହେରାଙ୍କ ଦ୍ୱାରା ପ୍ରସ୍ତୁତ ବୋଇତକୁ ପବିତ୍ର ବିନ୍ଦୁସାଗରରେ ଭସାଇ ଦିଆଯାଇଥିଲା। ଡେପୁଟି ମେୟର ମଞ୍ଜୁଲତା କହଁର, ବିଜେଡି ନେତା ଅମୀୟ ଦାସ, ସମରେନ୍ଦ୍ର ସାହୁ, ଦୀପକ ମହାପାତ୍ର, ମନୋଜ କୁମାର ବେହେରା, ସୁରେଶ ବାରିକ, କର୍ପୋରେଟର ଶିବ ପ୍ରସାଦ ବେହେରା, ଚନ୍ଦ୍ରଶେଖର ମଲିଆ, ଶିବ ନାରାୟଣ ରାୟ, ଶ୍ରୀଧର ବେହେରା, ମହାମାୟା ସ୍ୱାଇଁ, ଅଜିତ ବେହେରା, ସୁବାସ ସୁନ୍ଦରରାୟ, ବିକ୍ରମ ସେଠୀ, ସନ୍ତୋଷ ବେଜ୍‌, ଅଶ୍ୱିନୀ ସୁନ୍ଦରରାୟ, ପ୍ରମୁଖ ଉପସ୍ଥିତ ଥିଲେ।

Untitled-7