ଗୀତିଛାୟାରେ ଆଜି ଅକ୍ଷୟଙ୍କ ଗୀତ, ଦେବଦାସଙ୍କ କଥା

ଭୁବନେଶ୍ୱର: ତାଙ୍କ ସ୍ୱରରୁ ଗୀତ ଉତୁରୁଲେ ତାହା କିମ୍ବଦନ୍ତୀ ପାଲଟିଯାଏ। ବୋଧେ ସେଇଥି ପାଇଁ ତାଙ୍କ ନାଁ ଭଳି ସେ ବି ଗୀତ ଜଗତରେ ଜଣେ ଅକ୍ଷୟ ପୁରୁଷ। ଯାହାଙ୍କୁ ବାଦ୍‌ଦେଇ ଓଡ଼ିଆ ସଂଗୀତ ଇତିହାସ ଲେଖି ହୁଏନା ସେହି ଅକ୍ଷୟ ମହାନ୍ତିଙ୍କୁ ଯଦି ଆପଣ ଏବେ ଜୀବନ୍ତ ଶୁଣନ୍ତି ଅବା ଶୁଣିବାର ଭ୍ରମ ଅନୁଭବ କରନ୍ତି, ତେବେ ?

ହଁ ଆପଣଙ୍କୁ ଏହିଭଳି ଏକ ଭ୍ରମର ଅନୁଭବ ଦେବ ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ‘ଗୀତିଛାୟା’ ପ୍ରଦର୍ଶନୀର ଶେଷ ଦିନ। ରାଜ୍ୟ ସଂସ୍କୃତି ବିଭାଗ ଏବଂ ଫିଲ୍ମ ଜର୍ଣ୍ଣାଲିଷ୍ଟ୍‍ ଫୋରମ୍‌ ପକ୍ଷରୁ ଆୟୋଜିତ ଏହିଭଳି ଏକ ବିରଳ କାର୍ଯ୍ୟକ୍ରମରେ ଶୁଣିବାକୁ ମିଳିବ ୧୯୭୮ ମସିହାର ୧୨ଟି ଗୀତ। ଆମେରିକାରେ କେବଳ ହାରମୋନିୟମରେ ଗାଇଥିବା ସେହି ୧୨ଟି ଗୀତରେ ରୋମାଞ୍ଚିତ ହେବେ ଶ୍ରୋତା। ସିନେ ପରଦା ଉପରେ ଗୋଟିଏ ଗୋଟିଏ ଗୀତର ଝଲକ ସହ ଏହି ଗୀତ ପଛର କାହାଣୀକୁ ବଖାଣିବେ ବିଶିଷ୍ଟ ଗୀତିକାର ଦେବଦାସ ଛୋଟ୍‌ରାୟ। ଆଗୋ ଚନ୍ଦ୍ରମଲ୍ଲିକା.., ଆମ ଦୁହିଁଙ୍କର ମରମେ ଜଳୁଛି.., କିଶୋରୀ ପାସୋରି ଦେନା.., ମୁହିଁ ତୋତେ ଭଲ ପାଇବା ଆଗରୁ.., ସ୍ୱର୍ଗ ତୁମ ଇଏ ମୋ ମନ.., ଦୁଃଖ ଏ ଦେହରେ ରହି.., କାଲିର ପ୍ରେମିକା ଆଜି ଦେଖାହେଲେ.., ପରିଚୟ ହେଲା ଆଳାପ ବି ହେଲା.., ତୁମ ପରେ କି ରଖିବି ଭରସା.., ମେରା ଜୀଇଁବାରେ ଆଉ ମରିବାରେ ଫରକ ଦେଖେ ନାହିଁ.. ଭଳି ଅନାଲୋଚିତ ଗୀତଠୁ ନେଇ ସ୍ମୃତି ତୁମେ.. ଓ ଲାଲ ଟୁକଟୁକ୍‌ ଓଠେ..ଭଳି ଗୀତ ଶିଣୁବାକୁ ମିଳିବ।

ପ୍ରତ୍ୟେକଟି ଗୀତ ପଛର କାହାଣୀକୁ ସେଇ ମଞ୍ଚରେ ବଖାଣିବେ ଗୀତିକାର ଶ୍ରୀ ଛୋଟରାୟ। ରବିବାର ସାଢ଼େ ୪ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅକ୍ଷୟ ମହାନ୍ତିଙ୍କ ସ୍ମୃତିକୁ ରୋମନ୍ଥନ କରିବା ହିଁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର