କୈବଲ୍ୟକଣ୍ଠ ପଛର ନେପଥ୍ୟ ନାୟିକା ପ୍ରଭା

କଣ୍ଠଶିଳ୍ପୀ ଅର୍ଜୁନ ଚରଣ ସାମଲଙ୍କ ସ୍ମୃତିରେ

ଭୁବନେଶ୍ବର: ତାଙ୍କ ଘର ବ୍ରାହ୍ମଣୀ ଗାଁ। ଆମ ଗାଁ ଚିକ୍କଣା। ଯାଜପୁର ବିଞ୍ଝାରପୁରରେ ପାଖାପାଖି ଏଇ ଦୁଇ ଗାଁ ମଧ୍ୟରେ ଦୂରତା ଏତେ ନୁହେଁ। ତଥାପି କହନ୍ତି, ତୁ ଜମା ଯାଆାନା। ଦିନେ କିନ୍ତୁ ମୁଁ ମୋ ବାପ ଘରକୁ ଚାଲି ଯାଇଥାଏ। ରେଡ଼ିଓ ଖୋଲିବାରୁ ତାଙ୍କ କଣ୍ଠରୁ ଶୁଣିଲି, କିସ ମୁଁ ଲେଖିବି ଗୋଲାପ କଢ଼ି… ତୁମେ ଗଲାଦିନୁ ଦିନ ମୋ ବିତେନା…ରାତି ଲାଗେ ମତେ ଅଠର ଘଡ଼ି..। ପରେ ଜାଣିଲି, ଆମ ଦୁହିଁଙ୍କ ଅନ୍ତରଙ୍ଗ ଭଲ ପାଇବାକୁ ନେଇ ଅନ୍ତର୍ଯ୍ୟାମୀ ମିଶ୍ର ଏଇ ଗୀତଟି ଲେଖି ଦେଇଥିଲେ। ସେ ଯେବେ ଏ ଗୀତଟି ଗାଇଲେ, ଲାଗିଲା ମୁଁ ତାଙ୍କଠୁ ଚିଠିଟେ ପାଇଗଲି। ତାଙ୍କ କଣ୍ଠରେ ସଜ ପ୍ରେମର ଏଇ ମିଠା ପରିଭାଷା ଆଜି ‌ବି ମୋର ମନେପଡ଼େ ବୋଲି କହିଛନ୍ତି ‌କୈବଲ୍ୟ କଣ୍ଠ ଅର୍ଜୁନ ଚରଣ ସାମଲଙ୍କ ସଫତଳା ପଛରେ ମେରୁଦଣ୍ଡ ଭଳି ଛିଡ଼ା ହୋଇଥିବା ତାଙ୍କ ପତ୍ନୀ ପ୍ରଭାବତୀ ସାମଲ। କୁହାଯାଏ ଜଣେ ସଫଳ ପୁରଷଙ୍କ ପଛରେ ଜଣେ ମହିଳାଙ୍କ ହାତ ଥାଏ। ମାତ୍ର ସେ ମହିଳା ଜଣକ ସବୁବେଳେ ନେପଥ୍ୟରେ ରହିଯାଆନ୍ତି। ହୁଏତ କୈବଲ୍ୟକଣ୍ଠ ଘରେ ଘରେ ପରିଚିତ। କିନ୍ତୁ ପ୍ରଭାବତୀ ସେଇଭଳି ଜଣେ ନେପଥ୍ୟ ନାୟିକା। ଗତବର୍ଷ ଜାନୁଆରି ୨୬ରେ କୈବଲ୍ୟକଣ୍ଠ ଦେହ ଛାଡ଼ି ଆରପାରିକୁ ଚାଲି ଯାଇଥିବା ‌ବେଳେ ତାଙ୍କୁ ସ୍ମରଣ କରିବା ସହ ତାଙ୍କୁ ସଫଳତାର ଶୀର୍ଷକୁ ନେବାରେ ଯିଏ ସାରା ଜୀବନ ଶିଡ଼ିଟିଏ ସାଜିଥିଲେ, ତାଙ୍କଠାରୁ ସାଉଁଟିଥିଲୁ ଅତୀତର କିଛି ଅଭୁଲା ସ୍ମୃତି।

ଗୀତରେ ଏତେ ଭୋଳ ହୋଇଯାଆନ୍ତି ଯେ ଅର୍ଜୁନ ଠାକୁର ଘରେ ତାନପୁରାଟିଏ ଧରି ଘଣ୍ଟାଘଣ୍ଟା ବିତାଇ ଦିଅନ୍ତି। ଭୋକ ଶୋଷ ଭୁଲି ଯାଆନ୍ତି। ଥରେ ଏକ ଘଟଣାକୁ ସ୍ମରଣ କରି ପ୍ରଭାବତୀ କୁହନ୍ତି, ସେ (ଅର୍ଜନୁ ସାମଲ) ମାଛ ଆଣିବାକୁ ବଜାରକୁ ଯାଇଥାଆନ୍ତି। ଘରକୁ ମାଛ ନେଇ ଆସ‌ିଲେ, ମାଛ ବେସର ହେବାର ଥାଏ। ମାଛ ବଜାରରୁ କିଣିକି ସିନା ନେଇ ଆସିଲେ, କିନ୍ତୁ ଜଣେ ବନ୍ଧୁଙ୍କ ଘରେ ସଂଗୀତକୁ ନେଇ ଚର୍ଚ୍ଚା ଆରମ୍ଭ ହେବାରୁ ସେଇଠି ମାଛ ପୁଡ଼ିଆକୁ ଟଙ୍ଗେଇ ଦେଇ ଚର୍ଚ୍ଚା ଆରମ୍ଭ କରିଦେଲେ। ଏମିତିକି ଚର୍ଚ୍ଚାରୁ ସଂଗୀତ ଆସର ଆରମ୍ଭ ହୋଇଗଲା। ଶେଷ ହେଲା ବେଳକୁ ଦିନ ଗୋଟେ। ମାଛ ନେଇ ଘରେ ସିନା ପହଞ୍ଚିଲେ, ହେଲେ ସେତେବେ‌ଳକୁ ରୋଷେଇ ସରି ଯାଇଥିଲା। ଖାଲି ସେତିକି ନୁହେଁ, ହାଣ୍ଡିଶାଳରେ ବି ‌ସେ ସ୍ବର କରିବାରେ ମଜି ଯାଉଥିଲେ। ପ୍ରଭାବତୀ ମାଛ ଛାଣୁଥିବେ, ‌ଏପଟେ ହାରମୋନିୟମ୍‌ ଧରି ଅର୍ଜୁନ ସ୍ବର ସଂରଚନାରେ ଲାଗିଥିବେ। ମଝିରେ ମଝିରେ ପଚାରୁଥିବେ ପ୍ରଭା, କେମିତି ଲାଗୁଛି? ପ୍ରଭାବତୀ ହୁଁ ମାରିବା ପର୍ଯ୍ୟନ୍ତ ସ୍ବର କରିବା ଚାଲିଥିବ। ଥରେ ଏମିତି ବି ହୋଇଥିଲା ଯେ ମୁଁ ଆକାଶବାଣୀରେ ପ୍ରସାରିତ ଅନୁରୋଧ କାର୍ଯ୍ୟକ୍ରମରେ ତାଙ୍କ ଗୀତ ଶୁଣିବାକୁ ନିବେଦନ କରିଥିଲି।

ସଂଗୀତ ସାଧନା ପାଇଁ ଚାକିରି କ୍ଷେତ୍ରରେ ସେ ବହୁବାର ବଦଳି ହୋଇଛନ୍ତି। ମାତ୍ର ଯୋଉଠିକୁ ଯାଇଛନ୍ତି, ସଂଗୀତର ଫଗୁ ବୁଣିଛନ୍ତି। ମିଛ ମାୟା‌ଭରା ଏ ସାରା ଦୁନିଆ.., ଦିନବନ୍ଧୁ ଏହି ଅଳି.., ନୀଳଗିରି ଜଗନ୍ନାଥ..ଭଳି ଗୀତ ତାଙ୍କୁ କୈବଲ୍ୟକଣ୍ଠର ଉପାଧି ଦେଇଥିଲେ ହେଁ ଆକାଶବାଣୀରୁ ପ୍ରସାରିତ ସଜଫୁଲ ଗୀତ, ପଲ୍ଲୀଗୀତ, ରାଗମଞ୍ଜରୀ, ଅତସି କୁସୁମ କାର୍ଯ୍ୟକ୍ରମର ଗୀତ ଆଜି ବି ଅନେକ ରେଡ଼ିଓ ଶ୍ରୋତାଙ୍କ ଅପାସୋରା ହୋଇ ରହିଛି। ତୋ ଗାଁ’କୁ ଯିବା ବାଟ କେତେ ଅଙ୍କାବଙ୍କାଲୋ.., ଚଷା ପୁଅ ଭୂଇଁ ଚିରି.., ସରମିଲତା ଗୋ ସେନେହ ଜାଣିବ.., ସୁଲି ‌କାନ୍ଦେ ଫୁଲିଫୁଲି.., ଗଲାସନେ ତମେ ଚଣ୍ଡୀ ମନ୍ଦିରରେ.., ପୂଜା ଛୁଟି ନେଇ…ଭଳି ତାଙ୍କ କଣ୍ଠ ନିଃସୃତ ଶହଶହ କାଳଜୟୀ ଗୀତ ତାଙ୍କୁ ଆଜି ବି ହୃଦୟରେ ଅମର କରି ରଖିଛି। ସଂଗୀତର ମଳୟରେ ତାଙ୍କ ପରିବାର ବି ମହକୁଛି। ପୁଅ ବୋହୂଙ୍କଠାରୁ ଆରମ୍ଭ କରି ନାତି ନାତୁଣୀ କେହି‌ ନା କେହି ସଂଗୀତର କୌଣସି କ୍ଷେତ୍ରରେ ଜଣେ ଜଣେ ସାଧକ ପାଲଟିଛନ୍ତି। ଅର୍ଜୁନ କାଳେ ବେଳେବେଳେ ତାଙ୍କ ନାତିକୁ କୁହନ୍ତି, ପ୍ରଭା ମୋ ପାଖ‌ରେ ନଥିଲେ, ମରୁଭୂମିରେ ତୃଷାର୍ତ ଭଳି ନିଜକୁ ଅନୁଭବ ହୁଏ। ପ୍ରଭାବତୀ କୁହନ୍ତି, ଆଜି ବି ମତେ ଲାଗେ ସେ ମୋ ଉପରେ ଅଭିମାନ କରି କୁଆଡ଼େ ଯାଇଛନ୍ତି। ତେଣୁ ସେ ଗାଇଥିବା ‘ଛୋଟ ଛୋଟ କଥା ସବୁ ଭୁଲେ ବୋଲି, ରାଗୁଛ କିଆଁ ଗୋ ଏତେ… ଶୁଣି ତାଙ୍କ ସହ ନିରବରେ କଥା ହୁଏ।

ସମ୍ବନ୍ଧିତ ଖବର