ଭୁବନେଶ୍ବର: ବଡ଼ ଚ୍ୟାନେଲ୍ରେ ସୁଯୋଗ ଦେବାପାଇଁ ଅଡିସନ ନାଁରେ କଣ୍ଠଶିଳ୍ପୀଙ୍କୁ ଓୟୋକୁ ଡାକିଥିଲେ। ଅଡିସନ୍ ବଦଳରେ ଦୁଷ୍କର୍ମ କରିଥିଲେ। ଖାଲି ସେତିକି ନୁହେଁ ସେମାନେ ପ୍ରମାଣ ନଷ୍ଟ ପାଇଁ ନିର୍ଦ୍ଦିଷ୍ଠ ଭାବେ ଏହି ଓୟୋକୁ ଆସିଥିବା ଜଣାପଡ଼ିଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଓୟୋରେ ଯୁବତୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଗଣଦୁଷ୍କର୍ମ ମାମଲାରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଛି। ଆଜି ପୁଲିସର ଏକ ଟିମ୍ ଓୟୋକୁ ଯାଇ ତନାଘନା ବେଳେ ଅଭିଯୁକ୍ତଙ୍କ ଚାଲ୍ ପଦାରେ ପଡ଼ିଛି। ସବୁଠୁ ବଡ଼କଥା ହେଲା ପୁଲିସ ଘଟଣା ଦିନର ସିସିଟିଭି ଫୁଟେଜ୍ ସଂଗ୍ରହ ପାଇଁ ଯାଇଥିବା ବେଳେ ସେଠାରେ ସିସିଟିଭି ନଥିଲା। ଯଦିଓ ହୋଟେଲ୍ ଓ ଲଜ୍ ଭଳି ସ୍ଥାନରେ ସିସିଟିଭି ଲଗାଇବା ପାଇଁ କମିସନରେଟ୍ ପୁଲିସ ପୂର୍ବରୁ ବାଧ୍ୟତାମୂଳକ କରିଛି, ତଥାପି ଓୟୋରେ ସିସିଟିଭି ନଥିବା ପଛରେ କାରଣ କ’ଣ? ସେ ଦିଗରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଓୟୋ ମାଲିକଙ୍କୁ ଡାକି ଜେରାକରି ନୋଟିସ୍ ଦେଇ ଛାଡ଼ିବା ସହ ଓୟୋକୁ ସିଲ୍ କରିଛି।
ତଦନ୍ତ ବେଳେ ଜଣାପଡ଼ିଛି ଯେ ଜଣାପଡ଼ିଛି ଯେ ଯୁବତୀ ଜଣକ ଜଣେ କଣ୍ଠଶିଳ୍ପୀ। ସେ କେତେକ ମେଲୋଡି ପାର୍ଟି ପାଇଁ ସଂଗୀତ ପରିବେଷଣ କରିଥିବାବା ବେଳେ ନିଜର ଏକ ୟ୍ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି। କିଛିଦିନ ତଳେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଅଭିଯୁକ୍ତ ଚନ୍ଦନ ହାତୀ ସହ କଣ୍ଠଶିଳ୍ପୀଙ୍କ ସାକ୍ଷାତ ହୋଇଥିଲା। କୌଶଳ କ୍ରମେ ଚନ୍ଦନ କଣ୍ଠଶିଳ୍ପୀଙ୍କ ଇନ୍ଷ୍ଟା ଆଇଡ୍ରେ ମେସେଜ୍ କରି ନିଜକୁ ଏକ ବଡ଼ ଚ୍ୟାନେଲ୍ର ପ୍ରଡ୍ୟୁସର ବୋଲି ପରିଚୟ ଦେଇଥିଲା। ଚ୍ୟାନେଲ୍ରେ କାମ କରୁଥିବାରୁ ତାଙ୍କର ଅନେକ କଳାକାର ଓ ପ୍ରଭାଶାଳୀ ଲୋକଙ୍କ ସହ ସମ୍ପର୍କ ଥିବା କଥା କହିଥିଲା। ଆଉ ଅଡିସନ୍ରେ ପାସ୍ କଲେ ତାଙ୍କୁ ବଡ଼ ବଡ଼ ଚ୍ୟାନେଲ୍ରେ ସୁଯୋଗ ଦେବାକୁ କହି ଫସାଇଥିଲା। କଣ୍ଠଶିଳ୍ପୀଙ୍କୁ ଫସାଇବା ପରେ ଗତ ୧୦ ତାରିଖ ଦିନ ୧୨ଟାରେ ଚନ୍ଦ୍ରଶେଖରପୁର ସ୍ଥିତ ଓୟୋକୁ ଡାକିଥିଲା। ଯୋଜନା ମୁତାବକ ପୂର୍ବରୁ ବନ୍ଧୁ ପ୍ରସନ୍ନ ଆଚାର୍ଯ୍ୟ ଓ ଓୟୋରେ ଥିବା ସହଯୋଗୀ ରାଜେଶ ଦାସ ମଧ୍ୟ ପ୍ରସ୍ତୁତ ରହିଥିଲେ। କଣ୍ଠଶିଳ୍ପୀ ଓ ଚନ୍ଦନ ପହଞ୍ଚିବା ପରେ ତାଙ୍କୁ ମୃଦ୍ୟୁପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ସେଠାରେ ବନ୍ଦୀ କରି ରଖିଥିଲେ। କଣ୍ଠଶିଳ୍ପୀଙ୍କ ଭଉଣୀ ଘଟଣା ସମ୍ପର୍କରେ ଜାଣିବା ପରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ମହିଳା ଥାନା ପୁଲିସ ବିଏନ୍ଏସ୍ ଧାରା - ୭୦(୧) ଗଣ ବଳାତ୍କାର, ୧୧୫(୨) ମାରପିଟ୍, ୧୨୩ ନିଶା ଦେଇ ସଜ୍ଞାହୀନ ଅବସ୍ଥାରେ ଅପରାଧ ଘଟାଇବା ଓ ୨୯୬ ଗାଳିମନ୍ଦ କରିବା ଅଧାରରେ ମାମଲା ରୁଜୁକରି ମୁଖ୍ୟ ଅଭିଯୁକ୍ତ ଚନ୍ଦନ ଓ ତାର ଦୁଇ ସହଯୋଗୀ ପ୍ରସନ୍ନ ଓ ରାଜେଶକୁ ଗିରଫ କରି କୋର୍ଟଚାଲାଣ କରିଥିଲା।