ପାଇକଙ୍କ ଉପରେ ହେବ ସଂଗୀତ ସିଡି

ଭୁବନେଶ୍ୱର: ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମଙ୍ଗୁଆଳ ସାଜିଥିବା ଓଡ଼ିଆ ପାଇକ ପୁଅଙ୍କୁ ସଂଗୀତରେ ସର୍ବବିଦିତ କରାଯିବ। ଏଇ ଲଢ଼ୁଆ ଜାତିର ଅବିସ୍ମୃତ ବୀରଗାଥାକୁ ପରିପିଢ଼ି ନିକଟରେ ପହଞ୍ଚାଇବାକୁ ଏକ ସଂଗୀତ ସିଡିର ପରିକଳ୍ପନା କରିଛି ସଂସ୍କୃତି ବିଭାଗ। ଦେଶବ୍ୟାପୀ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ପାଳିତ ହୋଇଥିବା ବେଳେ ସଂସ୍କୃତି ବିଭାଗ ଓଡ଼ିଶା ସଂଗୀତ ନାଟକ ଏକାଡେମିକୁ ଏହି ସିଡି ପ୍ରସ୍ତୁତ କରିବାର ଦାୟିତ୍ୱ ଦେଇଛି। ସଂଗୀତ ନିର୍ଦେଶକ ବିକାଶ ଦାଶଙ୍କ ନିର୍ଦେଶନାରେ ସଂଗୀତ ସିଡି ପ୍ରସ୍ତୁତି ହେବା ନେଇ ଆପତତଃ ସ୍ଥିର ହୋଇଛି। ଗୋଦାବରୀଶ ମିଶ୍ରଙ୍କର କବିତା ସମେତ ଗୀତିକାର ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ବୃନ୍ଦାବନ ଜେନା, ସଚ୍ଚି ମହାନ୍ତି, କୃଷ୍ଣଚନ୍ଦ୍ର ତ୍ରିପାଠୀ, ବିଜୟ ମଲ୍ଲଙ୍କ ୧ଟି ଲେଖାଏଁ ଗୀତ ଏବଂ ବିରଞ୍ଚି ନାରାୟଣ ସାମଲଙ୍କ ୨ଟି ଗୀତକୁ ନେଇ ସଂଗୀତ ସିଡି ପ୍ରସ୍ତୁତ କରାଯିବ। ସଂଗୀତ ନାଟକ ଏକାଡେମିର ଅଧ୍ୟକ୍ଷା ତଥା ଜଣାଶୁଣା କଣ୍ଠଶିଳ୍ପୀ ତୃପ୍ତି ଦାସ ଏହି ସଂଗୀତ ସିଡି ପ୍ରସ୍ତୁତିର କାର୍ଯ୍ୟଭାର ନେଇଛନ୍ତି। ଏଥିପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୨ ଲକ୍ଷ ଟଙ୍କା ବଜେଟ୍‌ ସ୍ଥିର ହୋଇଥିବା କହିଛନ୍ତି ସଂସ୍କୃତି ବିଭାଗର ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ। ସଂଗୀତ ସିଡି ପ୍ରସ୍ତୁତି ପାଇଁ ପୂର୍ବରୁ ୨ଥର ବୈଠକ ଡକାଯାଇଛି। ତେବେ କେଉଁ କଣ୍ଠଶିଳ୍ପୀ ଏଥିରେ କଣ୍ଠଦାନ କରିବେ, ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ ବୋଲି ଏକାଡେମିର ସଚିବ ପ୍ରଦୀପ କୁମାର ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ, ଢେର୍‌ଦିନ ଚୁପ୍‌ ରହିବା ପରେ ପ୍ରାୟ ୨୦୦ବର୍ଷ ପରେ ପାଇକ ବିଦ୍ରୋହକୁ ନୂଆ ଦିଗନ୍ତ ମିିଳିଛି। ପୂର୍ବରୁ କେନ୍ଦ୍ର ଏଚ୍‌ଆର୍‌ଡି ମନ୍ତ୍ରୀ ପ୍ରକାଶ ଜାଭେଦ୍‌କର ପାଇକ ବିଦ୍ରୋହକୁ ପାଠ୍ୟ ଇତିହାସ ବହିରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଲେଖାଯିବା ନେଇ ସୂଚନା ଦେଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରୁଣେଇ ପାହାଡ଼ ଉପରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତି ନିର୍ମାଣ ନେଇ ସୂଚନା ଦେଇଛନ୍ତି। ସେହିଭଳି ରାଜ୍ୟ ସରକାର ରାଜ୍ୟ ସଂଗ୍ରହାଳୟରେ ପାଇକ ଗ୍ୟାଲେରି ପ୍ରସ୍ତୁତ କରିବା ସହ ଜାତୀୟସ୍ତରରେ ଆଲୋଚନାଚକ୍ର ଆୟୋଜନ କରିଛି। ସ୍ୱତନ୍ତ୍ର ପୁସ୍ତକ ମଧ୍ୟ ପ୍ରକାଶ ପାଇଛି। ସଂସ୍କୃତି ବିଭାଗ ଏଥର ସଂଗୀତ ସିଡି ଓଡ଼ିଆରେ ପ୍ରସ୍ତୁତ କରୁଥିବା ବେଳେ ପାଇକଙ୍କୁ ନେଇ ଆଗକୁ ଆହୁରି ଯୋଜନା ପ୍ରସ୍ତୁତ କରୁଛି।

ସମ୍ବନ୍ଧିତ ଖବର