ଆ ଅବ୍‌ ଲୌଟ୍‌ ଚଲେ…

ସଂଗୀତରେ ମୁକେଶଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସଂଗୀତରେ ସଂଗୀତରେ ବଲିଉଡ୍‌ ଜଗତର ସୁର ସମ୍ରାଟ ମୁକେଶଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଜଣାଶୁଣା ଶିଳ୍ପୀଗଣ। ବଲାଙ୍ଗୀରର ‘ଦ ହରାଇଜନ୍‌’ ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ବିଶେଷ ସଂଗୀତ ଆସରରେ ଶୁଣିବାକୁ ମିଳିଥିଲା ବହୁ କାଳଜୟୀ ସଂଗୀତ। ଆ ଲୌଟ୍‌ କେ ଆଜା ମେରେ ମିତ.., ତୁମ୍‌ ଯୋ ହମାରେ ମିତ ନ ହୋତେ.., ସାରଙ୍ଗା ତେରି ୟାଦ୍‌.., ଚଲ୍‌ ଅକେଲା.., ଯୋ ତୁମ୍‌କୋ ହୋ ପସନ୍ଦ.., ଆ ଅବ୍‌ ଲୌଟ୍‌ ଚଲେ.. ଭଳି ଚିର ସବୁଜ ଗୀତଗୁଡ଼ିକୁ ଗାଇ ଶୁଣାଇଥିଲେ ଶିଳ୍ପୀ ବୁବୁ ଉଦ୍‌ଗାତା, ଲୋଭା ବିଶ୍ୱାଳ, ସୁରଜ ଦାଶ, ଦେବଦାସ, ରଂଜିତ ମହାନ୍ତି, ଅରୁଣ, ହିତେଶ ମିଶ୍ର, ଆର୍ଯ୍ୟା ମିଶ୍ର, କୌଶିକି ପଟ୍ଟନାୟକ, ସ୍ୱପ୍ନା, ଜିଜ୍ଞାସା ଓ ସ୍ପନ୍ଦନ ମିଶ୍ର। ସଂଗୀତାଂଶେ ସହଯୋଗ କରିଥିଲେ ବରଦା ପଟ୍ଟନାୟକ, ବସନ୍ତ ତିଆଡ଼ି, ଅବନିକାନ୍ତ ଦାସ, କିରଣ କୁମାର, ପ୍ରେମଶଙ୍କର ଦାସ ଓ ବବ୍‌ଲୁ। କଣ୍ଠଶିଳ୍ପୀ ପୁରୁଣା ଦିନର ଅଭୁଲା ଗୀତକୁ ଗାଇ କେବଳ ଶ୍ରୋତାଙ୍କୁ ତଲ୍ଲୀନ କରି ନଥିଲେ ବରଂ ଶ୍ରୋତାଙ୍କୁ ମୁକେଶଙ୍କ ଅମଳର ଦୁନିଆକୁ ଫେରାଇ ନେଉଥିଲେ। ଆଜିର ଏହି ସଂଗୀତ ସନ୍ଧ୍ୟାକୁ ଆହ୍ଲାଦିନୀ ମିଶ୍ର, ସିନେ କ୍ରିଟିକ୍‌ ଆସୋସିଏସନ୍‌ର ସମ୍ପାଦକ ଦିଲ୍ଲୀପ ହାଲି ଏବଂ କମଳାକାନ୍ତ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଂଗୀତ ସନ୍ଧ୍ୟାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବରଦା ପଟ୍ଟନାୟକ, ବସନ୍ତ ତିଆଡ଼ି, କିରଣ କୁମାର ଏବଂ ଦେବଦାସଙ୍କୁ ସମ୍ବର୍ଧିତ କରାଯାଇଥିଲା। ତରୁଣ ଶଙ୍କର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର