କାଳିଆ ପୀରତି; ୧୨ବର୍ଷ ହେଲା ଚତୁର୍ଦ୍ଧା ମୂରତିଙ୍କ କୁନି ରଥ ତିଆରି କରୁଛନ୍ତି ସିଦ୍ଧାର୍ଥ ଶେଖର

ଦୃଢ଼ ଇଚ୍ଛା ଶକ୍ତିଥିଲେ ଘରଦାଣ୍ଡ ବି ହୋଇପାରେ ବଡ଼ଦାଣ୍ଡ

ଖଣ୍ଡଗିରି: କାଳିଆଙ୍କର ପ୍ରତି ଭଲପାଇବା ପିଲା ବେଳୁ ତାଙ୍କୁ ସମସ୍ତଙ୍କଠାରୁ ଭିନ୍ନ କରିଥିଲା। ମାତ୍ର ୧୦ ବର୍ଷ ବୟସରୁ ସେ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପାଇଁ ବାଉଁଶ କିଣି ଓ ବାଡ଼ିରେ ତିଆରି କରୁଥିଲେ ରଥ। ୧୨ ବର୍ଷ ହେଲା ତିନି ଠାକୁରଙ୍କ ପାଇଁ ରଥ ତିଆରି କରୁଛନ୍ତି ସିଦ୍ଧାର୍ଥ। ବର୍ତ୍ତମାନ ସେ ଏକ ଘରୋଇ କଲେଜରେ ଉଦ୍ଭିଦ ବିଭାଗ ସମ୍ମାନରେ ସ୍ନାତ୍ତକ ପଢୁଛନ୍ତି। କିନ୍ତୁ କାଳିଆ ପ୍ରତି ନିଶା ତାଙ୍କୁ କେବେ ନିବୃତ୍ତ କରିପାରି ନାହିଁ। ଦୃଢ଼ ଇଚ୍ଛା ଶକ୍ତିଥିଲେ ଘରଦାଣ୍ଡ ବି ହୋଇପାରେ ବଡ଼ଦାଣ୍ଡ। ଏହା ପ୍ରମାଣ କରି ଦେଖାଇଛନ୍ତି ସିଦ୍ଧାର୍ଥ। ପିଲା ବେଳେ ଛୋଟ ରଥ ତିଆରି କରି ଘର ଆଗରେ ଗଡ଼ାଉଥିଲେ। ପୁଅର ଠାକୁରଙ୍କ ପ୍ରତି ଏପରି ଭଲପାଇବା ଓ ଭକ୍ତି ଦେଖି ବାପା ଶ୍ରୀଧର ନାଥ ଓ ମା’ ସନ୍ଧ୍ୟାରାଣୀ ରପୁଅକୁ ପ୍ରୋତ୍ସାହନ ଯୋଗାଇବା ସହିତ କୁନି ରଥ ତିଆରି କରିବାରେ ସହାୟତା କରନ୍ତି। ସନ୍ଧ୍ୟା ରଥ ପାଇଁ କନା ଯୋଡ଼ି ଦିଅନ୍ତି। ବାପା ଆବଶ୍ୟକୀୟ ସାମଗ୍ରୀ ବଜାରରୁ ନେଇ ଆସନ୍ତି।

ଭଦ୍ରକ ଜିଲ୍ଲାରେ ସିଦ୍ଧାର୍ଥଙ୍କ ଘର। ବର୍ତ୍ତମାନ ସେ ନୟାପଲ୍ଲୀର ନୂଆସାହିରେ ରହୁଛନ୍ତି। ଠାକୁରଙ୍କ ପ୍ରତି ଭକ୍ତି ଓ ଭାବ ସିଦ୍ଧାର୍ଥଙ୍କ ପ୍ରତିବର୍ଷ ଠାକୁରଙ୍କ ରଥ ତିଆରି କରିବାକୁ ବାଧ୍ୟ କରିଦିଏ। କୌଣସି ରେକର୍ଡ କିମ୍ବା ପ୍ରଚାର ପ୍ରସାର ପାଇଁ ନୁହେଁ ଈଶ୍ବରଙ୍କ ପ୍ରତି ଅନୁରକ୍ତି ପ୍ରକାଶ ପାଇଁ ସେ ଏଭଳି କରୁଛନ୍ତି।

ଚଳିତ ବର୍ଷ କରୋନା କଟକଣା ଓ ନୀତି ନିୟମ ମାନି ୮ ଫୁଟ୍ ଉଚ୍ଚତାର ଜଗନ୍ନାଥ ରଥ, ୨ଇଞ୍ଚ କମରେ ବଳଭଦ୍ର ରଥ, ୨ ଇଞ୍ଚ କମରେ ସୁଭଦ୍ରାଙ୍କ ରଥ ତିଆରି କରିଛନ୍ତି। ଭାଇଙ୍କ ଏପରି ପ୍ରୟାସ ଦେଖି ସିଦ୍ଧାର୍ଥଙ୍କ ଦୁଇ ଭଉଣୀ ସୌରକାନ୍ତି ଓ ଶୁଭ ସ୍ମୃତି ମଧ୍ୟ ରଥ ତିଆରି କରିବାରେ ଭାଇଙ୍କୁ ସାହାଯ୍ୟ କରୁଛନ୍ତି। ଭାଇଙ୍କ ସାହାଯ୍ୟ କରିବା ଓ ରଥ ଦେଖିବାକୁ ଗ୍ରାମରୁ ବଡ଼ବାପା ଝିଅମାନେ ମଧ୍ୟ ଆସି ପହଁଚିଛନ୍ତି। ଏ ନେଇ ଶ୍ରୀଧରଙ୍କ କହିବାକଥା ପୁଅର ଆଗ୍ରହ ଦେଖି ଆମେ ତାକୁ ସାହାଯ୍ୟ କରୁଛୁ। କାଳିଆ ପ୍ରତି ଭଲପାଇବା ଓ ଆଗ୍ରହ ଆମମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଉତ୍ସାହ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର