କଟକ/ଭୁବନେଶ୍ୱର: ଶିରିପୁରରେ କାର୍ଯ୍ୟରତ କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଗ୍ରାଉଣ୍ଡ ଓ୍ଵାଟର ବୋର୍ଡରେ ସହକାରୀ ଇଂଜିନିୟର ଅକ୍ଷୟ କୁମାର ପୋଥାଳଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାୟିତ୍ୱ ନେଇଛି କ୍ରାଇମବ୍ରାଞ୍ଚ। ଶିରିପୁରର ଏକ ଗେଷ୍ଟ ହାଉସ୍ରେ ଅକ୍ଷୟଙ୍କ ମୃତ୍ୟୁ ଘଟିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମ୍ବ୍ରାଞ୍ଚରେ ଦଫା ୩୦୨ରେ ଏକ ମାମଲା(କେସ୍ ନଂ ୧୩) ରୁଜୁ ହେଇଛି। କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ବିକାଶ ରଞ୍ଜନ ବେଉରା ଘଟଣାର ତଦନ୍ତଭାର ଗ୍ରହଣ କରିଛନ୍ତି। ତାଙ୍କ ନେତୃତ୍ୱରେ ଗଠିତ ଏସ୍ଆଇଟି ଆସନ୍ତାକାଲିଠାରୁ ଗେଷ୍ଟ ହାଉସ୍ରେ ପହଞ୍ଚି ତଦନ୍ତ ଆରମ୍ଭ କରିବ। ହତ୍ୟା ମାମଲାକୁ ଖଣ୍ଡଗିରି ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଚାପି ଦେଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ।
ମୟୂରଭଞ୍ଜ ଜିଲ୍ଲା ଉଦଳା ନାଗପାଳର ସୁବାସିିନୀ ବେହେରାଙ୍କ ଭୁବନେଶ୍ୱରରେ ଦୁଇଟି ଘର ଅଛି। ତାଙ୍କ ପୁଅ ଅକ୍ଷୟ, ବୋହୂ ଅନିତା ଓ ୩ ନାତୁଣୀ ଖଣ୍ଡଗିରିରେ ରହୁଥିଲେ। ମା’ ସୁବାସିନୀଙ୍କ ଅଭିଯୋଗ ଅନୁଯାୟୀ, ବୋହୂ ଅନିତା ବିଭିନ୍ନ ସମୟରେ ଅକ୍ଷୟଙ୍କୁ ନିର୍ଯାତନା ଦେଉଥିଲେ। ଏହି କାରଣରୁ ଅକ୍ଷୟ ଶିରିପୁରର ଡେଲ୍ଟା ଛକରେ ଥିବା ସାଇ ରେସିଡେନ୍ସି ଗେଷ୍ଟ ହାଉସର ରୁମ୍ ନମ୍ବର ୧୦୯ରେ ୨୦୧୬ ଜୁଲାଇ ୧୪ ତାରିଖ ସକାଳ ପ୍ରାୟ ୬ଟା ବେଳେ ରହିଥିଲେ। ୧୬ ତାରିଖରେ ଉକ୍ତ ଗେଷ୍ଟ ହାଉସ୍ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ରୁମ୍ର କବାଟ ଭିତରୁ ପଟୁ ବନ୍ଦ ଥିଲା ବେଳେ ମୃତଦେହ ମିଳିବା, ପୂରା ଘଟଣାକୁ ଅଧିକ ରହସ୍ୟଜନକ କରି ଦେଇଥିଲା। ଅକ୍ଷୟଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ଗେଷ୍ଟ ହାଉସ୍ ମାଲିକ ଅରୁଣ ଶତପଥୀଙ୍କ ଅଭିଯୋଗ ଆଧାରରେ ଖଣ୍ଡଗିରି ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଶବ ବ୍ୟବଚ୍ଛେଦ ସହ ରସୁଲଗଡ଼ ଫରେନ୍ସିକ ସାଇନ୍ସ ଲାବ୍ରୋଟାରିର ରିପୋର୍ଟ ଆଧାରରେ ଅକ୍ଷୟଙ୍କର ଗେଷ୍ଟ ରୁମ୍ରେ ଖଟରୁ ପଡ଼ି ମୃତ୍ୟୁ ହୋଇଥିବା ଖଣ୍ଡଗିରି ପୁଲିସ ଦର୍ଶାଇଥିଲା। କିନ୍ତୁ ପୁଲିସ ଅକ୍ଷୟଙ୍କ ମୃତ୍ୟୁ ରହସ୍ୟକୁ ଚାପିଦେବାକୁ ଉଦ୍ୟମ କରିଥିବା ସଂକ୍ରାନ୍ତରେ ମା’ ସୁବାସିିନୀ ହାଇକୋର୍ଟରେ ରିଟ୍ ପିିଟିସନ୍ ଦାଖଲ କରିଥିଲେ। ସେହି ଆଧାରରେ ହାଇକୋର୍ଟ ଘଟଣାର ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛି। ଗେଷ୍ଟ ହାଉସ୍ରେ ଥିବା ଦେଢ଼ ଫୁଟ୍ ଉଚ୍ଚର ଖଟରୁ ପଡ଼ି ଅକ୍ଷୟଙ୍କ ମୃତ୍ୟୁ ହେବା ଏବଂ ଶରୀରରେ କ୍ଷତ ଚିହ୍ନ ସୃଷ୍ଟି ହେବା ସମ୍ଭବ ନୁହେଁ ବୋଲି ହାଇକୋର୍ଟ ରାୟରେ ଦର୍ଶାଇଥିଲେ। ଅପରପକ୍ଷେ ଘଟଣାର ତଦନ୍ତ ପରେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିପାରିବ ବୋଲି କ୍ରାଇମ୍ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/odisha-crime-branch-1.jpg)