ଭୁବନେଶ୍ୱର : ସିଦ୍ଧ ସାଧକ ଶିଶୁ ଅନନ୍ତଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡେମି ଏବଂ ଶିଶୁ ଅନନ୍ତ ଟ୍ରଷ୍ଟ୍‍ ପକ୍ଷରୁ ଆୟୋଜିତ ଏହି ବିଶେଷ ଉତ୍ସବରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ସୁସମାଜ ଗଠନ ଦିଗରେ ସିଦ୍ଧ ସାଧକଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ସିଦ୍ଧସାଧକମାନଙ୍କୁ ଲୋକାଭିମୁଖୀ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହେବା ଉଚିତ୍‌। ଜାତିବାଦ, ଧର୍ମବାଦ ଓ ରୁଢ଼ିବାଦ ସମାଜରୁ ଦୂରେଇବା ପାଇଁ ଏହିଭଳି ସିଦ୍ଧସାଧକମାନେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ତେଣୁ ଏହି ମହାପୁରୁଷମାନଙ୍କୁ ଲୋକଲୋଚନରେ ସଦା ଉଜ୍ଜୀବିତ ରଖିବା ପାଇଁ ପ୍ରୟାସ ହେବା ଉଚିତ। ଏଥିସହ ସେ ଶିଶୁ ଅନନ୍ତ ପୀଠର ଉନ୍ନତି ପାଇଁ ଚେଷ୍ଟା କରାଯିବ ବୋଲି କହିଥିଲେ। ସେହିପରି ବାଲିପାଟଣାରେ ନିର୍ମାଣ ଚାଲିଥିବା ମନ୍ଦିର ଓ ପେଣ୍ଡାଲ୍‌ କାମ ଖୁବ୍‌ଶୀଘ୍ର ଶେଷ କରାଯିବ ବୋଲି କହିଥିଲେ।

Advertisment

ଏହି ଅବସରରେ କଣ୍ଠଶିଳ୍ପୀ ଶାନ୍ତିଲତା ଛୋଟରାୟ ଏବଂ ସାହିତ୍ୟିକ ସୁରେନ୍ଦ୍ର ମିଶ୍ରଙ୍କୁ ‘ଶିଶୁ ଅନନ୍ତ ସମ୍ମାନ’ ପ୍ରଦାନ କରାଯାଇଥିଲା। ଡ. ସୁରେନ୍ଦ୍ର କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଧ୍ୟାତ୍ମିକ ପୁରୁଷମାନଙ୍କ ଯୁଗ ଉପଯୋଗୀ କାର୍ଯ୍ୟ ଓ ମହିମା ଉପରେ ଆଲୋକପାତ କରିଥିଲେ। ଏକାଡେମିର କାର୍ଯ୍ୟକାରୀ ପରିଷଦର ଭାଗୀରଥି ମହାସୁଆରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡ. ରାମଚନ୍ଦ୍ର ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶିଶୁ ଅନନ୍ତଙ୍କ ମହନୀୟ ଅବଦାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।