କଟକ: ଶିଶୁଭବନ ଓପିଡିରେ ଡାକ୍ତରଙ୍କୁ ଦେଖାଇବାକୁ ଏଣିକି ଆଉ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ାହୋଇ ଟିକେଟ୍ କାଟିବାକୁ ପଡ଼ିବ ନାହିଁ। ଘରେ ବସି ରୋଗୀ ୧୬ ଦିନ ପୂର୍ବରୁ ଟିକେଟ୍ ବୁକିଂ କରିପାରିବେ। ଆସନ୍ତାକାଲି ଗୁରୁବାରଠାରୁ ଯଦିଓ ବିଧିବଦ୍ଧ ଭାବେ ଏହି ଅନ୍ଲାଇନ୍ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ତେବେ ଗଲା ଦୁଇ ଦିନ ମଧ୍ୟରେ ୧୦ଟି ଲେଖାଏଁ କରି ୨୦ ଜଣ ରୋଗୀ ଡାକ୍ତରଙ୍କୁ ଦେଖାଇବାକୁ ଆଗୁଆ ଟିକେଟ୍ ବୁକିଂ କରିସାରିଲେଣି।
ସୂଚନା ଅନୁଯାୟୀ, ଶିଶୁଭବନର ନୂଆ କୋଠାରେ ଥିବା ଓପିଡି କାଉଣ୍ଟରରେ ଦୈନିକ ୭୦୦ରୁ ୮୦୦ ରୋଗୀ ଟିକେଟ୍ କାଟିଥାନ୍ତି। ଏହାଦ୍ବାରା ଶିଶୁଭବନରେ ଦୈନିକ ପ୍ରବଳ ମାତ୍ରାରେ ଗହଳି ହେଉଛି। ଏହି ଗହଳି ଏଡ଼ାଇବା ପାଇଁ ଏଣିକି ଅନ୍ଲାଇନ୍ ମାଧ୍ୟମରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ https://eswasthya.odisha.gov.in/AHIMSG5/hissso/loginLogin ୱେବ୍ସାଇଟ୍ ମାଧ୍ୟମରେ ଟିକେଟ୍ ବୁକିଂ କରାଯିବ। ଏହି ୱେବ୍ସାଇଟ୍ରେ ହସପିଟାଲ୍ ନାଁ, କେଉଁ ତାରିଖରେ ଡାକ୍ତରଙ୍କୁ ଦେଖାଇବେ, କେଉଁ ବିଭାଗର ଡାକ୍ତରଙ୍କୁ ଦେଖାଇବେ, କେଉଁ ସମୟରେ ଦେଖାଇବେ; ଏ ସଂକ୍ରାନ୍ତ ତଥ୍ୟ ପ୍ରଥମେ ଦାଖଲ କରିବାକୁ ପଡ଼ିବ। ଏହାପରେ ରୋଗୀଙ୍କ ସମ୍ପୂର୍ଣ୍ଣ ପରିଚୟ ଓ ଠିକଣା ଦାଖଲ କରିବାକୁ ପଡ଼ିବ। ଏସବୁ ଦାଖଲ କରି ପଞ୍ଜୀକରଣ କରିବା ପରେ ଏକ ନମ୍ବର ମୋବାଇଲ୍ ଫୋନ୍କୁ ଆସିବ। ଏହି ନମ୍ବରକୁ ଧାର୍ଯ୍ୟ ତାରିଖରେ ଶିଶୁଭବନ ଓପିଡି କାଉଣ୍ଟରରେ ଖୋଲିଥିବା କିଓସ୍କୋରେ ଦେଖାଇଲେ, ସେଠାରୁ ଓପିଡି ଟିକେଟ୍ ପ୍ରିଣ୍ଟ ହେବ। ଏହି ଟିକେଟ୍ ନେଇ ନିଜ ପସନ୍ଦ ଅନୁଯାୟୀ ଡାକ୍ତରଙ୍କୁ ଦେଖାଇବେ। ଓପିଡି କାଉଣ୍ଟରରେ କେଉଁ ଦିନ କେଉଁ ଡାକ୍ତର ଚିକିତ୍ସା କରୁଛନ୍ତି, ସେ ସଂକ୍ରାନ୍ତ ତଥ୍ୟ ମଧ୍ୟ ୱେବ୍ସାଇଟ୍ରେ ଉଲ୍ଲେଖ ରହିଛି। ତେଣୁ ଶିଶୁଭବନ ଆସିବା ପୂର୍ବରୁ ଏ ସମ୍ପର୍କିତ ତଥ୍ୟ ରୋଗୀ ଜାଣିପାରିବେ। ମେଡିସିନ୍ ଓ ସର୍ଜରି ଆଉଟ୍ଡୋର୍ ଦୈନିକ ଚାଲୁଥିବା ବେଳେ ସ୍ବତନ୍ତ୍ର ବିଭାଗର ଆଉଟ୍ଡୋର୍ ନିର୍ଦ୍ଦିଷ୍ଟ ଦିନରେ ଚାଲୁଛି। ସୋମବାର ହୃଦ୍ରୋଗ ବିଭାଗର ଆଉଟ୍ଡୋର୍, ବୁଧବାର ନେଫ୍ରୋଲୋଜି, ଶୁକ୍ରବାର ନେଫ୍ରୋଲୋଜି ଓ ନ୍ୟୁରୋଲୋଜି, ଶନିବାର ମାନସିକ ରୋଗ ଓପିଡି ଚାଲୁଛି। ଓଡ଼ିଶା ରାଜ୍ୟ ମେଡିକାଲ୍ କୋଅପରେସନ୍ ଲିମିଟେଡ(ଓଏସ୍ଏମ୍ସିଏଲ୍) ପକ୍ଷରୁ କିଓସ୍କୋ ଖୋଲିବାରେ ସହଯୋଗ ଯୋଗାଇବା ପାଇଁ ଗଲା ୨ ତାରିଖରେ ଶିଶୁଭବନ କର୍ତ୍ତୃପକ୍ଷ ଏ ନେଇ ଚିଠି ଲେଖିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗୋଟିଏ କିଓସ୍କୋରେ ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ଲ୍ୟାବ୍ ରିପୋର୍ଟ ମଧ୍ୟ ଅନ୍ଲାଇନ୍ରେ ଯୋଗାଇ ଦିଆଯିବ।
ଏଣିକି ଅନ୍ଲାଇନ୍ରେ ଶିଶୁଭବନ ଓପିଡି ଟିକେଟ୍
ଶିଶୁଭବନ ଓପିଡିରେ ଡାକ୍ତରଙ୍କୁ ଦେଖାଇବାକୁ ଏଣିକି ଆଉ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ାହୋଇ ଟିକେଟ୍ କାଟିବାକୁ ପଡ଼ିବ ନାହିଁ। ଘରେ ବସି ରୋଗୀ ୧୬ ଦିନ ପୂର୍ବରୁ ଟିକେଟ୍ ବୁକିଂ କରିପାରିବେ। ଆସନ୍ତାକାଲି ଗୁରୁବାରଠାରୁ ଯଦିଓ ବିଧିବଦ୍ଧ ଭାବେ ଏହି ଅନ୍ଲାଇନ୍...
/sambad/media/media_files/2025/08/07/untitled-16-2025-08-07-07-38-19.jpg)