ପୁରୁଣା ଭୁବନେଶ୍ୱର: ଏକଦା ଶିଶୁପାଳଗଡ଼ ଅଞ୍ଚଳରେ ଗଡ଼ ପରିସୀମା ଥିଲା ୫୬୭ ଏକର।  ଏବେ ମାତ୍ର ୦.୭୭୭ ଡିସିମିଲ ଗଡ଼ ପରିସୀମା ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ସଂରକ୍ଷଣରେ ରହିଛି। ତେବେ ଏହି ଗଡ଼କୁ କାଟି ରାସ୍ତା ତିଆରି ସହ ଜବରଦଖଲ କରାଯାଇଛି। ଏପରିକି ପ୍ଲଟିଂ କରି ବିକ୍ରି କରାଯାଇଛି। ଏହି ଅଭିଯୋଗ ପରେ ଏବେ ଜିଲ୍ଲା ପ୍ରଶାସନ ଓ  ଏଏସ୍ଆଇ(ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା) ପକ୍ଷରୁ ସରଜମିନ ତଦନ୍ତ କରାଯାଇଛି। ଐତିହ୍ୟ କାନ୍ଥି କାଟି ବେଆଇନ ରାସ୍ତା ତିଆରି ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ପୂର୍ବରୁ ସେଠାରେ ୨ଶହ ଘର ବେଆଇନ ହୋଇଥିବା ବେଳେ ଏବେ ପୁଣି ୨୫ଟି ଘର ବେଆଇନ ଭାବେ ଗଢ଼ି ଉଠିଛି ବୋଲି ଜଣାପଡ଼ିଛି। ତେବେ ଐତିହ୍ୟସ୍ଥଳୀ ଶିଶୁପାଳଗଡ଼କୁ ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। 

Advertisment

ଜିଲ୍ଲାପାଳ ଓ ଏସ୍‌ଆଇ ଅଧୀକ୍ଷକଙ୍କ ଟିମ୍‌ ନିକଟରେ ଏହାର ତଦନ୍ତ କରିଛନ୍ତି। ତଦନ୍ତ ବେଳେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ଜବରଦଖଲକାରୀମାନେ ଗଡ଼଼ର ଅନ୍ୟାନ୍ୟ ଜାଗା ମଧ୍ୟ ଦଖଲ କରି ସାରିଲେଣି। ଏମିତି କି ଶିଶୁପାଳଗଡ଼ ପଞ୍ଚାୟତର ଜଳାଶୟଗୁଡ଼ିକ ଉପରେ ମଧ୍ୟ ଘର ଓ ଦୋକାନ ଘର ତିଆରି କରିଛନ୍ତି। ସେମାନଙ୍କୁ ବିଦ୍ୟୁତ୍‌ ଓ ପାଣି ଯୋଗାଇ ଦିଆଯିବା ଯୋଗୁ ଅଧିକ ଜବରଦଖଲ ହେଉଛି ବୋଲି ଏକାମ୍ର ଜନ ଜାଗରଣ ମଞ୍ଚ ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି। ଆଇନଜୀବୀ ରାଜେନ୍ଦ୍ର ଦାସ କହନ୍ତି ଐତିହ୍ୟ କୀର୍ତ୍ତିରାଜି ଏକ ପ୍ରକାର ସତ୍ତା ହରାଇବାକୁ ବସିଲାଣି। ପ୍ରଶାସନ ନିରବ ଯୋଗୁ ଏପରି ଜବରଦଖଲ ବଢ଼ୁଛି। ଏନେଇ ଏଏସ୍ଆଇ ଅଧୀକ୍ଷକ ଏନ୍‌କେ ସ୍ବାଇଁ କହିଛନ୍ତି ଜିଲ୍ଲା ପ୍ରଶାସନ ସହ ଆଜି ଅନୁଧ୍ୟାନ କରାଯାଇଛି। ନକ୍ସା ଓ ପଟ୍ଟାକୁ ଦେଖି ସରଜମିନ୍‌ ତଦନ୍ତ କରାଯାଇଛି। ଖୁବ୍‌ ଶୀଘ୍ର ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ କହିଛନ୍ତି ଜିଲ୍ଲା ପ୍ରଶାସନ  ଶିଶୁପାଳଗଡ଼ ଜବରଦଖଲ ପ୍ରସଙ୍ଗକୁ ଗୁରୁତ୍ବର ସହ ନେଇଛି। ତେଣୁ ଆଜି ସରଜମିନ୍‌ ତଦନ୍ତ କରାଯାଇଛି।