ଶିଶୁପାଳଗଡ଼ ସର୍ଭେ ରିପୋର୍ଟ ପ୍ରସ୍ତୁତ

ଏଏସ୍ଆଇ ଡିଜିଙ୍କୁ ଜଣାଯିବ ଜବରଦଖଲ ଘଟଣା, ଆବଶ୍ୟକସ୍ଥଳେ ମାମଲା ହେବ

ପୁରୁଣା ଭୁବନେଶ୍ୱର : ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ଶିଶୁପାଳଗଡ଼ରେ ସର୍ଭେ କରାଯାଇ ରିପୋର୍ଟ ପ୍ରସ୍ତୁତ ହୋଇଛି। ଏଠାରେ ହୋଇଥିବା ଜବରଦଖଲ ନେଇ ଏଏସଆଇ ଡିଜିଙ୍କୁ ଜଣାଯିବ। ଆବଶ୍ୟକସ୍ଥଳେ ମାମଲା ରୁଜୁ ହେବ ବୋଲି ମଧ୍ୟ ଏଏସ୍ଆଇ ପକ୍ଷରୁ ସୂଚନା ମିଳିଛି।

ମଳିଥିବା ସୂଚନା ଅନୁଯାୟୀ, ଶିଶୁପାଳଗଡ଼ର ସଂରକ୍ଷଣ ଦାୟିତ୍ୱ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ରହିଛି। ୨୦୦୦ ମସିହାରେ ବିଭାଗୀୟ କର୍ତ୍ତୃପକ୍ଷ ଶିଶୁପାଳଗଡ଼ର ୪୭୫ ଏକର ଜମିକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଥିଲେ। ମାତ୍ର ସ୍ୱତ୍ତ୍ୱାଧିକାର ଦୃଷ୍ଟିରୁ ଶିଶୁପାଳ ରାଜସ୍ୱ ଗ୍ରାମ ଖାତା ନଂ. ୫୨୫ରେ ୪ଟି ପ୍ଲଟ ଏଏସ୍‌ଆଇକୁ ମିଳିଛି। ଏହାର କ୍ଷେତ୍ରଫଳ ରହିଛି ୭୭୫ ଡେସିମିଲ। ଏହା ବ୍ୟତୀତ ଉକ୍ତ ଐତିହ୍ୟସ୍ଥଳ ପାଖକୁ ଯିବା ଲାଗି ଖାତା ନଂ. ୫୨୫/୧ରେ ୬୫୬ ଡେସିମିଲ ଜମି ଭାରତ ସରକାର ରାଜମାର୍ଗ ମନ୍ତ୍ରଣାଳୟ ନାମରେ ରେକର୍ଡ ହୋଇଛି। ଐତିହ୍ୟ ଦୃଷ୍ଟିକୋଣରୁ ବାକି ୪୭୩ ଏକର ଅଞ୍ଚଳ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହାର ରେକର୍ଡ ଏଏସ୍‌ଆଇ ଅଧୀନରେ ନାହିଁ। ସରକାରଙ୍କ ଖାତାରେ ଶିଶୁପାଳଗଡ଼ ଐତିହାଞ୍ଚଳର ବହୁ ଜମି ଏବେ ବି ରେକର୍ଡଭୁକ୍ତ ରହିଛି। ଭୁବନେଶ୍ୱର ତହସିଲ ସରକାରୀ ଖାତା ନଂ. ୫୨୪ରେ ୧୨୮ଟି ପ୍ଲଟ ରହିଛି। ଏହି ପ୍ଲଟ ଗୁଡ଼ିକର କିସମ ଗୋଚର, ପାଣିନାଳ ଓ ଜଳାଶୟ ଭାବେ ସଂରକ୍ଷିତ। ଏହାର ପରିମାଣ ୭୮ ଏକର ୪୭୦ ଡେସିମିଲ। ସେହିଭଳି ସରକାରୀ ସର୍ବସାଧାରଣ ଖାତା ନଂ. ୫୨୩ରେ ୯ଏକର ୩୯୪ ଡେସିମିଲ ଜମି ରହିଛି। ଐତିହ୍ୟସ୍ଥଳୀରେ ଆବାଦଯୋଗ୍ୟ ଅନାବାଦି ଭାବେ ଖାତା ନଂ. ୫୨୨ରେ ୨ଏକର ୫୬୩ ଡେସିମିଲ ଜମି ରହିଛି। ସମୁଦାୟ ସରକାରୀ ଜମିର ପରିମାଣ ଏବେ ୯୦ ଏକରରୁ ଊର୍ଦ୍ଧ୍ବ। ଏହାବ୍ୟତୀତ ବହୁ ପରିମାଣର ସରକାରୀ ଜମି ଚଞ୍ଚକତା ପୂର୍ବକ ଘରୋଇ ଖାତାକୁ ଯାଇଥିବା ପ୍ରମାଣ ମିଳିଛି। ଏହାର ପୁନରୁଦ୍ଧାର ନ ହେବା ଫଳରେ ଶିଶୁପାଳଗଡ଼ ଏବେ କଂକ୍ରିଟ୍‌ ଜଙ୍ଗଲ ପାଲଟିଛି। ଜମି ମାଫିଆ-ରାଜସ୍ୱ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବିପୁଳ ପରିମାଣର ସରକାରୀ ଜମିର ସ୍ୱତ୍ତ୍ୱ ବଦଳି ଗଲାଣି ବୋଲି ଅଭିଯୋଗ ହୋଇଛି।

ଏଠାରେ ସରକାରୀ ଜମି ଭାବେ ୯୦ ଏକର ଥିବା ବେଳେ ସେଥିରୁ ୮୦ ପ୍ରତିଶତ ଜବରଦଖଲ ହୋଇଛି। ଏନେଇ ଏଏସଆଇ ଅଧୀକ୍ଷକ ଅରୁଣ ମଲ୍ଲିକ କୁହନ୍ତି, ଶିଶୁପାଳଗଡ଼ର ଐତିହ୍ୟ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହିତ ଆମର ଆଲୋଚନା ଆରମ୍ଭ ହୋଇଛି। ଏନେଇ ତଦନ୍ତ ଆରମ୍ଭ ହୋଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏଏସ୍ଆଇ ଡିଜିଙ୍କୁ ଚିଠି ଲେଖା ଯିବା ସହ ଆବଶ୍ୟକସ୍ଥଳରେ ମାମଲା ରୁଜୁ କରାଯିବ।

ସମ୍ବନ୍ଧିତ ଖବର