ବାଲିପାଟଣା: ସ୍ଥାନୀୟ ଶିଶିଲୋ ଗ୍ରାମର ବବୁଲ୍ ହତ୍ୟା ମାମଲାରେ ଫେରାର୍ ଥିବା ତୃତୀୟ ଅଭିଯୁକ୍ତ ଦୁର୍ଯ୍ୟୋଧନ ବେହେରା ଓରଫ୍ ସିପୁ(୨୦)କୁ ଶେଷରେ ପୁଲିସ ଧରିଛି। ହତ୍ୟାକାଣ୍ଡ ପରଠାରୁ କେନ୍ଦୁଝର ପଳାଇଥିବା ସିପୁ ଗତକାଲି ରାତିରେ ଟଙ୍କା ପାଇଁ ଘରକୁ ଆସିଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି। ଘରୁ ଟଙ୍କା ନେଇ ସେ ରାଜ୍ୟ ବାହାରକୁ ପଳାଇବା ଯୋଜନା କରିଥିଲା। ମାତ୍ର ଖବର ପାଇ ପିଛା କରୁଥିବା ପୁଲିସ ତାକୁ ଘରେ ପହଞ୍ଚିବା ମାତ୍ରେ ମାଡ଼ି ବସିଥିଲା। ପୂର୍ବରୁ ବାଲିପାଟଣା ଥାନା ପୁଲିସ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜେଶ ବେହେରା ଓରଫ୍ ରାଜା(୨୪) ଓ ରାକଶେ ସେଠୀ ଓରଫ୍ ରାକା(୨୨)କୁ ଗିରଫ ଦର୍ଶାଇଥିଲା। ଆଜି ୩ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ତଦନ୍ତର କିଛି ଦିଗ ବାକି ଥିବାରୁ ପୁଲିସ ସେମାନଙ୍କୁ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି।
ଆଜି ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ଏସିପି ପରେଶ ରାଉତ କହିଛନ୍ତି ଯେ ବବୁଲ୍ର ଭଉଣୀକୁ ମୁଖ୍ୟ ଅଭିଯୁକ୍ତ ରାଜା ଏକତରଫା ଭଲ ପାଉଥିଲା। ବବୁଲ୍ ଏହାକୁ ବିରୋଧ କରିବା ସହ ରାଜାକୁ ଗାଳିମନ୍ଦ କରିଥିଲା। ଏଥିପାଇଁ ପୂର୍ବରୁ ୨ ଜଣଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ଏହା ଭିତରେ ବବୁଲ୍ ଭଉଣୀର ବାହାଘର ସ୍ଥିର ହୋଇଯାଇଥିଲା। ପ୍ରେମରେ ବିଫଳ ହେବା ପରେ ରାଜା ପ୍ରତିଶୋଧ ପରାୟଣ ହୋଇ ବାହାଘର ରୋକିବାକୁ ଯୋଜନା କରିଥିଲା। ଏମିତିକି ଠିକ୍ ବାହାଘର ପୂର୍ବରୁ ବବୁଲ୍ ହେଉ କି ତାଙ୍କ ବାପା ପ୍ରମୋଦ ଓଝାଙ୍କ ମୁଣ୍ଡ ଗଡ଼ାଇବ ବୋଲି କହି ବୁଲୁଥିଲା। ଏହି କଥା ପ୍ରମୋଦଙ୍କ କାନରେ ପଡ଼ିଥିଲେ ବି ସେମାନେ ଗୁରୁତ୍ବ ଦେଇନଥିଲେ ଓ ବାହାଘର ପାଖେଇ ଆସିଥିବାରୁ ଗଣ୍ଡଗୋଳରୁ ଦୂରେଇ ରହିବାକୁ ଚାହିଥିଲେ। ମାତ୍ର ସତକୁ ସତ ଏମିତି କାଣ୍ଡ କରିବାକୁ ରାଜା ପୂରା ପ୍ରସ୍ତୁତ ହୋଇ ରହିଥିଲା ବୋଲି କେହି ବିଶ୍ବାସ କରିନଥିଲେ। ରାଜାର ଏହି ଷଡ଼୍ଯନ୍ତ୍ରରେ ସାମିଲ୍ ଥିଲା ସିପୁ। ସେ ପୁରୀରେ କାମ କରୁଥିଲା ଓ ଘଟଣା ଦିନ ପୁରୀରୁ ଗାଁକୁ ଆସିଥିଲା।
ଘଟଣା ଦିନ ସିପୁ ନୁହେଁ, ରାକା ହିଁ ବବୁଲ୍କୁ ଫୋନ୍ କରି ଡକାଇଥିଲା। ଭଲ ମଦ ରଖିଛି ବୋଲି ଫୋନ୍ କରି କହିଥିଲା ରାକା। ଘନିଷ୍ଠ ସାଙ୍ଗ ହୋଇଥିବାରୁ ରାକାର ଫୋନ୍ ପାଇ ବବୁଲ୍ ଘରୁ ଚାଲି ଆସିଥିଲା। ରାକା ପୁଲିସକୁ ଦେଇଥିବା ବୟାନ ଅନୁସାରେ ରାଜା ହେଉଛି ତା’ର ଧରମ ଭାଇ। ସେ କେବଳ ବବୁଲ୍କୁ ମାଡ଼ ମାରି ରାଗ ସୁଝାଇବ ବୋଲି କହିଥିଲା। ଜୀବନରେ ମାରିଦେବ ବୋଲି ସେ ଜାଣିନଥିଲା। ରାଜା ମଦ କିଣିବାକୁ ପଇସା ଦେଇଥିଲା ଓ ରାକା ମଦ କିଣି ବବୁଲ୍କୁ ଡକାଇଥିଲା। ସେମାନେ ଧନୁଆ ନଦୀବନ୍ଧରେ ବାଲିଆମାଳ ନିଛାଟିଆ ତୋଟାକୁ ମଦ ପିଇବାକୁ ଯାଇଥିଲେ। ପୂର୍ବରୁ ରାଜା ଓ ସିପୁ ଉକ୍ତ ରାସ୍ତାରେ ଛପି ରହିଥିଲେ। ତୋଟା ଭିତରେ ମଦ ପିଇସାରି ଫେରିବା ବେଳେ ବାଟରେ ଛପି ରହିଥିବା ରାଜା ଓ ସିପୁ ପଛରୁ ବବୁଲ୍କୁ ଅତର୍କିତ ଆକ୍ରମଣ କଲେ। ପୂର୍ବରୁ ଏହି ଯୋଜନା ଜାଣିଥିବା ରାକା ସେଠାରୁ ଚମ୍ପଟ ମାରିଥିଲା। ମଦ ପିଇ ନିଶାସକ୍ତ ଅବସ୍ଥାରେ ଥିବା ବବୁଲ୍ ସେମାନଙ୍କୁ ପ୍ରତିରୋଧ କରିଥିଲେ ବି ରାଜା ଓ ସିପୁ ଦୁଇଜଣଙ୍କୁ ଆୟତ୍ତ କରିବା ତା’ପାଇଁ ସମ୍ଭବ ହୋଇନଥିଲା। ସେମାନେ ତାକୁ ବିଲ ଭିତରକୁ ଟାଣି ନେଇ ପାଣି ଓ ପଙ୍କରେ ମାଡ଼ି ବସିଥିଲେ। ବେଶ୍ କିଛି ସମୟ ଯାଏ ପାଣି ଓ ପଙ୍କରେ ମୁହଁ ମାଡ଼ି ହୋଇରହିବାରୁ ବବୁଲ୍ର ମୃତ୍ୟୁ ହୋଇଯାଇଥିଲା।