ଶିଶିର ସରସ : ୭ ଦିନରେ ୧୦ କୋଟିର ବ୍ୟବସାୟ

ଭୁବନେଶ୍ବର: ଓରମାସ୍ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଥିବା ଶିଶିର ସରସ ମେଳାର ଆଜି ଥିଲା ୮ମ ଦିନ। ମେଳାରେ ଗତ ୭ ଦିନ ମଧ୍ୟରେ ୧୦ କୋଟିରୁ ଊର୍ଧ୍ବ ଟଙ୍କାର ବ୍ୟବସାୟ ହୋଇଥିବା ଓର୍‌ମାସ୍ ପକ୍ଷରୁ ସୂଚନା ମିଳିଛି। ଏଥର ମେଳାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା ତିଆରି କରାଯାଇଥିବା ବଡ଼ି, ପାମ୍ପଡ଼, ଆଚାର ଓ ଅନ୍ୟାନ୍ୟ ଘରକରଣା ତଥା ଘର ସାଜସଜ୍ଜା ସାମଗ୍ରୀର ଭଲ ବିକ୍ରି ବଟା ହେଉଥିବା ବ୍ୟବସାୟୀମାନେ କହିଛନ୍ତି।

ଡେମୋ ଓ ଥିମ୍ ଷ୍ଟଲ୍: ଏଥର ମେଳାରେ ଓରମାସ୍ ପକ୍ଷରୁ ସ୍ଥାପନ କରାଯାଇଛି ୩ଟି ଡେମୋ ଷ୍ଟଲ ଏବଂ ଗୋଟିଏ ଥିମ୍ ଷ୍ଟଲ । ଡେମୋ ଷ୍ଟଲରେ କାରିଗରମାନେ ଟେରାକୋଟା, ଧୂପକାଠି ଓ ସବାଇ ଘାସରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ସହ ବିକ୍ରି କରୁଛନ୍ତି । ଗ୍ରାହକଙ୍କ ସମ୍ମୁଖରେ କଞ୍ଚାମାଲରୁ ବିଭିନ୍ନ ସାମଗ୍ରୀର ପ୍ରସ୍ତୁତ କରୁଛନ୍ତି। ଯାହାକି ଗ୍ରାହକ ଏବଂ ଦର୍ଶକମାନଙ୍କୁ ଆକୃଷ୍ଟ କରୁଛି । ସେହିପରି ଥିମ୍‌ ଷ୍ଟଲରେ ମେଳାରେ ବିକ୍ରି ହେଉଥିବା ବିଭିନ୍ନ ସାମଗ୍ରୀକୁ ଏକାଠି କରି ପ୍ରଦର୍ଶିତ କରାଯାଇଛି। ମେଳାକୁ ବୁଲି ଆସୁଥିବା ବ୍ୟକ୍ତି ଏଠାରୁ ମଧ୍ୟ ଜିନିଷ ବିକ୍ରିବଟା ସମ୍ପର୍କରେ ସୂଚନା ପାଇପାରୁଛନ୍ତି ।

ଏହାସହିତ ଫୁଡ୍‌କୋର୍ଟରେ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟଞ୍ଜନ ସ୍ଥାନ ପାଇଥିବା ବେଳେ ଓଡ଼ିଶାର ମୁଢ଼ି ମାଂସ, ଛେନା ପୋଡ଼ ସହ ବିହାରର ଲିଟି ଚୋଖା, ଛତିଶଗଡ଼ର କଡ଼ି-ଚାୱଲ ଆଦି ଭଲ ବିକ୍ରି ହେଉଛି। ଖାସ୍‌ କରି ବାରିପଦାର ମୁଢିମାଂସ ଷ୍ଟଲରେ ଭିଡ଼ ଜମୁଛି। ସେହିପରି କେରଳର କନ୍ନୁର ଜିଲ୍ଲାରୁ ଆସିଥିବା ବ୍ୟବସାୟୀଙ୍କ ଦ୍ୱାରା ପ୍ରସ୍ତୁତ କେରଳ ଜିଞ୍ଜର କଫି ଶୀତୁଆ ସନ୍ଧ୍ୟାରେ ଭଲ ବିକ୍ରି ହେଉଛି । ଆଜି ସନ୍ଧ୍ୟାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ରୁର୍ବାନ ମିସନ ତରଫରୁ ରୁର୍ବାନ କ୍ଲଷ୍ଟର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆସନ୍ତାକାଲି ଓରମାସ ଓ ନିଫ୍ଟ ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ ଫ୍ୟାସନ ସୋ’ ଆୟୋଜିତ ହେବ ।

ସମ୍ବନ୍ଧିତ ଖବର