ଭୁବନେଶ୍ୱର: ଗତବର୍ଷ ଅକ୍ଟୋବର ମାସରେ କ୍ୟାପିଟାଲ ହସ୍ପିଟାଲ ଅଧୀନରେ ଥିବା ଶିଶୁଭବନରେ ଉଦ୍ଘାଟିତ ହୋଇଥିଲା ପୁଷ୍ଟି ସାଧନ କେନ୍ଦ୍ର ବା ଏନ୍ଆର୍ସି। ଅପପୁଷ୍ଟିର ଶିକାର ହେଉଥିବା ଶିଶୁଙ୍କ ଏଠାରେ ଚିକିତ୍ସା କରାଯିବା ସହିତ ଏହି କେନ୍ଦ୍ରକୁ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ ବା ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ଘୋଷଣା ମଧ୍ୟ କରାଗଲା। ଏହି ଘୋଷଣା ହେବାର ଇତିମଧ୍ୟରେ ୮ମାସ ବିତିଗଲାଣି। ଉତ୍କର୍ଷ କେନ୍ଦ୍ର ପାଇଁ ବିଭାଗର ସ୍ଥାଣୁତା ସ୍ପଷ୍ଟ ବାର ହୋଇ ପଡ଼ୁଛି। ୟୁନିସେଫ୍ ପକ୍ଷରୁ ୨ଜଣ କର୍ମଚାରୀଙ୍କୁ ସେଠାରେ ନିଯୁକ୍ତି ଦିଆଯାଇଛି। ମାତ୍ର ସେମାନଙ୍କ ପାଇଁ ଏନ୍ଆର୍ସିରେ ଜାଗା ନ ଥିବାରୁ ସେମାନେ ଖାଲି ଖାଲି ଫେରୁଛନ୍ତି। ଶିଶୁଭବନର ଅଧା ଜାଗା ଟାସେଓ୍ଵଲ୍ସ ନାମକ ଏକ ସଂସ୍ଥାର କବ୍ଜାରେ ରହିଛି। ତେବେ ଏହି ଜାଗା ଖାଲି କରିବାକୁ ସ୍ୱାସ୍ଥ୍ୟ ବିଭାଗ ଓ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ବାରମ୍ବାର ଚିଠି ଲେଖୁଥିଲେ ହେଁ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ତେଣୁ ଶିଶୁଭବନ ଏନ୍ଆରସିକୁ କିଭଳି ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ ତାହାକୁ ନେଇ ବିଭାଗୀୟ ଅଧିକାରୀ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି।
ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ୬୦ଟି ଏନ୍ଆରସି ରହିଛି। ତେବେ ଏହିସବୁ ଏନ୍ଆରସିକୁ ତଦାରଖ କରିବା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁସ୍ୱାସ୍ଥ୍ୟ ପାଇଁ ଚାଲିଥିବା କାର୍ଯ୍ୟକ୍ରମକୁ କିଭଳି ସଫଳ କରାଯିବ ତାହା ଯାଞ୍ଚ ଶିଶୁଭବନ ଏନ୍ଆରସିରୁ କରାଯିବ। ଆସନ୍ତା ୨ବର୍ଷ ପାଇଁ ୟୁନିସେଫ୍ ସହଯୋଗର ହାତ ବଢ଼ାଇଛି। ଶିଶୁଭବନରେ ଏନ୍ଆରସିରେ ଏବେ ୫ଜଣ ନବଜାତକଙ୍କ ସମେତ ସେମାନଙ୍କ ମା’ ସେଠାରେ ଚିକିତ୍ସିତ ହେଉଛନ୍ତି। ଉତ୍କର୍ଷ କେନ୍ଦ୍ର ପାଇଁ ସେଠାରେ ଏକ ଲାଇବ୍ରେରି, କନଫରେନ୍ସ ହଲ ଓ କେନ୍ଦ୍ରକୁ ପରିଦର୍ଶନ ପାଇଁ ଆସୁଥିବା ଶିଶୁଙ୍କ ପାଇଁ ଭିଡିଓ ସ୍କ୍ରିନିଂର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୟୁନିସେଫ ପକ୍ଷରୁ ନିକଟରେ ଜଣେ ପ୍ରୋଗ୍ରାମ ସଂଯୋଜକ ଓ ବରିଷ୍ଠ ପରାମର୍ଶଦାତାଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ ଆହୁରି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି। ତେବେ ଏସବୁ ପାଇଁ ଯେତିକି ସ୍ଥାନର ଆବଶ୍ୟକତା ରହିଛି ତାହାର ଅଭାବ ରହିଛି। ଶିଶୁଭବନର ଅଧା ଜାଗା ଟାସେଓ୍ଵଲ୍ସ ନାମକ ଏକ ସଂସ୍ଥା କବ୍ଜାରେ ରହିଛି। ଏହି ସଂସ୍ଥା ବହୁଦିନରୁ ଅଚଳ ହୋଇପଡ଼ିଥଲେ ହେଁ, ଜାଗା ଛାଡ଼ିନାହିଁ। ଗତ ୨ବର୍ଷ ହେବ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ଏହି ସଂସ୍ଥାକୁ ସେଠାରୁ ହଟାଇବା ପାଇଁ ବିଡିଏ କର୍ତୃପକ୍ଷଙ୍କୁ ବାରମ୍ବାର ଚିଠି ଲେଖିଥିଲେ ହେଁ ଏଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏପରିକି ଏହି ସଂସ୍ଥା ଶିଶୁଭବନ ବଦଳରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ନିଜର କାର୍ଯ୍ୟାଳୟ ଚଳାଇବାକୁ ମସୁଧା କରୁଥିବା ଅଧିକାରୀ ଜଣକ କହିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ କାର୍ଯ୍ୟରତ ଏନ୍ଆରସିଗୁଡ଼ିକର ଶିଶୁଭବନସ୍ଥିତ କେନ୍ଦ୍ରରୁ ତଦାରଖ କରାଯିବ। ଏଥିପାଇଁ ଏହାକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣଜନିତ ସମସ୍ୟା କିଭଳି ରହିଛି ତାହାର ତଥ୍ୟ ଏଠାରେ ସଂଗ୍ରହ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁସ୍ୱାସ୍ଥ୍ୟ ପାଇଁ ଚାଲୁଥିବା ପିକୁ, ଏନ୍ଏନ୍ସି, ଏନ୍ବିସିସି, ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ କୃମିନାଶକ ଦିବସ ଭଳି କାର୍ଯ୍ୟକ୍ରମର ଏହି କେନ୍ଦ୍ରରୁ ତଦାରଖ ହେବ। ଏଥିପାଇଁ ଏକ ୩୦ଜଣିଆ ଡାକ୍ତର ଓ ପରିଚାଳନା ଗ୍ରୁପ୍ ଗଠନ କରାଯିବ। ଏହି ଗ୍ରୁପ୍ ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମ ଯାଞ୍ଚ କରିବା ସହିତ ରାଜ୍ୟ ସରକାରଙ୍କୁ ଏହାର ରିପୋର୍ଟ ପ୍ରଦାନ କରିବେ। ତେବେ ଶିଶୁଭବନ ଏନ୍ଆରସି ପାଇଁ ସ୍ଥାନର ଅଭାବ ରହିଛି। ଟାସେଓ୍ଵଲ୍ସ ସଂସ୍ଥା ଅଧୀନରେ ଏକାଧିକ ଘର ରହିଥିବାରୁ ଏଥିପାଇଁ ସମସ୍ୟା ଉପୁଜୁଛି। ଏହି ସଂସ୍ଥାକୁ ହଟାଇବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଥିବା ଅଧିକାରୀ କହିଛନ୍ତି। ଏହାସହ ଶିଶୁଭବନ ଏନ୍ଆରସିକୁ ଠିକ୍ ସମୟରେ ଡାକ୍ତର ପରିଦର୍ଶନ କରୁଥିବା ନଜରକୁ ଆସିଛି। ଏଥିପାଇଁ ଡାକ୍ତରଙ୍କୁ ସ୍ୱତନ୍ତ୍ରଭାବେ ୫ହଜାର ଟଙ୍କା ଦିଆଯାଉଛି। ଏହାସତ୍ୱେ ସେମାନେ କାର୍ଯ୍ୟରେ ଅବହେଳା କରୁଛନ୍ତି। ଏହାର ଯାଞ୍ଚ ଚାଲିଛି। ଆଗାମୀ ଦିନରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।