ପୁରୁଣା ଭୁବନେଶ୍ବର: ସୁଯୋଗ ଉଣ୍ଡି ହେଉଛି ଜବର ଦଖଲ। ସମସ୍ତେ ନିର୍ବାଚନରେ ବ୍ୟସ୍ତ ଥିବାବେଳେ ଓ ନିର୍ବାଚନ ମାହୋଲରେ ସରକାରୀ କାର୍ଯ୍ୟାନୁଷ୍ଠାନର ବିଶେଷ ଭୟ ନଥିବାବେଳେ ଜବର ଦଖଲ ହୁହୁହୋଇ ବଢ଼ିଗଲା। ଗଡ଼କୁ ଖୋଳି ତିଆରି ହେଲା ଘର ଓ ଦୋକାନ। ଏ ଖବର ଯେ ଦାୟିତ୍ବରେ ଥିବା ବିଭାଗ ପାଖରେ ନାହିଁ, ତା’ନୁହେଁ। କିନ୍ତୁ ସବୁ ଦେଖି ଚୁପ୍ ବସିଛି ଏଏସ୍ଆଇ ଓ ପୁଲିସ। ପୁରାତନ ଐତିହ୍ୟ ତଥା ଶିଶୁପାଳଗଡ଼ର ସୁରକ୍ଷା ପ୍ରସଙ୍ଗରେ ହାଇକୋର୍ଟ ଦେଇଥିବା ଗୁରୁତ୍ବପୂର୍ଣ୍ଣ ରାୟ କାର୍ଯ୍ୟକାରୀ ହୋଇପାରୁ ନଥିବାବେଳେ ସେପଟେ ଜବର ଦଖଲ ବ୍ୟାପକ ରୂପ ଧାରଣ କଲାଣି। କର୍ତ୍ତୃପକ୍ଷଙ୍କ ଇଚ୍ଛାଶକ୍ତି ଅଭାବ ଯୋଗୁଁ ଗଡ଼ର ସୀମା ନିର୍ଧାରଣ ବି ହୋଇ ପାରୁନାହିଁ। ଆନ୍ତରିକତା ନଥିବା ଅଧିକାରୀମାନଙ୍କ କାରଣରୁ ମାଫିଆମାନେ ଶିଶୁପାଳଗଡ଼କୁ ସମ୍ପୂର୍ଣ୍ଣ କବ୍ଜା କରି ନେବାକୁ ବସିଛନ୍ତି। ହାଇକୋର୍ଟ ପକ୍ଷରୁ ସୁରକ୍ଷା ପ୍ରସଙ୍ଗ ନେଇ ୬ମାସ ସମୟ ଦିଆ ଯାଇଥିଲା, କିନ୍ତୁ ୩ବର୍ଷ ହେବାକୁ ବସିଲାଣି ଅଥଚ ତାହା କାର୍ଯ୍ୟକାରୀ ହୋଇପାରୁନି। ଜମି ପାଇଁ ଐତିହ୍ୟକୁ ମାଟିରେ ମିଶାଉଛନ୍ତି ମାଫିଆ। ଅସାଧୁ ଅଧିକାରୀଙ୍କୁ ହାତ କରି ସରକାରୀ ଜମିକୁ ଉଚ୍ଚଦରରେ ବିକ୍ରି କରୁଛନ୍ତି। ଗଡ଼କୁ ଲାଗି ବେଆଇନ ଭାବେ ବଡ଼ ବଡ଼ କୋଠା ନିର୍ମାଣ ହେଉଛି। ଆଉ କିଛିବର୍ଷ ଭିତରେ ଗଡ଼ର ଚିହ୍ନବର୍ଣ୍ଣ ନଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ରାଜଧାନୀ ଉପକଣ୍ଠରେ ଅସ୍ତିତ୍ବ ହରାଉଥିବା ଏହି ଐତିହ୍ୟର ସୁରକ୍ଷା ପାଇଁ ୨୦୦୭ରେ ଜାତୀୟ କଳା ଓ ସଂସ୍କୃତି ଐତିହ୍ୟ ସୁରକ୍ଷା ନ୍ୟାସ ବା ‘ଇନ୍ଟାକ୍’ ତରଫରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ସେଥିରେ କେନ୍ଦ୍ର ସରକାର, ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ), ରାଜ୍ୟ ସରକାର ତଥା ରାଜ୍ୟର ବିଭିନ୍ନ ସଂସ୍ଥାମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଶିଶୁପାଳଗଡ଼ର ସୁରକ୍ଷା ଦିଗରେ ଚରମ ଅବହେଳା ଉପରେ ବିବରଣୀ ପ୍ରଦାନପୂର୍ବକ ଏହାର ସୁରକ୍ଷା ପାଇଁ ଆଦେଶ ଦେବାକୁ ନିବେଦନ କରାଯାଇଥିଲା। ହେଲେ ଏହାର ଶୁଣାଣି ବେଳେ ୭ ବର୍ଷ ପର୍ଯ୍ୟନ୍ତ ପକ୍ଷମାନଙ୍କ ଜବାବ ମିଳିଲା ନାହିଁ। ତେଣୁ ଶୁଣାଣିକୁ ୧୫ ବର୍ଷ ଲାଗିଗଲା। ଶେଷରେ ୨୦୨୨ ସେପ୍ଟେମ୍ବର ମାସରେ କୋର୍ଟ ରାୟ ଦେଲେ। ଏକମାସ ଭିତରେ ବୈଠକ ଡାକିବା ସହ ୬ ମାସ ଭିତରେ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୨ ଅକ୍ଟୋବରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକର ନିଷ୍ପତ୍ତି ମୁତାବକ, ୯୦ ଦିନ ଭିତରେ ଶିଶୁପାଳଗଡ଼ ସଂରକ୍ଷିତ ଘୋଷିତ ଅଞ୍ଚଳର ଯୁଗ୍ମ ସର୍ଭେ ଭୁବନେଶ୍ବର ତହସିଲଦାରଙ୍କ ତଦାରଖରେ ଏବଂ ଏଏସ୍ଆଇ ପ୍ରତିନିଧିଙ୍କ ଉପସ୍ଥିତିରେ କରାଯିବ। ଖାଲି ଥିବା ସମସ୍ତ ସରକାରୀ ଜମିକୁ ଅବିଳମ୍ବେ ଏଏସ୍ଆଇକୁ ହସ୍ତାନ୍ତର କରାଯିବ। ଘରୋଇ ଜମି ପାଇଁ ଏଏସ୍ଆଇ ଜିଲ୍ଲାପାଳଙ୍କ ପାଖରେ ଅଧିଗ୍ରହଣ ପାଇଁ ଦରଖାସ୍ତ କରିବ।
ସରକାରୀ ଜମି ଉପରେ ହୋଇଥିବା ଜବରଦଖଲକୁ ହଟାଯାଇ ତାହା ଏଏସ୍ଆଇକୁ ହସ୍ତାନ୍ତର କରାଯିବ। ଏହା ଉପରେ ଏଏସ୍ଆଇ ପାଚେରି ନିର୍ମାଣ କରିବା ଭଳି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଗୋଟିଏ କାମ ମଧ୍ୟ ହୋଇନାହିଁ। ଗତବର୍ଷ ଭୁବନେଶ୍ବର ତହସିଲଦାରଙ୍କର ଏକ ଦଳ କିଛି ଅଞ୍ଚଳ ମାପକରି ଖୁଣ୍ଟ ପକାଇଥିଲେ। କିନ୍ତୁ ସମ୍ପୂର୍ଣ୍ଣ ମାପ ସରି ନଥିବାରୁ ତାରବାଡ଼ ବୁଲା ଯାଇନଥିଲା। କିଛି ବ୍ୟକ୍ତି ଖୁଣ୍ଟ ପଡ଼ିଥିବା ସ୍ଥାନଠାରୁ ଭିତରକୁ ତାଙ୍କର ଜମି ଥିବା ଅଭିଯୋଗ କରିଥିଲେ। ତେଣୁ ପୁନର୍ବାର ଫେବ୍ରୁଆରି ମାସରେ ମାପହେବ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ବିଭିନ୍ନ ଆଳ ଦେଖାଇ ଏଯାଏ ମାପ ହୋଇନାହିଁ। ଏହାପରେ ପୂର୍ବବର୍ଷ ଭଳି ବର୍ଷା ବାହାନା ଦେଖାଇ ମାପକୁ ବନ୍ଦ କରାଯିବ ବୋଲି ଐତିହ୍ୟପ୍ରେମୀ ଅଭିଯୋଗ କରିଛନ୍ତି। ଏ ମାମଲାରେ ଏଏସ୍ଆଇର ଭୁବନେଶ୍ବର ମଣ୍ଡଳର ଅଧୀକ୍ଷଣ ପ୍ରତ୍ନତତ୍ତ୍ବବିତ୍ ସୁଶାନ୍ତ କୁମାର କର କହିଲେ, ଭୁବନେଶ୍ବର ତହସିଲଦାରଙ୍କୁ ଏ ଦାୟିତ୍ବ ଦିଆଯାଇଛି। ଭୁବନେଶ୍ବର ତହସିଲଦାରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ମତାମତ ମିଳିନାହିଁ।