ଶିଶୁପାଳଗଡ଼ ମହୋତ୍ସବର ଦ୍ୱିତୀୟ ସଂଧ୍ୟା: ରାଇଜିଂଷ୍ଟାର୍‌ ହେମନ୍ତ ବ୍ରିଜୱାଶୀଙ୍କ ସଂଗୀତ ତଡ଼କା

ଖଦୀ, ଖାଦ୍ୟ ଷ୍ଟଲରେ ଲୋକଙ୍କ ଭିଡ଼

ପୁରୁଣା ଭୁବନେଶ୍ବର: ଶିଶୁପାଳଗଡ଼ ମହୋତ୍ସବରେ ଆଜି ଆକର୍ଷଣ ସାଜିଥିଲେ ଷ୍ଟାର ପ୍ଲସ୍‌ ପ୍ରସାରିତ ରାଇଜିଂ ଷ୍ଟାର୍‌ ଚାମ୍ପିଅନ୍‌ ବ୍ରିଜୱାଶୀ। ଐତିହାସିକ ଦଶହରା ପଡ଼ିଆରେ ‘କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ’ (କାପୋକ) ପକ୍ଷରୁ ଚାଲିଥିବା ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ହେମନ୍ତଙ୍କ କଣ୍ଠରେ ‘ସା ୱରିଆ.., ମୁସ୍‌କୁରାନେ କି ୱଜ୍‌ହା ତୁମ୍‌ ହୋ.., ତେରେ ମିଟି ମେ… ଭଳି ସଂଗୀତ ଦର୍ଶକଙ୍କୁ ବିଭୋର କରିଥିଲେ। ହେମନ୍ତଙ୍କ ଗୀତରେ ଦର୍ଶକ ଖୁବ୍‌ ନାଚିଥିଲେ।

ସାଇ କଳା ସଂସଦର କଳାକାରଙ୍କ ଦ୍ୱାରା ‘ସୂର୍ଯ୍ୟଅଷ୍ଟକମ୍‌’ ନୃତ୍ୟ ପରେ ସାଇ ସ୍ମୃତି କଳା ନିକେତନର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। କଣ୍ଠଶିଳ୍ପୀ ତାରିକ ଅଜିଜ୍‌ ଓଡ଼ିଆ ହିଟ୍‌ ‘ରେ ମନ…, ସେଇ ବର୍ଷା ସେଇ ରାତି…, ଯାହାକୁ ମୁଁ ଏତେ ଭଲ …, ମୁଁ ଯେ ଏକ ପାଗଳ ଭଅଁର… ଗାଇଥିବା ବେଳେ ସୋନମ ଦାସ ‘ସୁନ ରହା ହେ ତୁ …, ତୁଝେ କିତନା ଚାହନେ ଲଗି …, ଦମାଦମ ମସ୍ତ କାଲନ୍ଦର.. ସଂଗୀତ ଶୁଣାଇଥିଲେ। କାପୋକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁରେଶ ରାଉତରାୟ, ବିଜେଡି ନେତା ଅରୂପ ପଟ୍ଟନାୟକ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ କାପୋକର ସଂପାଦକ ଚିତ୍ତ ରଂଜନ ମହାନ୍ତି ଉପସ୍ଥିତ ଥିଲେ। ବିଶ୍ୱଜିତ ବଳିୟାରସିଂହ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କାପୋକର ସଭ୍ୟ ରଶ୍ମିରଂଜନ ଶ୍ରୀଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ। ସହ ସଂପାଦକ ରବୀନ୍ଦ୍ର ପାତ୍ର, ସଭ୍ୟ ବାମଦେବ ଗଜେନ୍ଦ୍ର, ସୁବ୍ରତ ପାଇକରାୟ, ସବ୍ୟସାଚୀ ପାଇକରାୟ, ସମରଜିତ ପଟ୍ଟନାୟକ, ପ୍ରତୀକ ପାତ୍ର, ପ୍ରଦୀପ ମହାନ୍ତି, ଦିଲ୍ଲୀପ ନାୟକ, ପ୍ରମୋଦ ପାତ୍ର, ବିପିନ ମହାପାତ୍ର, ସନ୍ତୋଷ ବେହେରା, ପପୁ ଶ୍ରୀଚନ୍ଦନ, ବିଶ୍ୱରଂଜନ ପାଇକରାୟ, ଶଙ୍କର ରାଏ, ଦାମୋଦର ଜେନା ପ୍ରମୁଖ ସହଯୋଗ କରିଥିଲେ। ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ବିକ୍ରୟ କେନ୍ଦ୍ର ଓ ଖାଦ୍ୟ ଷ୍ଟଲ୍‌ରେ ପ୍ରବଳ ଭିଡ଼ ଦେଖିବାକୁ ଦେଖିବାକୁ ମିଳିଥିଲା। ଆସନ୍ତାକାଲି ଋତୁରାଜ ମହାନ୍ତି ସଂଗୀତ ପରିବେଷଣ ଏବଂ ନୃତ୍ୟ ଗୁରୁ ହରିହର ଦାଶ ନୃତ୍ୟ ପରିବେଷଣ କରିବେ।

ସମ୍ବନ୍ଧିତ ଖବର