ଶିଶୁପାଳଗଡ଼ ମହୋତ୍ସବ ନୃତ୍ୟରେ ଜୀବନର ସତ୍ତା

ବାଲିଅନ୍ତା: ଶିଶୁପାଳଗଡ଼ ମହୋତ୍ସବର ଅବ୍ୟବହିତ ପୂର୍ବରୁ ଆଜି ବାଲିଅନ୍ତା ବ୍ଲକ ଅଧୀନ ଚଉଷଠି ଯୋଗିନୀ ପୀଠ ପରିସରରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାକ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶୀ ସଂକୀର୍ତ୍ତନ କରି ମହାମାୟାଙ୍କୁ ଆବାହନ କରାଯିବା ପରେ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ସଂଧ୍ୟାର ପ୍ରଥମ ଅର୍ଘ୍ୟରେ ଜ୍ୟୋତିକଳା ନୃତ୍ୟାନୁଷ୍ଠାନର ଗୁରୁ ଜ୍ୟୋତି ରାଉତଙ୍କ ନୃତ୍ୟ ସଂଯୋଜନାରେ ଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟକ୍ରମରେ ପରିବେଷଣ କରିଥିଲେ ସୃଷ୍ଟିର ପ୍ରତିଟି ଜିନିଷରେ ଜୀବନର ସତ୍ତା। ଏହି ଅବସରରେ ନୃତ୍ୟଗୁରୁ ଶ୍ରୀମତୀ ରାଉତଙ୍କ ସମେତ ସଂଧ୍ୟାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ସ୍ଥାନୀୟ ସରପଞ୍ଚ ସୁକାନ୍ତ କୁମାର ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦ୍ବିତୀୟ ପ୍ରସ୍ତୁତିରେ ନୃତ୍ୟାର୍ଚ୍ଚନା ନୃତ୍ୟ ଅନୁଷ୍ଠାନର ଗୁରୁ ସୁରେଶ କୁମାର ଖୁଣ୍ଟିଆଙ୍କ ନୃତ୍ୟ ସଂରଚନାରେ ଶିଳ୍ପୀ ଭେଟି ଦେଇଥିଲେ ‘ତୁ ସୁଖଦା ତୁ ବରଦା’ ଓଡ଼ିଶୀ ନୃତ୍ୟ। ତୃତୀୟ ପ୍ରସ୍ତୁତିରେ ସାଇ ସ୍ମୃତି କଳାକେନ୍ଦ୍ର‌ର ଶିଳ୍ପୀମାନେ ଗୀତଗୋବିନ୍ଦରୁ ଉଦ୍ଧୃତାଂଶ ‘ଶୀତ କମଳ କୁଞ୍ଚ ମଣ୍ଡନ’ ଦର୍ଶକଙ୍କ କରତାଳି ସାଉଁଟି ଥିଲା। ନୃତ୍ୟ ନିପୁଣା ଅନୁଷ୍ଠାନର କଳାକାରମାନେ ଓଡ଼ିଶୀ ନୃତ୍ୟରେ ମଙ୍ଗଳାଚରଣ ପରିବେଷଣ କରିଥିଲେ। ଅନ୍ତିମ ପ୍ରସ୍ତୁତିରେ ସାଇ କଳା ସଂସଦ ଅନୁଷ୍ଠାନ ନୃତ୍ୟରେ ଦର୍ଶକଙ୍କୁ ପରସି ଥିଲେ କଳାବତୀ ପଲ୍ଲବୀ। ସଭା ମଞ୍ଚ ପରିଚାଳନା କରିଥିଲେ କାପୋକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ। ସଂପାଦକ ଚିତ୍ତରଂଜନ ମହାନ୍ତି ଓ ନୃତ୍ୟ ପ୍ରତିଭା ଅନୁଷ୍ଠାନର ରୁନା ପଣ୍ଡାଙ୍କ ସମେତ ଶିଳ୍ପୀବୃନ୍ଦ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର