୪ରୁ ଶିଶୁପାଳଗଡ଼ ମହୋତ୍ସବ: ଭାଗ୍ୟଲିପି ମଲ୍ଲ ପାଇବେ ‘ଶିଶୁପାଳଗଡ଼ ସମ୍ମାନ-୨୦୧୯’

ପୁରୁଣା ଭୁବନେଶ୍ବର: ଜାନୁଆରି ୪ରୁ ଆରମ୍ଭ ହେବ ‘ଶିଶୁପାଳଗଡ଼ ମହୋତ୍ସବ-୨୦୧୯’। ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବର ତୈଳଚିତ୍ର ଆଜି ଓଡ଼ିଶା ପ୍ରେସ୍‌କ୍ଲାବ୍‌ଠାରେ ଉନ୍ମୋଚିତ ହୋଇଛି। କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ(କାପୋକ) ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ଶିଶୁପାଳଗଡ଼ ଦଶହରା ପଡ଼ିଆରେ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶୀ, ସମ୍ବଲପୁରୀ, ଗୋଟି ପୁଅ, କଥକ, ଭାରତ ନାଟ୍ୟମ୍ ନୃତ୍ୟ ପ୍ରଦର୍ଶନ କରାଯିବ। ଏଥିସହିତ ଫ୍ୟୁଜନ୍‌ ମାଲଖମ୍ବ, ପାଇକ ଆଖଡ଼ା, ଓଡ଼ିଆ ଧାରାବାହିକ ଅଭିନେତା ଓ ଅଭିନେତ୍ରୀମାନଙ୍କ ଦ୍ୱାରା ଡ୍ରାମା ‘ଖାରବେଳ’, ମୁମ୍ବାଇର ବିଶିଷ୍ଟ କଣ୍ଠଶିଳ୍ପୀ ସିଦ୍ଧାର୍ଥ ସ୍ଲାଠିଆ, ଯଶରାଜ ଯୋଶୀ, ଅରିନ୍ଦମ ଚକ୍ରବର୍ତ୍ତୀ, ଓଲିଉଡ୍‌ର କଣ୍ଠ ଶିଳ୍ପୀ ବିଭୁକିଶୋର, ନାଭ୍ୟା ଜାଇତି, ସୌରିନ ଭଟ୍ଟ, ଈରା ମହାନ୍ତି, ସୁଶାନ୍ତ ପଣ୍ଡା ଓ ଚିତ୍ରଭାନୁ ମହାନ୍ତି ପ୍ରମୁଖ ସଂଗୀତ ପରିବେଷଣ କରିବେ। ମହୋତ୍ସବର ଚତୁର୍ଥ ଦିବସରେ ଓଡ଼ିଆ ଧାରାବାହିକ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ସମ୍ମାନିତ କରାଯିବ। ସେହିପରି ‘ଶିଶୁପାଳଗଡ଼ ଦ ଲଷ୍ଟ ସିଟି’ ମଧ୍ୟ ଉନ୍ମୋଚିତ ହେବ। ଏହି ଅବସରରେ ସ୍ତମ୍ଭକାର ଭାଗ୍ୟଲିପି ମଲ୍ଲଙ୍କୁ ‘ଶିଶୁପାଳଗଡ଼ ସମ୍ମାନ-୨୦୧୯’ରେ ସମ୍ମାନିତ କରାଯିବ ବୋଲି କାପୋକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଚିତ୍ତ ରଞ୍ଜନ ମହାନ୍ତି, ବରିଷ୍ଠ କବି ଏବଂ ସାହିତ୍ୟିକ ହୁସେନ ରବି ଗାନ୍ଧୀ, ରଶ୍ମି ରଞ୍ଜନ ଶ୍ରୀଚନ୍ଦନ, ସୁବାସ ସୁନ୍ଦରାୟ, ରବୀନ୍ଦ୍ର ପାତ୍ର ପ୍ରମୁଖ ତୈଳଚିତ୍ର ଉନ୍ମୋଚିତ କରିଥିଲେ।

ସମ୍ବନ୍ଧିତ ଖବର