ଶିଶୁପାଳଗଡ଼ ମହୋତ୍ସବ ଦ୍ୱିତୀୟ ସଂଧ୍ୟା : ମତୁଆଲା କଲେ ବର୍ଣ୍ଣାଳି, ସତ୍ୟଜିତ

ପୁରୁଣା ଭୁବନେଶ୍ୱର : ‘କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ଆନୁକୂଲ୍ୟରେ ଆୟୋଜିତ ‘ଶିଶୁପାଳଗଡ଼ ମହୋତ୍ସବ’ ଦ୍ୱିତୀୟ ସଂଧ୍ୟାରେ ମତୁଆଲା କରିଥିଲେ କିଶୋର କଣ୍ଠଶିଳ୍ପୀ ସତ୍ୟଜିତ ଓ ବର୍ଣ୍ଣାଳି। ଜି ଟିଭି ସାରେଗାମା (ଲିଟିଲ୍‌ ଚ୍ୟାମ୍ପ) ପ୍ରତିଯୋଗୀ ସତ୍ୟଜିତ୍‌ଙ୍କ କଣ୍ଠରେ ମିଲେ ହୋ ତୁମ୍‌ ହମ୍‌କୋ…, ତୁମ୍‌ହେ ଦିଲ୍‌ ଲଗି…, ମୁସକୁରାନେ କି ବଜା ତୁମ୍‌ ହୋ…, ହୁଏ ବେଚେନ୍‌ ପେହେଲି ବାର୍‌… ଆଦି ସଂଗୀତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ସେହିପରି ଓଡ଼ିଆ କଣ୍ଠଶିଳ୍ପୀ ବର୍ଣ୍ଣାଳି ହୋତାଙ୍କ କଣ୍ଠରୁ ସାଥୀରେ ମୁଁ ଯେ ଜାଣେନା…, ସୁନ୍‌ରହା ହେ ତୁ… ଚେଲସୀଙ୍କ କଣ୍ଠରୁ ନାଚୁ ମେ ଛମ୍‌ ଛମ୍‌…, ମାହି େଓ୍ଵ… ଉପସ୍ଥିତ ଦର୍ଶକଙ୍କ ଭରପୂର ମନୋରଂଜନ କରିଥିଲା। ସେହିପରି ପିପିଲିର ମା’ ଫୁଲସାରୀ ପାଇକ ଆଖଡ଼ା ପକ୍ଷରୁ ସମର କଳା ପ୍ରଦର୍ଶନ କରାଯାଇଥିଲା। ପରେ ପରେ ‘ନୃତ୍ୟଧାମ’ ଅନୁଷ୍ଠାନର ନୃତ୍ୟ ନିର୍ଦ୍ଦେଶିକା ଶୁଭଶ୍ରୀ ପଟ୍ଟନାୟକ ଏବଂ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ‘ସପ୍ତଦେବୀ’ ପରିବେଷଣ କରିଥିଲେ। ସେହିପରି ଶ୍ରୀ ଡ୍ୟାନ୍ସ ଗ୍ରୁପ୍‌ ଓ କରିସ୍ମା ସ୍ୱାଇଁଙ୍କ ନିର୍ଦ୍ଦେଶିତ କାଶ୍ମୀରରୁ କନ୍ୟାକୁମାରୀ ନୃତ୍ୟ ପରିବେଷଣ କରାଯାଇଥିଲା।

ଶେଷରେ ଶାରଳା ମ୍ୟୁଜିକ ଆଣ୍ଡ୍‌ ଡ୍ୟାନ୍ସ ଏକାଡେମିର ଶିଶୁ କଳାକାରମାନଙ୍କ ନୃତ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା। କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମହୋତ୍ସବର ସୁବାର୍ତାର ସଂପାଦକ ପ୍ରଦ୍ୟୁମ୍ନ ଶତପଥୀ, ଇଂ ଶିଶିର ନାୟକ, ଓଡ଼ିଶୀ ନୃତ୍ୟଗୁରୁ ଜ୍ୟୋତି ରାଉତ, ସ୍ଥାନୀୟ ସମିତି ସଭ୍ୟା ରଶ୍ମିତା ଶ୍ରୀଚନ୍ଦନ, ସମ୍ପାଦକ ଚିତ୍ତରଂଜନ ମହାନ୍ତି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହାକୁ ଇଂ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିବା ବେଳେ କାପୋକ୍‌ର ସହ ସଂପାଦକ ରବୀନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର