ସାରସ୍ବତ ସମାରୋହ ‘ଶୀତ ଆସର’

ଭୁବନେଶ୍ବର: ସାହିତ୍ୟ ଉଚ୍ଚ ଚିନ୍ତନ ଓ ଆନନ୍ଦମୟ ଅନୁଭବ ପାଇଁ ଉତ୍ସାହ ଦିଏ। ମଣିଷର ସ୍ବପ୍ନ ଓ ସମ୍ଭାବନାକୁ ଜାଗ୍ରତ କରିବାରେ ସାହିତ୍ୟ ପ୍ରମୁଖ ଭୂମିକା ନେଇଥାଏ ବୋଲି ଅତିଥିମାନେ ମତ ରଖିଛନ୍ତି। ‘ଭୁବନେଶ୍ବର ସାହିତ୍ୟ ସମାଜ’ ଆନୁକୂଲ୍ୟରେ ଆୟୋଜିତ ସାରସ୍ବତ ସମାରୋହ ‘ଶୀତ ଆସର’କୁ ଉଦ୍‌ଘାଟନ କରି ଆଡ୍‌ଭୋକେଟ୍‌ ଜେନେରାଲ୍‌ ଅଶୋକ ପରିଜା କହିଲେ, ସାହିତ୍ୟିକମାନେ ଯୁଗେ ଯୁଗେ ସମାଜର ମାର୍ଗଦର୍ଶକ ହୋଇ ଆସିଛନ୍ତି। ସାହିତ୍ୟ ସଂଗଠନଗୁଡ଼ିକ ସାହିତ୍ୟର ପ୍ରସାର ଓ ଆଦୃତି ନିମନ୍ତେ ଯଥେଷ୍ଟ କାର୍ଯ୍ୟ କରୁଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ପରିଜା ଓଡ଼ିଆ ସାହିତ୍ୟର ବ୍ୟାପକ ଅନୁବାଦ ଉପରେ ଗୁରୁତ୍ବାରୋପ କରିଥିଲେ। ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଲେ, ଭାବକୁ ଅନ୍ତରଙ୍ଗ ଓ ନିଜସ୍ବ ଶୈଳୀରେ ପରିବେଷଣ କରିବାରେ ଜଣେ ସାହିତ୍ୟିକର ମୌଳିକତା ନିହିତ। ସମାଜର ପରିବର୍ତ୍ତନରେ ସାହିତ୍ୟର ବଡ଼ ଭୂମିକା ରହିଛି ବୋଲି ସେ ପ୍ରକାଶ କରିଥିଲେ।

ଅନୁଷ୍ଠାନର ସଭାପତି କବି ସୂର୍ଯ୍ୟ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପ୍ରାବନ୍ଧିକା ସୁଲୋଚନା ଦାସ ଓ ବିଶିଷ୍ଟ ଅତିଥି ଭାବେ କଥାଶିଳ୍ପୀ ଶାନ୍ତନୁ ଆଚାର୍ଯ୍ୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ କବି ପ୍ରତିଭା ପରିଡ଼ାଙ୍କୁ ‘କୈଳାସ ଲେଙ୍କା ସ୍ମୃତି ସୃଜନ ସମ୍ମାନ’ରେ ଓ ବିଶିଷ୍ଟ ସ୍ଥପତି ରବିନାରାୟଣ ରଥଙ୍କୁ ‘ଦୀନବନ୍ଧୁ ପାଠୀ ସୃଜନ ଶିଳ୍ପୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦିକା ସୋନାଲି ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ‘କବିତା-୨୦୧୯’ ଓ ନିଶାକର ପଣ୍ଡାଙ୍କ ରଚିତ ‘ପ୍ରାଣ ଓ ପ୍ରୟାଣ’ ପୁସ୍ତକ ଏହି ଅବସରରେ ଲୋ‌କାର୍ପିତ ହୋଇଛି। ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର