ପୁରୁଣା ଭୁବନେଶ୍ୱର: ଅଶୋକାଷ୍ଟମୀରେ ରୁକୁଣା ରଥଯାତ୍ରା, ପ୍ରଚଣ୍ଡ ରୌଦ୍ରତାପ ଅବସରରେ ଚନ୍ଦନ ଯାତ୍ରା ପରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅନ୍ୟତମ ମହାପର୍ବ ତଥା ଶୀତଳଷଷ୍ଠୀ ଯାତ୍ରା ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ କେଦାରଗୌରୀ ମନ୍ଦିରରେ ହାତଗଣ୍ଠି ବିଧି ସଂପନ୍ନ ହେବା ପରେ ଆଜି ସକାଳୁ ଅନ୍ୟାନ୍ୟ ରୀତିନୀତି ସମାହିତ ହୋଇଥିଲା। ରାଜଦାଣ୍ଡରେ ଲଉଡ଼ି ଖେଳ ଲୋକଙ୍କୁ ବିମୋହିତ କରିଥିବା ବେଳେ ମନ୍ଦିର ଭିତରେ ଦେବଦମ୍ପତିଙ୍କ କଉଡ଼ି ଖେଳ ଶ୍ରଦ୍ଧାଳୁମାନଙ୍କୁ ଆତ୍ମହରା କରିଦେଇଥିଲା। ଶୋଭାଯାତ୍ରାରେ ସାମିଲ ହୋଇଥିବା ପାରମ୍ପରିକ ଲୋକବାଦ୍ୟ ଓ ଲୋକକଳା ସହ ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି ଓ ଓମ୍ ନମଃ ଶିବାୟ, ହରହର ମହାଦେବ ଭଳି ଧ୍ବନି ଗଗନପବନ ପ୍ରକମ୍ପିତ କରିଥିଲା। ଏକ ଭାବମୟ ପରିବେଶରେ ଦେବଦମ୍ପତି ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମା’ ପାର୍ବତୀ ଆଜି କେଦାରଗୌରୀ ମନ୍ଦିରରୁ ଲିଙ୍ଗରାଜ ମନ୍ଦିରକୁ ବାହୁଡ଼ିଥିଲେ।
ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ପରେ ଦେବଦମ୍ପତିଙ୍କ ବିବାହ ନୀତି ସଂପନ୍ନ ହୋଇଥିଲା। ହାତଗଣ୍ଠି ପଡ଼ିବା ସହ ବନ୍ଦାପନା ବିଧି ସମାହିତ ହୋଇଥିଲା। ଭୋର୍ ସମୟରେ ଅନୁଷ୍ଠିତ ହୋଇଥିଲା ଦେବଦମ୍ପତିଙ୍କ କଉଡ଼ି ଖେଳ। ସେବାୟତମାନେ କଉଡ଼ି ଖେଳ ବିଧି ପାଳନ କରୁଥିବା ବେଳେ ମହିଳା ଶ୍ରଦ୍ଧାଳୁମାନେ ହୁଳହୁଳି ପକାଇ କେଦାରଗୌରୀ ମନ୍ଦିର ପରିସରକୁ କମ୍ପାଇ ଦେଇଥିଲେ। ଏହି ସମୟରେ ବିଭିନ୍ନ ଜିଲ୍ଲାର ପ୍ରାୟ ୧୦୦ ଯୁବକ ଲଉଡ଼ି ଖେଳ ପ୍ରଦର୍ଶନ କରିଥିଲେ। ଆଜି ଦିନବେଳା କେଦାରଗୌରୀ ମନ୍ଦିରରେ ସମସ୍ତ ରୀତିନୀତି ସହ କେଦାରଗୌରୀ ଉନ୍ନୟନ କମିଟି ପକ୍ଷରୁ ଅଷ୍ଟପ୍ରହର ନାମଯଜ୍ଞ ଆୟୋଜନ କରାଯାଇଥିଲା
ସନ୍ଧ୍ୟାର ପୂଜା ନୀତିକାନ୍ତି ପରେ ରାତି୧୧ଟା ୪୦ରେ ଦେବଦମ୍ପତି ଲିଙ୍ଗରାଜ ମନ୍ଦିର ଅଭିମୁଖେ ବାହୁଡ଼ିଥିଲେ। ରଙ୍ଗିନ୍ ଆଲୋକମାଳାରେ ସଜ୍ଜିତ ରାସ୍ତାରେ ଆକର୍ଷଣୀୟ ତୋରଣ ଅତିକ୍ରମ କରି ଦେବଦମ୍ପତିଙ୍କ ବିମାନ ଝୁଲିଝୁଲି ଚାଲିଥିଲା। ମା’ ପାର୍ବତୀ ଓ ଲିଙ୍ଗରାଜ ଗୋଟିଏ ବିମାନରେ ଯାତ୍ରା କରୁଥିବା ବେଳେ ପ୍ରଭୁ ବାସୁଦେବଙ୍କ ସୁସଜ୍ଜିତ ପାଲିଙ୍କି ସମାନ୍ତରାଳ ଭାବେ ଚାଲିଥିଲା। ଆଗେଆଗେ ଚାଲିଥିଲା ବିଶାଳ ପଟୁଆର ଓ ଶୋଭାଯାତ୍ରା। ଉତ୍ତରପ୍ରଦେଶର ଅଘୋରି ନୃତ୍ୟ, ଓଡ଼ିଶାର ଗୋଟିପୁଅ, ଆନ୍ଧ୍ରପ୍ରଦେଶର ସେହେନାଇ, ଢେଙ୍କାନାଳର ମାଦଳ, ଘୋଡ଼ା, ଷଣ୍ଢ, ପୁରୀ ଘଣ୍ଟ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଦୁଲଦୁଲି, ଗଞ୍ଜାମର ଯୋଡ଼ିଶଙ୍ଖ, ଢୋଲ, ମହୁରୀ ସାଙ୍ଗକୁ ଆଦିବାସୀ ନୃତ୍ୟ, ବନ୍ୟଜନ୍ତୁ ବେଶ, କଣ୍ଡେଇ, ଘୋଡ଼ା ନାଚ, ମୟୂରଭଞ୍ଜର ଛଉ, ଦେବଦେବୀ ବେଶ, ବନାଟି ଖେଳ ଆଦି ଶୋଭାଯାତ୍ରାର ଶୋଭା ବଢ଼ାଇଥିଲା। ଦେବଦମ୍ପତି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ପରମ୍ପରା ଅନୁଯାୟୀ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ବଡ଼ୁସାହି, ବଡ଼ୁ ନିଯୋଗ, ପଥୁରିଆ ବଡ଼ୁସାହିଠାରେ ଭୋଗଲାଗି ଓ ଭେଟଆଳତି ନୀତି ସଂପନ୍ନ ହୋଇଥିଲା। ବିଳମ୍ବିତ ରାତିରେ ଦେବଦମ୍ପତିଙ୍କୁ ସ୍ବର୍ଣ୍ଣାଦ୍ରି ବିଜେ କରାଯାଇଥିଲା। ଶୋଭାଯାତ୍ରାରେ ସେବାୟତଙ୍କ ସହ ଏକାମ୍ର ବିଧାୟକ ବାବୁ ସିଂ, ବିଜେପି ନେତା ସମୀର ମହାନ୍ତି, ଭୁବନେଶ୍ବର ଶୀତଳଷଷ୍ଠୀ କମିଟି ସଭାପତି ସୁରେଶ କୁମାର ରାଉତରାୟ, ସନତ ମିଶ୍ର, ସମ୍ପାଦକ ପୃଥ୍ବୀକାନ୍ତ ମହାପାତ୍ର, ଅମିୟ ଦାଶ, ରଶ୍ମି ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।
ଦେବଦମ୍ପତିଙ୍କ ବିବାହରେ ସୁରକ୍ଷା ଢିଲା
ପୁରୁଣା ଭୁବନେଶ୍ବର: ଦେବଦମ୍ପତିଙ୍କ ବିବାହ ଚାଲିଥିବା ବେଳେ ଆଜି ସକାଳେ ଜଣେ ମହିଳା ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଜିଦ୍ କରିଥିଲେ। ନୀତି ଚାଲିଥିବାରୁ ସେବାୟତମାନେ ତାଙ୍କୁ ଭିତରକୁ ଯିବାକୁ ବାରଣ କରିବାରୁ ମହିଳା ଜଣଙ୍କ ସେବାୟତଙ୍କୁ ଠେଲାପେଲା କରିଥିଲେ। ପୁଲିସକୁ ଖବର ଦେବା ପରେ ପସିଆର୍ ଭ୍ୟାନ୍ ପହଞ୍ଚି ମହିଳାଙ୍କୁ ବାହରକୁ ନେଇଥିଲେ। ତେବେ ଆଜି ଅପରାହ୍ନ ୩ଟା ବେଳେ ନୀତି ଚାଲିଥିବା ସମୟରେ ମହିଳାଜଣକ ପୁଣି ଥରେ ମନ୍ଦିର ଭିତରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। ସେବାୟତମାନେ ମନା କରିବାରୁ ସେସେବାୟତଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ। ତେବେ ପିସିଆର୍ ଭ୍ୟାନ୍ ତାଙ୍କୁ ନେଇ କିଛି ସମୟ ଥାନାରେ ଅଟକ ରଖିଥିଲେ। ଏ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଦେବମ୍ପତିଙ୍କ ବିବାହ ସମୟରେ କାହିଁକି ପୁଲିସ ଉପସ୍ଥିତ ରହିଲେ ନାହିଁ ଏହାକୁ ନେଇ ସେବାୟତମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ଭୀମଟାଙ୍ଗୀରେ ଶିବ ବିବାହ
ପୁରୁଣା ଭୁବନେଶ୍ୱର: ଭୀମେଶ୍ୱର ମନ୍ଦିର ସମିତି ପକ୍ଷରୁ ଭୀମକୁଣ୍ଡଠାରେ ଶିବ ବିବାହ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ରବିବାର ଶୀତଳଷଷ୍ଠୀ ଅନୁଷ୍ଠିତ ହେବ। ନବ ଦମ୍ପତିଙ୍କୁ ଭୀମଟାଙ୍ଗୀ ଫେଜ୍-୧ ଓ ଫେଜ୍-୨ ପରିକ୍ରମା କରାଯିବ। ଘଣ୍ଟବାଦ୍ୟ, ଶଙ୍ଖ, ମହୁରୀ ଓ ପାରମ୍ପରିକ ବାଦ୍ୟରେ ଦେବଦେବୀ ଯାତ୍ରା କରିବେ। ଆଜି ବିବାହ ବେଳେ କର୍ପୋରେଟର ଶିବ ପ୍ରସାଦ ରାୟ, ସମିତିର ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ସଂପାଦକ ପଦ୍ମନାଭ ଷଡ଼ଙ୍ଗୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମଲ ହୋଇଥିଲେ।
ଶ୍ରୀ ନୀଳକଣ୍ଠେଶ୍ବର ଦେବ ମନ୍ଦିରରେ ଶିବବିବାହ
ଭୁବନେଶ୍ବର: ଶୀତଳଷଷ୍ଠୀ ଅବସରରେ ନଁପୁଟ ଗ୍ରାମସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ବର ଦେବଙ୍କ ମନ୍ଦିରରେ ଶିବବିବାହ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ ଉତ୍ସବରେ ବରପିତା ଭାବେ ବିନୋଦ କୁମାର ରାୟ, କନ୍ୟାପିତା ଭାବେ ଅକ୍ଷୟ କୁମାର ବରାଳ ଉପସ୍ଥିତ ରହି ଦେବଦମ୍ପତିଙ୍କ ବିବାହ କରାଇଥିଲେ। ଏହି ବିବାହ ଉତ୍ସବରେ ଶିବଶଙ୍କର ମତଗଜସିଂହ, ମଧୁସୂଦନ ସୁବୁଦ୍ଧି, ଅରକ୍ଷିତ ସାମନ୍ତରାୟ, ପାର୍ଥସାରଥି, ଅଶୋକ, ସାଧୁଙ୍କ ସମେତ ନଁପୁଟ ଗ୍ରାମବାସୀ ଉପସ୍ଥିତଥିଲେ।
ବାବା ବାରୁଣେଶ୍ବର ମନ୍ଦିରରେ ଶୀତଳଷଷ୍ଠୀ ଯାତ୍ରା
ଭୁବନେଶ୍ବର: ସାମନ୍ତରାପୁରସ୍ଥିତ ବାବା ବାରୁଣେଶ୍ବର ମନ୍ଦିରରେ ଶିବବିବାହ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହରେ ବିପିନ ବିହାରୀ ସେନାପତି ବରପକ୍ଷ ଓ ପାର୍ଥସାରଥି ତ୍ରିପାଠୀ କନ୍ୟାପକ୍ଷ ଭାବେ ଉପସ୍ଥିତ ରହି ଦେବଦମ୍ପତିଙ୍କ ବିବାହ କରାଇଥିଲେ। ଏହି ବିବାହ କାର୍ଯ୍ୟକ୍ରମରେ ବିରଞ୍ଚି ନାୟକ, ସନ୍ତୋଷ ମାଣ୍ଡୋଇ, ପ୍ରଦୀପ କୁମାର ସେନାପତି, ବାବୁଲ ମହାନ୍ତି, ପ୍ରଭାତ ମିଶ୍ର, ଫାଲଗୁନି ପ୍ରସାଦ ନାୟକ ସମେତ ଗ୍ରାମର ଯୁବଗୋଷ୍ଠୀ ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ।