ପୁରୁଣା ଭୁବନେଶ୍ବର: ଶୀତଳ ଷଷ୍ଠୀ ପରେ ଆଜି ଅଷ୍ଟମୀ ତିଥି ଅବସରରେ ଲିଙ୍ଗରାଜ ମନ୍ଦିରରେ ବିଧି ପରମ୍ପରା ଅନୁଯାୟୀ ପ୍ରଭୁ ଶ୍ରୀଲିଙ୍ଗରାଜ ଓ ମା’ ପାର୍ବତୀଙ୍କ ଚତୁର୍ଥୀ କର୍ମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଦେବଦମ୍ପତି ବ୍ରହ୍ମାଘାଟରେ ସ୍ନାନ କରିବା ସହ ବିଭିନ୍ନ ମଠମନ୍ଦିର ପରିକ୍ରମା କରିଛନ୍ତି। ଭାରତୀ ମଠରେ ଶ୍ରୀଲିଙ୍ଗରାଜଙ୍କ ଭଉଣୀ ମା’ କାମାକ୍ଷା ଦେବୀ ଗଇଁଣ୍ଠାଳ ଖୋଲିଥିବା ବେଳେ ବେହରଣ ମଣ୍ଡପରେ ମୁଆଁ ଭୋଗ ଲାଗି ଏବଂ ଆଡ଼କାଠ ନିକଟରେ କଉଡ଼ି ଖେଳ ଆଦି ନୀତି ବିଧି ମୁତାବକ ସମ୍ପନ୍ନ କରାଯାଇଛି।
ଶନିବାର ମନ୍ଦିରରେ ସନ୍ଧ୍ୟା ଧୂପ ପରେ ରାତି ପ୍ରାୟ ୧୦ଟାରେ ଶ୍ରୀଲିଙ୍ଗରାଜ ଓ ମା’ ପାର୍ବତୀଙ୍କ ଚଳନ୍ତି ପ୍ରତିମାଙ୍କୁ ସୁସଜ୍ଜିତ ବିମାନରେ ବିଜେ କରାଇ ବାସୁଦେବ ମନ୍ଦିର ସମ୍ମୁଖସ୍ଥ ବିନ୍ଦୁସାଗର ବ୍ରହ୍ମା ଘାଟକୁ ନିଆଯାଇଥିଲା। ସେଠାରେ ଦେବଦମ୍ପତିଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ଏହାପରେ ଦେବଦମ୍ପତି ଅନନ୍ତ ବାସୁଦେବଙ୍କ ନିକଟକୁ ଯାଇଥିଲେ ଏବଂ ସେଠାରେ ଭୋଗ ଓ ଭେଟ ଆଳତି କରାଯାଇଥିଲା। ସେଠାରୁ ପ୍ରଭୁ ଲିଙ୍ଗରାଜ ଓ ମା’ ପାର୍ବତୀ ଭାରତୀ ମଠକୁ ବିଜେ କରଥିଲେ।
ସେଠାରେ ଶ୍ରୀଲିଙ୍ଗରାଜଙ୍କ ଭଉଣୀ ମା’ କାମାକ୍ଷା ଦେବୀ ପରମ୍ପରା ଅନୁଯାୟୀ ନଣନ୍ଦ ଭାବେ ଗଇଣ୍ଠାଳ ଖୋଲିଥିଲେ। ସେଠାରେ ମଧ୍ୟ ପୂଜା ଓ ଭେଟ ଆଳତି ଅନୁଷ୍ଠିତ ହୋଇଥିଲା। ଏହାପରେ ବରକନ୍ୟା ନିଜ ମନ୍ଦିରକୁ ଫେରି ବେହରଣ ମଣ୍ଡପରେ ବିଜେ କରିଥିଲେ। ପାଳିଆ କୁଳ ପୁରୋହିତ ଚତୁର୍ଥୀ ହୋମ କରିବା ଠାକୁର ଠାକୁରାଣୀଙ୍କ ନିକଟରେ ମୁଆଁ ଭୋଗ ଲାଗିକରାଯାଇଥିଲା। ପରେ ଆଡ଼କାଠ ନିକଟରେ ଆୟୋଜିତ ହୋଇଥିଲା କଉଡ଼ି ଖେଳ। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପକ୍ଷରୁ ପୂଜାପଣ୍ଡା ସେବାୟତ ଓ ମା’ ପାର୍ବତୀଙ୍କ ପକ୍ଷରୁ ମହାସୁଆର ପତ୍ରୀ ସେବାୟତ କଉଡ଼ି ଖେଳିଥିଲେ। ଶେଷରେ ଦେବାଦେବୀ ଦକ୍ଷିଣୀ ଗୃହକୁ ବିଜେ କରିଥିଲେ ଏବଂ ମନ୍ଦିରରେ ବଡ଼ ସିଂହାର ବେଶ, ପଞ୍ଚବକ୍ର, ଆଳତି ପରେ ପହୁଡ଼ ପଡ଼ିଥିଲା।
ଲିଙ୍ଗରାଜଙ୍କ ଶୀତଳଷଷ୍ଠୀରେ ୫୦ହଜାରରୁ ଅଧିକ ଭକ୍ତଙ୍କ ସମାଗମ
ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ଉତ୍ସବ ଓ ଶୀଳତଷଷ୍ଠୀ ଯାତ୍ରା ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି। ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଓ ଚନ୍ଦ୍ରଶେଖରଙ୍କ ଶୋଭାଯାତ୍ରାରେ ୪୨ଟି ସାଂସ୍କୃତିକ ଦଳ ସାମିଲ ହୋଇଥିଲେ। ୫୦ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା ବୋଲି ସୂଚନା ଦେଇଛନ୍ତି ବିଧାୟକ ତଥା ଶୀତଳଷଷ୍ଠୀ ଯାତ୍ରା କମିଟିର ଅଧ୍ୟକ୍ଷ ସୁରେଶ ରାଉତରାୟ।
ଶ୍ରୀ ରାଉତରାୟ କହିଛନ୍ତି ଯେ ସେବାୟତମାନେ ଠିକ୍ ସମୟରେ ନୀତିକାନ୍ତି ନିର୍ବାହ କରିଥିଲେ। ଇନ୍ଦ୍ରହାତୀ ଠିକ୍ ସମୟରେ ପହଞ୍ଚିଥିଲା। ପୁଲିସ କମିସନର, ଡିସିପିଙ୍କ ସମେତ ବିଭାଗୀୟ ଅଧିକାରୀ, କେଦାରଗୌରୀ ସେବାୟତ, ମହାସୁଆର ନିଯୋଗ, ବଡ଼ୁ ନିଯୋଗ, ପୂଜା ପଣ୍ଡା ନିଯୋଗ, ବେହେରା ନିଯୋଗ, ସମର୍ଥା ନିଯୋଗ, ବାରିକ ନିଯୋଗ ପ୍ରମୁଖଙ୍କୁ ଶ୍ରୀ ରାଉତରାୟ କୃତଜ୍ଞତା ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସିଦ୍ଧାର୍ଥ ରାଉତରାୟ, ବିଜୟ ପଟ୍ଟନାୟକ, ଶିବାନନ୍ଦ ରାୟ, ଅରୂପ ପଟ୍ଟନାୟକ, ସଂଗ୍ରାମ ପାଇକରାୟ, ଲେନିନ୍ ମହାନ୍ତି, ଶୁଭେନ୍ଦୁ ମହାନ୍ତି, ନବଜ୍ୟୋତି ପଟ୍ଟନାୟକ, ଶ୍ରୀପତି ପତି, ବାବୁ ସିଂ, ବାବୁନା ପଢ଼ିଆରୀ, ଶ୍ରୀପତି ଗରାବଡ଼ୁ, ଲିଙ୍ଗରାଜ ସାହୁ, ଜୟକୃଷ୍ଣ ମଲ୍ଲିଆ, ବିରଞ୍ଚି ମହାସୁପକାର, ଶିବ ବେହେରା, ଚନ୍ଦ୍ରଶେଖର ମଲ୍ଲିଆ ଓ ରୂପେଶ ନାୟକ ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/58-9.jpg)