ଶେଷରେ ସୀତାରାମ ଝୁମ୍ପୁଡ଼ି ବସ୍ତି ସଫା, ଖୋଲା ଆକାଶ ତଳେ ପଡ଼ିଛନ୍ତି ବସ୍ତିବାସିନ୍ଦା

ଖଣ୍ଡଗିରି : ଦୁଇ ଦୁଇ ଥର କଣ୍ଟ ଦେଇ ବିଫଳ ହେବା ପରେ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଗଲା ଓ ଶେଷରେ ଶୁକ୍ରବାର ସ୍ଥାନୀୟ ସୀତାରାମ ଝମ୍ପୁଡ଼ି ବସ୍ତିକୁ ଭାଙ୍ଗି ଦିଆଗଲା। ପ୍ରତିବାଦରେ ମହିଳାମାନେ ଉଚ୍ଛେଦ ଟିମ୍‌ ଉପରକୁ ଢ଼େଲା ମାଡ଼ କଲେ। କିନ୍ତୁ ପୁଲିସ ବଳ ଆଗରେ ସେମାନଙ୍କ ଆକ୍ରମଣାତ୍ମକ ପ୍ରତିବାଦ କାମ କଲା ନାହିଁ। ଏକ ପ୍ଲାଟୁନ୍‌ ପୁଲିସ ବଳ ସହ ଏକ ସେକ୍ସନ ମହିଳା ପୁଲିସ ସେମାନଙ୍କୁ ସହଜରେ କାବୁ କରିନେଲ ଓ ଜେସିବି ମେସିନ୍ ମାତ୍ର ୧୦ ମିନିଟ୍ ମଧ୍ୟରେ ପଲିଥିନ୍ ଛପର ଝୁମ୍ପୁଡ଼ି ଘର ଗୁଡ଼ିକୁ ମାଟିରେ ମିଶାଇଦେଲା। ଏମିତି ଭାବରେ ସୀତାରାମ ବସ୍ତିକୁ ଉଚ୍ଛେଦକୁ ନେଇ ମାସେ ହେଲା ଲାଗି ରହିଥିବା ଅଳିଆ ଆଜି ସଫା ହୋଇଛି। ଶେଷ ଖବର ଅନୁସାରେ କିଛି ପରିବାର ଭଙ୍ଗା ଘର ଭିତରୁ ନିଜର ଜିନିଷପତ୍ର ବାହାର କରି ଅନ୍ୟତ୍ର ଚାଲି ଯାଇଥିବା ବେଳେ କିଛି ପରିବାର ସେଇଠି ରାସ୍ତା କଡ଼ରେ ପିଲାଛୁଆଙ୍କୁ ଧରି ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି।

ସୂଚନାନୁସାରେ ଆଜି ନାକା ଗେଟ୍‌ ପାଖରୁ ବିଡିଏ ଓ ବିଏମ୍‌ସି ମିଳିତ ଭାବେ ଜବରଦଖଲ ଉଚ୍ଛେଦ ଆରମ୍ଭ କରିଥିଲେ। ଖଣ୍ଡଗିରି-ଚନ୍ଦକା ରାସ୍ତା ନାକା ଗେଟ୍‌ ଛକରେ ରାସ୍ତାକୁ ଜବରଦଖଲ କରି ରହିଥିବା ୨୦୦ ମିଟର ପର୍ଯ୍ୟନ୍ତ ୨୬ଟି ଦୋକାନକୁ ଭାଙ୍ଗି ଦିଆଯାଇଥିଲା। ସେହିଭଳି ଗୋଟିଏ ଫର୍ଣ୍ଣିଚର ଦୋକାନ ସ‌ମେତ ୮ଟି କ୍ୟାବିନ୍‌କୁ ହଟାଇ ଦିଆଯାଇଥିଲା। ତେବେ ପର୍ଯ୍ୟଟନ ବ୍ୟାଖାନ କେନ୍ଦ୍ର ପାଚେରିକୁ ଲାଗି ରହିଥିବା ସୀତାରାମ ଝୁମ୍ପୁଡ଼ି ବସ୍ତି ଉଚ୍ଛେଦ ବେଳକୁ ଘଟିଲା ଲଙ୍କାକାଣ୍ଡ। ବସ୍ତିବାସିନ୍ଦା ଆକ୍ରମଣାତ୍ମକ ପ୍ରତିବାଦ କରିବାକୁ ଅଣ୍ଟା ଭିଡ଼ିଥିଲେ। ମହିଳାମାନେ ଭଙ୍ଗା ଇଟା ଫୋପାଡ଼ିଥିଲେ। ଫଳରେ ଜେସିବି ମେସିନ୍ ଚାଳକ ଆତ୍ମରକ୍ଷା କରିବାକୁ ଯାଇ ପଛଘୁଞ୍ଚା ଦେଇଥିଲା। ପୁଲିସ ବୁଝାଶୁଝା କରିଥିଲେ ମଧ୍ୟ ବସ୍ତିର ମହିଳାମାନେ କିଛି ଶୁଣିନଥିଲେ। ଦୁଇ ଦିନ ହେଲା ବର୍ଷାରେ ପିଲାଛୁଆ ଉପାସ ଥିବାରୁ ସେମାନଙ୍କ ରାଗ ପଞ୍ଚମରେ ପହଞ୍ଚିଥିଲା। ତେଣୁ ବାଧ୍ୟ ହୋଇ ପୁଲିସ ବଳ ପ୍ରୟୋଗ କଲା। ଏହା ପରେ ହଠାତ୍ ଥମିଗଲା ପ୍ରତିବାଦ ଓ ଜେସିବି ମେସିନ୍ ସମସ୍ତ ଝୁମ୍ପୁଡ଼ିକୁ ତଳେ ପକାଇଦେଲା।

ସମ୍ବନ୍ଧିତ ଖବର