ବାତ୍ୟା ପରର ସ୍ଥିତି : ଏ ଯନ୍ତ୍ରଣା ଆଉ କେତେ ଦିନ?

ଭୁବନେଶ୍ବର : ବାତ୍ୟା ବେଳେ ଆଜବେଷ୍ଟସ୍‌ ଉଡ଼ିଗଲା। ଘର ଭିତରେ ପାଣି ପଶି ସବୁ ଓଦା ହେଇଗଲା। ସେତେବେଳର ସେ ଭୟଙ୍କର ଚିତ୍ର ଯେତିକି କଷ୍ଟ ଦେଇ ନଥିଲା ତା’ଠୁ ବଳି ଯାଇଛି ବାତ୍ୟା ପରର ଯନ୍ତ୍ରଣା। ଜରି ପାଲ ତଳେ ଖଟ ଉପରେ ଜୀବନ କଟୁଛି। ପାଣି ପାଇଁ ନଳକୂପ ଆଗରେ ଘଣ୍ଟା ଘଣ୍ଟା ଲାଇନ୍‌ ଦେବାକୁ ପଡ଼ୁଛି। ଲାଇନ୍‌ ନଥିବାରୁ ସନ୍ଧ୍ୟାରେ ଘରୁ ବାହାରିବାକୁ ଡର ଲାଗୁଛି। ଘରେ ଆଜବେଷ୍ଟସ୍‌ ପକାଇବାକୁ ହଜାରେ ଖୋସାମତ ପରେ ବି ମିସ୍ତ୍ରି ରାଜି ହେଉନାହାନ୍ତି। ଘର ଛାତ ଉଡ଼ି ଯାଇଥିବାରୁ ଘର ଛାଡ଼ି କୁଆଡ଼େ ଯାଇ ହେଉନି। ଫୋନ୍‌ରେ ଚାର୍ଜ ନଥିବାରୁ ବାହାରେ ରହୁଥିବା ନିଜ ସମ୍ପର୍କୀୟଙ୍କୁ ବି ଜଣେଇ ହେଉନି। ବାତ୍ୟା ସହାୟତା ପାଇଁ ସକାଳୁ ଲାଇନ୍‌ ଲଗେଇଲେ ଦ୍ବିପ୍ରହରକୁ ମିଳୁଛି। ଜୀବନଟା ଯେମିତି ଦୁର୍ବିସହ ହୋଇପଡ଼ିଛି। ‘ଫନି’ର ୫ ଘଣ୍ଟାର ତାଣ୍ଡବ ଯୋଗୁଁ ୫ ଦିନ ହେଲା କଲବଲ ହେଉଥିବା ଅଧିକାଂଶ ରାଜଧାନୀବାସୀଙ୍କ ମନ‌ରେ ସେଇ ଗୋଟିଏ ପ୍ରଶ୍ନ, ଏ ଯନ୍ତ୍ରଣା ଆଉ କେତେ ଦିନ?

‌ଖାଲି ପାଣି କି ଲାଇନ୍‌ ନୁହେଁ, ଏବେ ବି ଅନେକ ଗଳି ରାସ୍ତା ବୃକ୍ଷବନ୍ଦୀ। ଜେନେରେଟର ପାଇଁ ବୁକିଂ କରି ବି ମିଳୁନାହିଁ। ଏଣେ ବିଦ୍ୟୁତ ବ୍ୟବସ୍ଥା ଆଜି ଏତିକି ପ୍ରତିଶତ ହେଇଯିବ, କାଲି ଏତିକି ହୋଇଯିବ, ୧୦ ତାରିଖ ସୁଦ୍ଧା ୮୦ ପ୍ରତିଶତ ହୋଇଯିବ କହି ବିଦ୍ୟୁତ ବିଭାଗ ଏମିତି ଆଶ୍ବାସନା ଦେଉଛି ଯେ ଆଉ ଭରସା କରିହେଉନି। ସହିଦନଗର ବାସିନ୍ଦା କହୁଛନ୍ତି, କାଲିଠୁ ସନ୍ଧ୍ୟାରେ ଲାଇନ୍‌ ଆସି ସକାଳ ଯାଏଁ ରହିବ। ଖଣ୍ଡଗିରି ଲୋକେ କହୁଛନ୍ତି ଆମର ସବୁ ଠିକ୍‌ ଅଛି, ଅନ୍ୟ ଅଞ୍ଚଳ ଲୋକଙ୍କ ବିରୋଧ ଯୋଗୁଁ ଲାଇନ୍‌ ପାଇ ପାରୁନାହୁଁ। ‌ବିଦ୍ୟୁତ ସଂଯୋଗକୁ ନେଇ ଏମିତି ନାନା କଥା ଶୁଣିବାକୁ ମିଳୁଛି।

୩ ଘଣ୍ଟାର ତାଣ୍ଡବ ମହାବାତ୍ୟାକୁ ବଳିଗଲା
ମହାବାତ୍ୟା ୩ ଦିନରେ ଯାହା କରିନଥିଲା ଫନି ୩ ଘଣ୍ଟାରେ ତାହାଠୁ ବଳିଗଲା। ସେତେବେଳେ ୩ଦିନ ଯାକ ବିସ୍କୁଟ୍‌ ଖାଇ ଗୋଟିଏ ପୋଷାକ ପିନ୍ଧି ରହିଥିଲୁ। ତେବେ ଫନିର ୩ ଘଣ୍ଟାର ପ୍ରକୋପ ସାଂଘାତିକ ଥିଲା। ଦୋକାନ ଘର ଉପରେ କାଳେ ଗଛ ପଡ଼ିଯିବ ସେଇ ଭୟରେ ବାହାରେ ଛିଡ଼ା ହୋଇ ଦୋକାନକୁ ଲକ୍ଷ୍ୟ ରଖିଥିଲି। ହେଲେ ସାମ୍ନାରୁ ଗୋଟେ ଆଜବେଷ୍ଟସ ଉଡ଼ି ଏମିତି ବୁଲିବୁଲି ଆସିଲା ଯେ ତାକୁ ଦେଖି ଘରେ ପଶି ଦୁଆର କିଳି ଦେଲି।
ଦେବରାଜ ପଣ୍ଡା (ଆଇଡି ମା‌ର୍କେଟ ବସ୍ତି)

ବାତ୍ୟାର କୋପ‌ ଦେଖି ଥରିଲୁ
ମରିବାର ଥିଲେ ଏଇଠି ମରିବୁ, ଜିଇଁବାର ଥିଲେ ଏଇଠି ଜିଇଁବୁ। ଯେତେବେଳେ ସ୍ଥାନୀୟ ନେତା ଆସି ଆମକୁ ସ୍କୁଲ୍‌ ଘରକୁ ଯିବାକୁ ଡାକିଲେ ଘର ଛାଡ଼ି ଗଲୁନି। ଭାବିଲୁ, ଆଗରୁ ଏମିତି କେତେଥର ବାତ୍ୟା ଆସିଛି, ବୋଧେ ସେମିତି‌ ହେବ। କିନ୍ତୁ ୧୧ଟା ୧୫ ବେଳକୁ ବାତ୍ୟାର କୋପ ଦେଖି ଥରା ବାହାରିଲା। ତଥାପି କିଛି ଉପାୟ ନଥିଲା। ତେବେ ମହାବାତ୍ୟା ବେଳେ ଯେତିକି ଖାଇବା ପିଇବାକୁ ହନ୍ତସନ୍ତ ହେବାକୁ ପଡ଼ିଥିଲେ ହେଁ ଫନି ବାତ୍ୟାରେ ଖାଇବା ପିଇବାରେ ସେତେଟା ସମସ୍ୟା ହୋଇନାହିଁ।
କମଳା ଦାଶ (ଆଇଡି ମାର୍କେଟ୍‌ ବସ୍ତି)

ନିର୍ବାଚନ ରକ୍ଷା କରିଦେଲା
ଭାଗ୍ୟ ଭଲ, ମୟୂରଭଂଜରେ ୨୯ ତାରିଖରେ ଭୋଟ୍‌ ଦେବାର ଥିଲା। ସେଇ ଯୋଗୁଁ ତା’ ଆଗରୁ ପୂରା ପରିବାରକୁ ନେଇ ଘରକୁ ପଳେଇଥିଲି। ବାତ୍ୟା କଥା ଶୁଣିଥିଲି, ତେଣୁ କାଳେ ଘର ଭାଙ୍ଗିରୁଜି ଯିବ ଭାରି ଚିନ୍ତାରେ ଥିଲି। କିନ୍ତୁ ଘରୁ ଆସିଲିନି। ଯାହା ହେଉ କି ବୁଦ୍ଧି ଜୁଟିଲା, ମନ ଆସିବାକୁ ଦେଲା ନାହିଁ। ତା’ ପରଦିନ ଆସି ଦେଖିଲି, ଘର ଉପରୁ ଆଜବେଷ୍ଟସ୍‌ କୁଆଡ଼େ ଉଡ଼ି ଯାଇଛି। ଏବେ ଏଇ ପଲିଥିନ୍‌ ତଳେ ଜୀବନ ବିତୁଛି। ଆମର ଘର ଭଙ୍ଗା ସର୍ଭେ ଏଯାଏଁ ହୋଇନାହିଁ। ପାଣି କ‌ଳଟେ ଅଛି ବୋଲି ରକ୍ଷା। ରୋହନ ମାର୍ଣ୍ଡି (ସାଲିଆ ସାହି)

ଏ ବାତ୍ୟା ଜମାରୁ ଭଲ ନୁହେଁ
ମୋ ବହି ସବୁ ଓଦା ହୋଇଯାଇଛି। ବ୍ୟାଗ୍‌‌ରେ ପାଣି ପଶି ଖାତା ଚିରି ଯାଇଛି। ଆମ ଘର ଆଜବେଷ୍ଟସ୍‌ ଉଡ଼ି ଯାଇଛି। ପାଠପଢ଼ାରେ ଆଉ ମନ ଲାଗୁନି। ଏ ବାତ୍ୟା ଜମାରୁ ଭଲ ନୁହେଁ।
ଲିପୁନ ମାର୍ଣ୍ଡି (ଆଦିବାସୀ ଗାଁ)

ସମ୍ବନ୍ଧିତ ଖବର