ପୁରୁଣା ଭୁବନେଶ୍ବର ସ୍ଥିତି ବିଗିଡ଼ୁଛି

ପୁରୁଣା ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପୁରୁଣା ଭୁବନେଶ୍ବର ଚିନ୍ତା ବଢ଼‌ାଇ ଦେଇଛି। ୨ଦିନ ପରୀକ୍ଷାରେ ୧୫ଜଣ ସେବାୟତ ପଜିଟିଭ୍‌ ଚିହ୍ନଟ ହେବା ପରେ ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। କାହା ସଂସ୍ପର୍ଶରୁ ଏହି ରୋଗୀ ଆସିଛନ୍ତି ତାହା ଜଣାପଡ଼ିନଥିଲେ ମଧ୍ୟ ମନ୍ଦିରକୁ ଆସୁଥିବା ଦର୍ଶନାର୍ଥୀଙ୍କ ମଧ୍ୟରୁ ବ୍ୟାପିଥିବା ଅନୁମାନ କରାଯାଉଛି। ସେପଟେ ସଙ୍ଗରୋଧରୁ ଚିହ୍ନଟ ରୋଗୀଙ୍କ ମଧ୍ୟରେ ଗତକାଲି ୩୩ ପଜିଟିଭ୍‌ ବାହାରିଥିବା ବେଳେ ଆଜି ୪୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୁନ୍ଦରପଦାରୁ ୧୧ଜଣ, ପୋଖରୀପୁଟରୁ ୧୪ଜଣ, ଟଙ୍କପାଣି ରୋଡ୍‌, କପିଳେଶ୍ବର, ବିବେକାନନ୍ଦ ମାର୍ଗ, ପଳାସପଲ୍ଲୀରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଲଡ୍‌ଟାଉନ୍‌ରୁ ଯେଉଁମାନଙ୍କ ପଜିଟିଭ୍‌ ବାହାରୁଛି ସେମାନେ କଟକଣା ମାନୁ ନାହାନ୍ତି। ତେଣୁ ଆକ୍ରାନ୍ତଙ୍କ ଘର ଆଗରେ ପୋଷ୍ଟର ମାରିବାକୁ ବରିଷ୍ଠ ସେବାୟତମାନେ ଦାବି କରିଛନ୍ତି। ଏହାଛଡ଼ା ବିଭିନ୍ନ ହାଟ ବଜାରରେ ଭିଡ଼ ରହୁଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ପୁଣି ଖୋଲିବ ପଞ୍ଚାୟତ ସଂଗରୋଧ
ବାଲିଅନ୍ତା : କରୋନାର ଦ୍ବିତୀୟ ଲହରକୁ ନିୟନ୍ତ୍ରଣ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ବିଶେଷ ତତ୍ପରତା ପ୍ରକାଶ ପାଇଛି। ଏନେଇ ଆଜି ଉପଜିଲ୍ଲାପାଳ ଦେବବ୍ରତ ସାହୁ ପୂର୍ବବର୍ଷ ଭଳି ଏବର୍ଷ ପଞ୍ଚାୟତ କାର୍ଯ୍ୟାଳୟରେ ସଂଗରୋଧ କେନ୍ଦ୍ର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତହସିଲ କାର୍ଯ୍ୟାଳୟ ସଭାକକ୍ଷରେ ଆୟୋଜିତ କୋଭିଡ୍‌ ସମୀକ୍ଷା ବୈଠକରେ ଉପଜିଲ୍ଲାପାଳ ଶ୍ରୀ ସାହୁ ଉପସ୍ଥିତ ସରପଞ୍ଚ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସଂଗରୋଧ କେନ୍ଦ୍ରରେ ସନ୍ଦିଗ୍ଧମାନଙ୍କ ରହିବା ଓ ସ୍ନାନ, ଶୌଚ ପାଇଁ ସବୁ ପ୍ରକାର ବ୍ୟବସ୍ଥା ଠିକ୍‌ ଅଛି କି ନାହିଁ, ତଦାରଖ ପାଇଁ ବିଡିଓ ଆଦିକନ୍ଦ ବେହେରା ଓ ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ବିବାହ, ବ୍ରତ, ଉତ୍ସବ, ଶୁଦ୍ଧିକ୍ରିୟା ତଥା ଅନ୍ୟାନ୍ୟ ଆନୁଷ୍ଠାନିକ କାର୍ଯ୍ୟ କୋଭିଡ୍‌ ଗାଇଡ୍‌ଲାଇନ୍‌ ମତେ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ଦିରରେ ବିନା ଶ୍ରଦ୍ଧାଳୁରେ ପୂଜାନୀତି ସଂପନ୍ନ ହେବ। ସବୁ କୋଚିଂ ସେଣ୍ଟର୍‌, ଟ୍ୟୁଟୋରିଆଲ ବନ୍ଦ ରହିବ। ମାସ୍କ ଯାଞ୍ଚ ଓ ସାମାଜିକ ଦୂରତା ରଖୁ ନଥିବା ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। କଟକଣା ନ ମାନିଲେ ମୋଟା ଜରିମାନା ଆଦାୟ ହେବ। ଏମିତିକି ଅମାନିଆଙ୍କ ବିରୋଧରେ ଦରକାର ପଡ଼ିଲେ ଫୌଜଦାରୀ ମାମଲା ରୁଜୁ କରାଯିବ।

ସମ୍ବନ୍ଧିତ ଖବର